Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସଫଳ ହେବ ତ ବିଜେପିର କେନ୍ଦ୍ରମନ୍ତ୍ରୀ ପ୍ଲାନ୍ ?

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ୨୦୧୯ରେ ଓଡ଼ିଶାରେ ଫେଲ୍ ହେବା ପରେ ୨୪ରେ ପାସ୍ ହେବା ପାଇଁ ଲାଗିପଡ଼ିଲାଣି ବିଜେପି । ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ଡେରା ପକାଇଲେଣି ବିଜେପିର କେନ୍ଦ୍ରୀୟ ନେତା । ୨୦୧୯ ନିର୍ବାଚନରେ ଧୂଳି ଚାଟିବା ପରେ ବିଜେପି ଯେମିତି ଓଡ଼ିଶା ଠୁ ଦୂରେଇ ଗଲା । ବିଜେଡି ସରକାରଙ୍କ ସହିତ ହାତ ମିଳାଇଦେଇ ଦିଲ୍ଲୀରେ ସବୁ ବସିଗଲେ । ବିଜେଡିକୁ ବିରୋଧ କରିବ କ’ଣ ପ୍ରଶଂସାରେ ପୋତି ପକାଇଲେ । ତାକୁ ସାର୍ଟିଫିକେଟ୍ କରି ଓଡ଼ିଶାରେ ଦେଖେଇ ଚାଲିଲା ବିଜେଡି । ଏବେ ନିଦ ଭାଙ୍ଗିଲା । ପୁଣି ଗୋଟିଏ ନାଟକ ଆରମ୍ଭ କରିଛି ବିଜେପି । ଏଥର ନାଟକର ମୁଖ୍ୟ ଭୂମିକା ନେବେ କେନ୍ଦ୍ରମନ୍ତ୍ରୀମାନେ । ତୁହାକୁ ତୁହା ଓଡ଼ିଶା ଗସ୍ତ କରୁଛନ୍ତି । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୂଚନା ଦେଇଥିଲେ ଯେ, ୫ କି ୭ ନୁହେଁ, ଏଥର ପ୍ରତିମାସ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ବିଜେପି କେମିତି କ୍ଷମତାକୁ ଆସିବ, ସେଥିପାଇଁ ସେମାନେ ରଣନୀତି ପ୍ରସ୍ତୁତ କରିବେ ।

ଯଦି ରାଜନୈତିକ ଦୃଷ୍ଟିଭଙ୍ଗୀରୁ ଦେଖିବା, ବିଜେପି ଯାହା କରୁଛି ଏକ ରାଜନୈତିକ ଦଳ ଭାବେ ଠିକ୍ କରୁଛି । କିନ୍ତୁ ଇଏ ଯେଉଁ କେନ୍ଦ୍ରମନ୍ତ୍ରୀଙ୍କ ତୁହାକୁ ତୁହା ଓଡ଼ିଶା ଗସ୍ତ ବିଜେପି ପାଇଁ ବୁମେରାଂ ବି ହୋଇପାରେ । ଏକଥା ଆମେ ଏଥିପାଇଁ କହୁଛୁ, କାରଣ ୨୦୧୯ ପରେ ବିଜେପି ଓଡ଼ିଶାରୁ ଦୂରେଇ ଯାଇଥିଲା । ବିଜେଡି ସାଙ୍ଗରେ ସଲାସୁତୁରା କରି କେନ୍ଦ୍ରରେ ଶାସନ ଚଳାଇବା ପାଇଁ ଭାଇ ଭାଇ ହୋଇ ରହିଥିଲା । ଲୋକେ ଜାଣିଗଲେ ବିଜେପି ହେଉଛି ବିଜେଡିର ‘ଖ’ ଦଳ । ବିଜେପି ନେତାମାନେ ଦିଳ୍ଲୀରେ ବସିଲେ, ଲୋକଙ୍କ ପାଖକୁ ଗଲେନି । ଯଦି ବୈଜୟନ୍ତଙ୍କ କଥାକୁ ଦେଖିବା ଏଥର ପ୍ରତିମାସ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ । ସେପଟେ ବିଜେଡି କହିଛି, ସେମାନେ ପ୍ରତିମାସ ଆସିଲେ କିଛି ଫରକ ପଡ଼ିବନି । କାରଣ ନବୀନ ସରକାର ଓ ବିଜେଡି ପ୍ରତିଦିନ ଲୋକଙ୍କ ସାଙ୍ଗରେ ରହିଛି, ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛି । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ ବିଜେଡି ଉପରେ କିଛି ପ୍ରଭାବ ପକାଇପାରିବ ନାହିଁ ।

ଏହାର ଉତ୍ତର ବି ବିଜେପି ପାଖରେ ନାହିଁ । କାରଣ ୩ ବର୍ଷ ଧରି ବିଜେପି ଲୋକଙ୍କ ପାଖରୁ ଦୂରେଇ ଯାଇଛି । ତେଣୁ କେନ୍ଦ୍ରମନ୍ତ୍ରୀମାନେ କେଉଁ ପ୍ରସଙ୍ଗ ନେଇ ଆସିବେ? ସବୁ ପ୍ରସଙ୍ଗରେ ତ ଓଡ଼ିଶା ସରକାରଙ୍କୁ ସମର୍ଥନ କରିଛନ୍ତି । ଏବେ ବିଜେପି ପାଖରେ କେଉଁ ପ୍ରସଙ୍ଗ ଅଛି, ଯାହାକୁ ନେଇ ଓଡ଼ିଶାବାସୀଙ୍କ ପାଖକୁ ଯିବ । ଅନ୍ୟପଟେ ବିଜେପିର ସାଙ୍ଗଠନିକ ସ୍ଥିତି ଯଦି ଦେଖିବା, ତେବେ ଓଡ଼ିଶା ବିଜେପିରେ ପାଞ୍ଚ ଫାଟ । ବିଜେପିର ମୂଳଦୁଆ କୁହାଯାଉଥିବା ଆରଏସଏସ ଅନେକ ସମୟରେ ବିଜେପିର ସ୍ଥାନୀୟ ନେତାମାନଙ୍କ ସହିତ ରହୁନାହାନ୍ତି । ବିଜେପିର ନେତାଭାବେ ଲୋକମାନେ ଚାହୁଁଛନ୍ତି ଅପରାଜିତା ଷଡଙ୍ଗୀଙ୍କୁ । କିନ୍ତୁ ତାଙ୍କୁ ନେତୃତ୍ୱ ଦିଆଯାଉନାହିଁ । ବିଜେପି ସଙ୍ଗଠନ ଗୋଟିଏପଟେ ଯାଉଥିବା ବେଳେ ଅପରାଜିତା ନିଜସ୍ୱ ସଙ୍ଗଠନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ବିଜେପିର ସାଙ୍ଗଠନିକ ଦାୟିତ୍ୱରେ ଥିବା ନେତାମାନଙ୍କୁ କର୍ମୀମାନେ ବି ପସନ୍ଦ କରୁନାହାନ୍ତି । ଯେଉଁମାନଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦେବା କଥା, ସେମାନଙ୍କୁ ଦିଆଯାଉନାହିଁ । ୫ ଫାଟ ଥିବା ସଙ୍ଗଠନକୁ କେନ୍ଦ୍ରମନ୍ତ୍ରୀମାନେ ପ୍ରତ୍ୟେକ ମାସ ଆସି ଯୋଡ଼ିପାରିବେ କି? ସାଙ୍ଗଠନିକ ଆମୂଳଚୂଳ ପରିବର୍ତ୍ତନ କରିପାରିବେ କି? ଲୋକେ ଚାହୁଁଥିବା ନେତାଙ୍କୁ କ୍ଷମତା ଦେଇପାରିବେ କି? ଏହି ସବୁ ନକରି ପାରିଲେ ବିଜେଡିକୁ ହରାଇବା ବିଜେପି ପାଇଁ ସ୍ୱପ୍ନ ହୋଇଯିବ । ବିଜେଡିରେ ଥିବା ଅସନ୍ତୁଷ୍ଟଙ୍କୁ ଏକଜୁଟ୍ କରି ବିଜେପି କିଣିପାରିବ, ତାହାଲେ ହୁଏତ ବିଜେପି ଏଠି ସରକାର ଗଢିପାରେ । ନହେଲେ ଜନସମର୍ଥନରେ ବିଜେପି କ୍ଷମତାକୁ ଆସିବା ସମ୍ଭବ ଭଳି ଦିଶୁନି ।

Will BJPs Central Ministers Plan Succeed in Odisha Politics? | BJD and BJP Election Strategy, 2024

Exit mobile version