Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଦିନକ ପରେ ସୀମାରୁ ହଟିବେ ସେନା

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଦିନକ ପରେ ସୀମାରୁ ହଟିବେ ଭାରତ-ଚୀନ ସେନା । ସୂଚନାନୁସାରେ ପୂର୍ବ ଲଦାଖର ଗୋଗ୍ରା-ହଟ୍ସପିଙ୍ଗ ଅଞ୍ଚଳରୁ ଭାରତ ଏବଂ ଚୀନ ସାମରିକ ବାହିନୀ ପ୍ରତ୍ୟାହାର କରିବାନେଇ ନିଷ୍ପତ୍ତି ହୋଇଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ମନ୍ତ୍ରଣାଳୟର ବିବୃତ୍ତିର ଗୋଟିଏ ଦିନ ପୂର୍ବ ଭାରତ ଏବଂ ଚୀନର ସୈନ୍ୟବାହିନୀ ଘୋଷଣା କରିଛନ୍ତି ଯେ ସେମାନେ ଗୋଗ୍ରା-ହଟ୍ସପିଙ୍ଗର ପାଟ୍ରୋଲିଂ ପଏଣ୍ଟ ୧୫ରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ସ୍ଥାନରେ ଦୁଇ ସେନା ମଧ୍ୟରେ ବିବାଦ ଲାଗି ରହିଛି ।

ବୌଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ବିକାଶ ପାଇଁ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ରେ ଶାନ୍ତି ଫେରାଇ ଆଣିବା ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ।

ଏହି ବିବାଦର ସମାଧାନ ପାଇଁ ଦୁଇ ସୈନ୍ୟ ଦଳ ୧୬ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଚାଇନା-ଇଣ୍ଡିଆ କର୍ପସ କମାଣ୍ଡର ସ୍ତରୀୟ ବୈଠକର ୧୬ ତମ ରାଉଣ୍ଡରେ ୨୦୨୨ ମସିହା ସେପ୍ଟେମ୍ବର ୮ ରେ ଜିଆନ ଡାବନ ଅଞ୍ଚଳରୁ ଚୀନ୍ ଏବଂ ଭାରତୀୟ ସୈନ୍ୟ ଏକ ସମନ୍ୱିତ ତଥା ଯୋଜନାବଦ୍ଧ ଭାବରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସୀମାନ୍ତ ଅଞ୍ଚଳରେ ଶାନ୍ତି ପାଇଁ ଏହା ଭଳ ବୋଲି କୁହାଯାଉଛି ।

ପାଙ୍ଗୋଙ୍ଗ ହ୍ରଦରେ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ୫ ମଇ ୨୦୨୦ ରେ ପୂର୍ବ ଲଦାଖରେ ସୀମା ବିବାଦ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ଧୀରେ ଧୀରେ ହଜାର ହଜାର ସୈନ୍ୟ ସହ ଭାରୀ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଥିଲେ। ଉଭୟ ପକ୍ଷ ଏଲଏସି ସହିତ ସମ୍ବେଦନଶୀଳ ଅଞ୍ଚଳରେ ୫୦,୦୦୦ ରୁ ୬୦,୦୦୦ ସୈନ୍ୟ ମୁତୟନ କରିଛନ୍ତି।

Exit mobile version