ବିରୋଧୀଙ୍କ ମଧ୍ୟରେ ଫାଟ: ମୋଦୀଙ୍କୁ ଲାଭ

(ଦ କୁଇଭର): ୨୦୨୪ ନିର୍ବାଚନ ପାଖେଇ ଆସିଲାଣି । ସମସ୍ତେ ସଜବାଜ ବି ହେଲେଣି । ମୋଦୀଙ୍କୁ କିଏ ଦେବ ଟକ୍କର? ମୋଦୀଙ୍କୁ ଗାଦିଚ୍ୟୁତ କରିବ କିଏ? ବିରୋଧୀ ଦଳମାନେ ସେଥିପାଇଁ ଆରମ୍ଭ କରିଦେଲେଣି କସରତ । ବର୍ତ୍ତମାନର ରାଜନୈତିକ ସ୍ଥିତି ଯାହା କହୁଛି, ମୋଦୀଙ୍କୁ ଟକ୍କର ଦେଇପାରିବେନି ବିରୋଧୀ । ବିରୋଧୀଙ୍କ ମଧ୍ୟରେ ଏକତା ନଥିବାରୁ ଏହାର ଫାଇଦା ନେଉଛି ବିଜେପି । ୨ ପାଳି ଲଗାତର କେନ୍ଦ୍ରରେ କ୍ଷମତାରେ ରହିବା ପରେ ଲୋକଙ୍କର ବିରୋଧ ବି ମୋଦୀଙ୍କ ବିରୁଦ୍ଧରେ ଅଛି । କିନ୍ତୁ ସେଇ ବିରୋଧ ସ୍ୱରର ଫାଇଦା ନେଇପାରୁନାହାନ୍ତି ବିରୋଧୀ । ଏହା ବିଜେପିର କୂଟନୀତି ହେଉ ବା ବିରୋଧୀଙ୍କ ଅପାରଗତା । ଫାଇଦା ମୋଦୀଙ୍କ ଆଡ଼କୁ ଯିତବ ବୋଲି ଜଳ ଜଳ ହୋଇ ଦିଶୁଛି । ଏକଥା ଆମେ ଏଥିପାଇଁ କହୁଛୁ, ବିଭିନ୍ନ ଦିଗକୁ ସମୀକ୍ଷା କଲା ପରେ ଆମେ ଯାହା ଦେଖିଲୁ ଯେ, ବର୍ତ୍ତମାନ ବିଜେପିର ବିରୋଧୀ ଦଳ ହେଉଛି କଂଗ୍ରେସ । ସେପଟେ ମୋଦୀଙ୍କ ବିରୁଦ୍ଧରେ ଲଗାତର ସଂଗ୍ରାମ ଜାରି ରଖିଛନ୍ତି ମମତା । ଏବେ ନିକଟରେ ଏନଡିଏ ହାତ ଛାଡ଼ିବା ପରେ, ନୀତୀଶ କୁମାର ମଧ୍ୟ ତାଙ୍କ ଅଭିଯାନ ଜାରି ରଖିଛନ୍ତି ।

ଆଉ ବିରୋଧୀଙ୍କ ମଧ୍ୟରେ ଆଉ ଏକ ବ୍ୟତିକ୍ରମ ହେଉଛି, ଏ ସମସ୍ତଙ୍କ ସାଙ୍ଗରେ ଆପ୍ ନାହିଁ । ଆପ୍ ତାର ନିଜ ସଂଘର୍ଷ ନିଜେ କରୁଛି । ଆପ୍ ଏମାନଙ୍କ ସାଙ୍ଗରେ ନାହିଁ ବୋଲି ଅଭିବୃଦ୍ଧି ହାର ଆପର ଅଧିକ ରହିଛି । ବର୍ତ୍ତମାନ ଯେତିକି ବିରୋଧୀ ଅଛନ୍ତି, ସମେସ୍ତ କୌଣସି ନା କୌଣସି ବିବାଦରେ ଛନ୍ଦି ହୋଇଛନ୍ତି ଓ ଲୋକମାନଙ୍କ ଠାରୁ ଉପେକ୍ଷିତ ହୋଇଛନ୍ତି । ତା ସତ୍ତେ୍ୱ ବି କେନ୍ଦ୍ରରେ ଶାସନ କରୁଥିବା ମୋଦୀଙ୍କ ବିରୁଦ୍ଧରେ ଜନଅସନ୍ତୋଷ ବଢିଛି । ଯାହାର ଫାଇଦା ନେଇପାରୁନାହାନ୍ତି ବିରୋଧୀ । ଏହାର ଅର୍ଥ ବିରୋଧୀ ଦଳଙ୍କ ମଧ୍ୟରେ ସେମିତି କେହି ରଣନୀତିକାର ନାହାନ୍ତି । ବିରୋଧୀଙ୍କୁ ଧୂଳି ଚଟାଇବା ଭଳି ରଣନୀତି କରୁଥିଲେ ଇନ୍ଦିରା ଗାନ୍ଧୀ । ତାଙ୍କ ପରେ କଂଗ୍ରେସ ପିଭି ନରସିମ†ା ରାଓଙ୍କୁ ଛାଡ଼ିଦେଲେ ଆଜି ପର୍ଯ୍ୟନ୍ତ ଆଉ କେହିଜଣେ ଏଭଳି ରଣନୀତିକାର ନାହାନ୍ତି, ଯିଏ ବିରୋଧୀଙ୍କୁ ଏକଜୁଟ କରି ବିଜେପି ସହ ଲଢିବେ ।

ବର୍ତ୍ତମାନ ସମୟରେ ବିରୋଧୀଙ୍କ ମଧ୍ୟରେ ଏକତା ନାହିଁ । ବିରୋଧୀ ଦଳ ମାନେ ଫାଲ ଫାଳ ହୋଇଯାଉଛନ୍ତି । କଂଗ୍ରେସ ତାର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛି । ଯାହା ମୋଦୀ ସରକାରଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ହୋଇପାରେ, ଯଦି ଏହାକୁ କଂଗ୍ରେସ ଠିକ୍ ଭାବେ ପରିଚାଳନା କରିପାରିବ । ୧୫୦ ଦିନର ପଦଯାତ୍ରା, ଦେଶରେ ବିପ୍ଳବ ବି ସୃଷ୍ଟି କରିଦେଇପାରେ । କଂଗ୍ରେସ ଯେତେବେଳେ ବିଜେପି ବରୋଧରେ ଲଢେଇ ଆରମ୍ଭ କରୁଛି, ସେତେବେଳେ ନୀତିଶ କୁମାର ତୃତୀୟ ସାମୁଖ୍ୟ ପାଇଁ ଚିନ୍ତା କରୁଛନ୍ତି । ସେଠାରେ ମମତା ବାନାର୍ଜୀ ମଧ୍ୟ ତୃତୀୟ ସାମୁଖ୍ୟ ପକ୍ଷରେ ଅଛନ୍ତି । ସମସ୍ତଙ୍କର ଲକ୍ଷ ଗୋଟିଏ, ମୋଦୀଙ୍କୁ କେନ୍ଦ୍ରରୁ ହଟାଇବା । କିନ୍ତୁ ଏମାନଙ୍କ ମଧ୍ୟରେ ଏକତା ନାହିଁ । ଏସବୁକୁ ଦେଖିଲେ ଲାଗୁଛି ବିରୋଧୀ ଏକଜୁଟ୍ ହୋଇପାରୁନଥିବାରୁ ମୋଦୀଙ୍କ ପତିଆରା ବଢୁଛି । ଯଦି ବିରୋଧୀଙ୍କ ମଧ୍ୟରେ ଏକତା ନ ରହେ, ତେବେ ମୋଦୀଙ୍କୁ ଶାସନ କ୍ଷମତାରୁ ହଟାଇବା ବିରୋଧୀଙ୍କ ପାଇଁ ସ୍ୱପ୍ନ ହୋଇ ରହିଯିବ ।

Leave a Reply

Your email address will not be published. Required fields are marked *