Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ରତ୍ନଭଣ୍ଡାର ଓ ଗର୍ଭଗୃହ

ପୁରୀ (ଦ କୁଇଭର): ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହୋଇନାହିଁ, ରତ୍ନସିଂହାସନ ଉପରୁ ପ୍ଲାଷ୍ଟର ଖସିବା ଆଦୌ ପ୍ରସଙ୍ଗ ନୁହେଁ । ତାହା ହେଲେ ବଡ଼ ଦେଉଳର ଆଉ କି ପ୍ରସଙ୍ଗ ରହିଛି? ଏହାକୁ ଯଦି ଗୌଣ ବୋଲି ଧରାଯାଉଛି, ତେବେ ପ୍ରମୁଖ ସମସ୍ୟା କ’ଣ? କ’ଣ ପାଇଁ ଶନିବାରର ଗୁରୁତ୍ୱପୂର୍ଣ୍ଣ ବୈଠକ? ଅଫିସରମାନେ ଶ୍ରୀମନ୍ଦିର ସମସ୍ୟା କଥା ଆଲୋଚନା କରୁଥିଲେ ନା ସରକାରଙ୍କ ବୋଲକରା ଭାବେ ସେଠାରେ ବସି ଲିଖିତ କାଗଜ ପଢ଼ୁଥିଲେ? ଏପରି ପ୍ରଶ୍ନ ଭକ୍ତ ଓ ବୁଦ୍ଧିଜୀବୀଙ୍କ ମହଲରୁ ଆସିବା ସ୍ୱାଭାବିକ । ହେଲେ ଏହାର ଉତ୍ତର ନାହିଁ ।

ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ତାହା ପୁଣି ଥିଲା ବଡ଼ ଦେଉଳ ରକ୍ଷଣାବେକ୍ଷଣ ପ୍ରସଙ୍ଗରେ । ହାଇକୋର୍ଟଙ୍କ ଆମିକସ କ୍ୟୁରି ଆସିଥିଲେ । ତାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସକ, ଏଏସଆଇ କୋର କମିଟି ସଦସ୍ୟ ଏନସି ପାଲ, ଏଏସଆଇ ଅଧିକ୍ଷଣ ଯନ୍ତ୍ରୀ ଅରୁଣ ମଲ୍ଲିକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଚାଲିଥିଲା ବଡ଼ଦେଉଳ ମରାମତି ସମ୍ପର୍କରେ ଆଲୋଚନା । ଆଲୋଚନା ଆରମ୍ଭ ହେଲା, ଆରମ୍ଭରୁ କାଗଜପଢ଼ା ହେଲା । କାଗଜରେ ଲେଖାଯାଇଥିବା ବଡ଼ ଦେଉଳର ସ୍ଥିତି ସମସ୍ତେ ପଢ଼ିଲେ । ଜଗମୋହନ ମରାମତିର ଯାଞ୍ଚ କରାଯିବା, ନାଟମଣ୍ଡପ ବିମ୍ ଯାଞ୍ଚ ହେବା ଉପରେ ଆଲୋଚନା କରାଗଲା । କାଗଜ ଲେଖାରୁ କେହି ବି ଆଗକୁ ଟପିଲେ ନାହିଁ । ଆଲୋଚନାର ମାତ୍ର କେଇପଦ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ । ଆସନ୍ତା ୨୭ ତାରିଖ ସରକାର ଏହା ଉପରେ ବୈଠକ କରିବାକୁ ଥିବାରୁ ସମସ୍ତେ ତୁନି ପଡ଼ିଲେ । ବୈଠକ ସାରି ବାହାରିଲେ ଅଧିକାରୀମାନେ ।

Ratna Bhandar Update : No More Discussion About Jagannath Temple Ratna Bhandar in Puri | THE Quiver

ଆମିକସ କ୍ୟୁରି ଆଲୋଚନା ସମ୍ପର୍କରେ ସୂଚନା ଦେଲେ । କହିଲେ, ରତ୍ନଭଣ୍ଡାର କଥା ଅଳ୍ପ ଆଲୋଚନା ହେଲା । ସରକାର ଏହା ଉପରେ ନିଷ୍ପତ୍ତି ନେବେ । ସେଥିପାଇଁ ସେ ପ୍ରସଙ୍ଗ ସ୍ଥଗିତ ରହିଲା । ଏହାପରେ ବୈଠକ ସମ୍ପର୍କରେ ସୂଚନା ଦେଲେ ବୈଷୟିକ କମିଟି ସଦସ୍ୟ ଏନସି ପାଲ । ସେ ବୈଠକ ସମ୍ପର୍କରେ ଯେଉଁ ସୂଚନା ଦେଲେ ତାହା ବଡ଼ ଦେଉଳ ପ୍ରତି ଅଫିସରଙ୍କ ଖାମଖିଆଲିକୁ ପଦାରେ ପକାଇ ଦେଲା ।

ବଡ଼ ଦେଉଳ ଭିତରେ ରତ୍ନଭଣ୍ଡାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ମହାପ୍ରଭୁଙ୍କ ରତ୍ନଅଳଙ୍କାର ଥିବା ଭଣ୍ଡାର ଅସୁରକ୍ଷିତ । ସେମାନେ ୨୦୧୮ରୁ ରିପୋର୍ଟ ଦେଇଛନ୍ତି । ସେତେବେଳେ ପାଣି ଗଳୁଥିଲା, କାନ୍ଥ ଓଦା ଥିବା କୁହାଗଲା । ୪ବର୍ଷ ପରେ ସେ ପ୍ରସଙ୍ଗ ଉପରେ ଉଁ କି ଚୁଁ ଆଲୋଚନା ହେଲାନାହିଁ ତାହାପୁଣି ହାଇକୋର୍ଟଙ୍କ ପ୍ରତିନିଧି, ଏଏସଆଇ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କ ଉପସ୍ଥିତି ସତ୍ତେ୍ୱ । ଏଥିପାଇଁ ବୋଧ ହୁଏ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଆବଶ୍ୟକ ହୋଇଥିବ, ତେଣୁ ଅଫିସରମାନେ ନୀରବ ରହିଲେ । ଏହାପରେ ଯଦି ଦେଖିବା, ଗର୍ଭଗୃହର ରତ୍ନବେଦୀ ଉପରୁ ପଥର ଓ ପ୍ଲାଷ୍ଟର ଖସିଲା । ବଡ଼ଠାକୁରଙ୍କ ଶ୍ରୀଅଙ୍ଗ ନିକଟରେ ପଡ଼ିଥିଲା । ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗ ଏହି ବୈଠକ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ? ଯଦି ବଡ଼ ଦେଉଳର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ବୈଠକରେ ଗୁରୁତ୍ୱ ରଖୁନାହିଁ, ତେବେ ସେ ବୈଠକ କ’ଣ ପାଇଁ ଥିଲା? ଅଫିସରମାନଙ୍କର ଏହା ଖାମଖିଆଲି ନୁହେଁ କି? ବଡ଼ଦେଉଳ ପ୍ରତି ଏତେ ଖାମଖିଆଲି କିପରି କରିପାରୁଛନ୍ତି ଅଫିସରମାନେ? କେମିତି ଆସୁଛି ଏତେ ଆସ୍ପର୍ଦ୍ଧା? ବଡ଼ଦେଉଳ ପ୍ରତି ଏତେ ଅବହେଳା ଯଦି ବିପଦ ଆଣେ କିଏ ଦାୟୀ ରହିବେ? ଏହାର ଉତ୍ତର ଜନତାଙ୍କ ଆଗରେ ରଖାଯିବା ଉଚିତ ନୁହେଁ କି?

Exit mobile version