ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କାହା ସ୍ୱାର୍ଥରେ ?

FILE PHOTO

ପୁରୀ (ଦ କୁଇଭର): କାହିଁକି ବନ୍ଦ ରହିଛି ଶ୍ରୀମନ୍ଦିରରେ ପରିମାଣିକ ଦର୍ଶନ ? କାହିଁକି ବନ୍ଦ କରାଯାଇଛି ସାହାଣମେଲା ବା ସର୍ବସାଧାରଣ ଦର୍ଶନ । କେଉଁ ଆଇନ ବଳରେ ବନ୍ଦ ରହିଛି । କାହା ନିର୍ଦ୍ଦେଶରେ ବନ୍ଦ କରାଯାଇଛି । ଏହି ସର୍ବସାଧାରଣ ଦର୍ଶନ ବନ୍ଦ ପଛରେ ରହିଛି କାହାର ସ୍ୱାର୍ଥ । ଏହି ଦୁଇ ଦର୍ଶନ ବନ୍ଦ ପାଇଁ ସେବାୟତ ମାନଙ୍କୁ ମିଳୁଛି ଦୁଇଗୁଣ ପାଉଣା, ହେଲେ ନିରାସ ହେଉଛନ୍ତି ଭକ୍ତ । ଏ ସରକାର ଭକ୍ତଙ୍କ କଲ୍ୟାଣ ଚାହୁଁଛି ନା ସେବାୟତଙ୍କ ସନ୍ତୁଷ୍ଟି, ସ୍ପଷ୍ଟ କରନ୍ତୁ ସରକାର ।

କ’ଣ ଚାଲିଛି ଶ୍ରୀମନ୍ଦିରରେ । କି ତାମସା କରୁଛି ଏ ପ୍ରଶାସନ? ଶ୍ରୀମନ୍ଦିର ଭଳି ଧର୍ମସ୍ଥଳୀରୁ କାହିଁକି ଭକ୍ତଙ୍କୁ ଦୂରେଇ ଦିଆଯାଉଛି । କାହିଁକି କଳା ଠାକୁରଙ୍କ ଠାରୁ ସାଧାରଣ ଭକ୍ତଙ୍କୁ ଦୂରେଇ ରଖୁଛି ପ୍ରଶାସନ । କାହା ସ୍ୱାର୍ଥରେ ଏପରି କରାଯାଉଛି । ସାଧାରଣ ଭକ୍ତଙ୍କ ପାଇଁ କାହିଁକି କାହାର ସ୍ୱର ବାହାରୁନାହିଁ । ସମସ୍ତେ ନୀରବ କାହିଁକି ?

ଶ୍ରୀମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଆଇନ ରହିଛି । ଯାହାକୁ ସୁପ୍ରିମକୋର୍ଟ ବି ଗ୍ରହଣ କରିସାରିଛନ୍ତି । ଏହି ଆଇନ ଅନୁଯାୟୀ ଶ୍ରୀମନ୍ଦିରର ଦର୍ଶନ ବ୍ୟବସ୍ଥା ପରିଚାଳନା ହେବା କଥା । ମାତ୍ର ଆଇନକୁ ଭାଙ୍ଗି କରାଯାଇଛି ଦର୍ଶନ ବ୍ୟବସ୍ଥା । ସାଧାରଣ ଭକ୍ତଙ୍କୁ ଭଗବାନଙ୍କ ଠାରୁ ଦୂରେଇ ଦେବାକୁ କାର୍ଯ୍ୟକାରୀ ହେଉଛି ବ୍ୟବସ୍ଥା । ଆଇନ ଅନୁଯାୟୀ ଶ୍ରୀମନ୍ଦିରରେ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିଛି । ଏହାକୁ ବନ୍ଦ କରାଯାଇ ପାରିବ ନାହିଁ । ସେହିପରି ସାହାଣମେଲା ଦର୍ଶନ ବି ଆଇନ ଅନୁମୋଦିତ । ଏହାକୁ ବନ୍ଦ କରିବାର କ୍ଷମତା କାହାର ନାହିଁ । ହେଲେ ଏ ପ୍ରଶାସନ ବା ସରକାର ଆଇନର ଉଦ୍ଧ୍ୱର୍କୁ ଯାଇ ଭକ୍ତଙ୍କ ଦର୍ଶନକୁ ବନ୍ଦ କରିଛନ୍ତି ।

ନିୟମ ଅନୁଯାୟୀ ସାଧାରଣ ଭକ୍ତଟିଏ ସାହାଣମେଲାରେ ରତ୍ନବେଦୀ ପାଖକୁ ଯାଇ ଦର୍ଶନ କରିବା କଥା । ସେହି ଦର୍ଶନବେଳେ ଭକ୍ତ ପିଣ୍ଡିରେ ଦାନ ଦକ୍ଷିଣା ଦେଇଥାଏ । ସେଥିରୁ ସିଂହଭାଗ ପ୍ରଶାସନକୁ ଯିବା କଥା । ଅର୍ଥାତ ଯଦି ଟଙ୍କାଟିଏ ବା ଷୋଳଅଣା ପିଣ୍ଡିକା ଆସିଲା, ସେଥିରୁ ୧୫ଅଣା ପ୍ରଶାସନର ଓ ଅଣେ ମାତ୍ର ସେବାୟତଙ୍କର । ସେହିପରି ପରିମାଣିକ ଦର୍ଶନରୁ ୨୫ଭାଗ ପ୍ରଶାସନର ଓ ୭୫ଭାଗ ସେବାୟତଙ୍କର । ଏବେ ପରିମାଣିକ ଓ ସାହାଣମେଲା ଦର୍ଶନ ବନ୍ଦ ରହିଛି । ଅର୍ଥାତ ଏହି ସମୟରେ ପିଣ୍ଡିକା ଆଦାୟ ବନ୍ଦ ରହିବା କଥା । ହେଲେ ବାହାରକାଠ ଓ ଭିତର କାଠ ନିକଟରେ ଗଡ଼ୁ ଓ ଝରି ବସାଇ ଆଦାୟ ହେଉଛି ପିଣ୍ଡିକା । ପିଣ୍ଡିରେ ଦର୍ଶନ ନକରି ପିଣ୍ଡିକା ଦେଉଛନ୍ତି ସାଧାରଣ ଭକ୍ତ । ଯାହା ଶୋଷଣ । ସେହି ଆୟରୁ ପ୍ରଶାସନ ବି ପାଉନାହିଁ । ଫଳରେ ଭକ୍ତଙ୍କୁ ଲୁଟ କରାଯାଉଛି । ପ୍ରଶାସନ ଏ ଲୁଟକୁ ଜାଣି ବି ନୀରବ । କାହିଁକି? ଅନ୍ୟପକ୍ଷରେ ପିଣ୍ଡିକା ଓ ସାହାଣମେଲା ଦର୍ଶନ ବନ୍ଦ ରହିଥିବାରୁ ସେବାୟତଙ୍କର କ୍ଷତି ହେଉଥିବା ଦର୍ଶାଇ ପ୍ରଶାସନ ସେବକଙ୍କୁ ଦୁଇଗୁଣ ପାଉଣା ଦେଉଛି । ଯାହା ଅର୍ଥଶ୍ରାଦ୍ଧ କହିଲେ ଅତ୍ୟୁକ୍ତି ହେବନାହିଁ । ପରିମାଣିକ ଓ ସାହାଣମେଲା ଦର୍ଶନ ବନ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ଆଳ କରୁଛି ପ୍ରଶାସନ । ତେବେ ଜଗମୋହନ ମରାମତି ବେଳେ ଏହି ଦୁଇଟି ଦର୍ଶନ ବ୍ୟବସ୍ଥା ବନ୍ଦ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା । ଜଗମୋହନ ମରାମତି କାମ ୨୦୧୬ରୁ ସରିଲାଣି । ଏପର୍ଯ୍ୟନ୍ତ କାହିଁକି ବନ୍ଦ ଥିବା ସାଧାରଣ ଦର୍ଶନକୁ ଆରମ୍ଭ କରାଯାଉନାହିଁ । ଏହା ପଛରେ କି ରହସ୍ୟ ରହିଛି? ଭକ୍ତଙ୍କୁ ଠାକୁରଙ୍କ ଠାରୁ ଦୂରେଇ ରଖିବା ପଛରେ କି ଉଦ୍ଦେଶ୍ୟ ରହିଛି? ଏହା ପଛରେ କାହାର ରହିଛି ଷଡ଼ଯନ୍ତ୍ର? ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ବଢ଼ୁଥିବା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷାର ଠିକା ନେଇଥିବା ସଂସ୍ଥାମାନେ ତୁନି ରହିବା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି । ସରକାର ଭକ୍ତଙ୍କ ପ୍ରତି କରୁଥିବା ଅବିଚାର ତୁରନ୍ତ ବନ୍ଦ ହେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *