ମଳ-ମଇଳା ଭିତରେ ପ୍ରସାଦ ବିତରଣ

ଭୁବନେଶ୍ୱର (ଦ କୁଇଭର): ଚାରିଆଡ଼େ ମଳ ଓ ମଇଳା, କର୍ଦ୍ଦମାକ୍ତ ପୂରା ଅଞ୍ଚଳ । କାଦୁଅ ପଚପଚ ହେଉଛି । ତାହା ଭିତରେ ରହୁଛି ପବିତ୍ର ପ୍ରସାଦ । ତାହା ପୁଣି ରାଜଧାନୀର ପ୍ରସିଦ୍ଧ ଶ୍ରୀଅନନ୍ତ ବାସୁଦେବଙ୍କ ପ୍ରସାଦ । ଗାଁ ହେଉ କି ସହର, ରାଜ୍ୟର ପ୍ରତିଟି କୋଣରେ ଶ୍ରୀଅନନ୍ତବାସୁଦେବ ପ୍ରସାଦ ପ୍ରତି ରହିଛି ଅନେକ ଆବେଗ । ବିବାହ ହେଉ କି ବ୍ରତ, ଘର ପ୍ରତିଷ୍ଠା ଠାରୁ ଘର ପୂଜା ବା ଓଷା-ବ୍ରତ ସବୁବେଳେ ରାଜଧାନୀ ବାସୀ ବା ଅନ୍ୟମାନେ ଏହି ପ୍ରସାଦର ଆବଶ୍ୟକତା କରିଥାନ୍ତି । ଏବେ ଆସନ୍ତୁ ଟିକେ ନଜର ପକେଇବା ମନ୍ଦିର ମାଳିନୀ ସହର ଭୁବନେଶ୍ୱର ରେ ଥିବା ଅନନ୍ତ ବାସୁଦେବ ମନ୍ଦିର ରୋଷ ଘର ପାର୍ଶ୍ଵ ରେ ଲାଗିକି ଥିବା ଜାଗା ଉପରେ, ଦେଖନ୍ତୁ ଇଏ ହେଉଛି ସେହି ଜାଗା ର ଦୃଶ୍ୟ ଯେଉଁଠାଁରୁ ପ୍ରତ୍ୟେହ ଶ୍ରଦ୍ଧାଳୁ ‘ଅର୍ଣ୍ଣ ପ୍ରସାଦ’ ନେଇକି ଯାଆନ୍ତି । ଭିଡିଓ ରୁ ସ୍ପଷ୍ଟ ବାରି ହୋଇ ଯାଉଛି ସେ ସ୍ଥାନ ର ଦୟନୀୟ ଅବସ୍ଥା ।

ଯୁଆଡେ ଦେଖିବେ ଖାଲି ମଳ ଓ ମଇଳା ସାଙ୍ଗକୁ ମାଛି ଭଣ ଭଣ, ହେଲେ ଏହା ଉପରେ କାହାର ଦୃଷ୍ଟି ନାହିଁ । ନାଁ ବି ଏମ ସି କର୍ତ୍ତୃପକ୍ଷଙ୍କ ର ନାଁ ଆର୍କଲୋଜିକାଲ ଡିପାର୍ଟମେଣ୍ଟର । ସ୍ଥାନିୟ ଲୋକ ଏବଂ ସେବାୟତଙ୍କ କହିବା ଅନୁଯାୟୀ ଏହାର ପାର୍ଶ୍ଵ ରେ ଥିବା ଟୁରିଷ୍ଟ ବସ ଷ୍ଟାଣ୍ଡ ରୁ ତୀର୍ଥ ଯାତ୍ରୀ ମାନେ ଆସି ସକାଳେ ଏଠାରେ ମଳତ୍ୟାଗ କରିବା ସହିତ ପବିତ୍ର ବିନ୍ଦୁ ସାଗର ରେ ଶୌଚକର୍ମ କରୁଛନ୍ତି । ଯାହା ଫଳରେ ସେହି ସ୍ଥାନ ରେ ଠିଆ ହେବା ତ ଦୂର ର କଥା ସେହି ପାର୍ଶ୍ଵ ଦେଇ ଚାଲି ଗଲେ ଦୁର୍ଗନ୍ଧ ରେ ନାକ ଫାଟିପଡ଼ୁଛି । ଆଉ ସେଠାରେ ହିଁ ପବିତ୍ର ଅନନ୍ତ ବାସୁଦେବଙ୍କ ପ୍ରସାଦ ରଖାଯାଉଛି ଓ ଭକ୍ତ ବା ଶ୍ରଦ୍ଧାଳୁଙ୍କ ନିକଟକୁ ଯାଉଛି । ଅତି କର୍ଦ୍ଦମାକ୍ତ ଅଞ୍ଚଳରେ ପ୍ରସାଦ ରଖାଯାଇ ପଠାଯାଉଛି ।

ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ବା ବିତରଣ ଉପରେ ଏବେ କାଳେ ବିଏମସି କଡ଼ା ନଜର ଦେଉଛି । ବିଏମସିର ନୂଆ ମେୟର ସୁଲୋଚନା ଦାସ କ୍ଷମତାକୁ ଆସିବା ପରେ ଖାଦ୍ୟ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛନ୍ତି । ରାସ୍ତା କଡ଼ରେ ଥିବା କିଶୋର ମଟନ ଦୋକାନକୁ ଭାଙ୍ଗି ମେୟର ତାଙ୍କ ପାରିବା ପଣିଆ ଦେଖାଇଛନ୍ତି । ତାହା ଯଦି ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଓ ନିମ୍ନମାନର ତେବେ ଭାଙ୍ଗିବା ସ୍ୱାଗତଯୋଗ୍ୟ । ଅନ୍ୟ ଫାଷ୍ଟଫୁଡ ଦୋକାନରେ ଚଢ଼ାଉ ବି କରୁଛନ୍ତି । ହେଲେ ଶ୍ରୀଅନନ୍ତ ବାସୁଦେବଙ୍କ ପ୍ରସାଦ ବିତରଣ ପ୍ରତି ଧ୍ୟାନ କାହିଁକି ଦେଉନାହାନ୍ତି ମେୟର ମହାଶୟା ? ନା ସେଠାକୁ ନଜର ପକାଇବାକୁ ଡରୁଛନ୍ତି କି ? ସେଠାରେ ମନ୍ଦିର ବିକାଶ କାର୍ଯ୍ୟ ସିଧା ସଳଖ ସରକାର ଦେଖୁଥିବାରୁ ସେଠାରେ ହସ୍ତକ୍ଷେପ କରିବାକୁ ପଛାଉଛନ୍ତି କି ମେୟର ? ଏଭଳି ଅନେକ ପ୍ରଶ୍ନ ରହିଛି । ଯଦି ବାସ୍ତବରେ ଖାଦ୍ୟ ପ୍ରସ୍ତୁତି ଓ ବିତରଣକୁ ସ୍ୱାସ୍ଥ୍ୟକର କରିବାକୁ ମେୟର ଚାହୁଁଛନ୍ତି, ତେବେ ପ୍ରଥମେ ଅନନ୍ତ ବାସୁଦେବ ମନ୍ଦିର ପ୍ରସାଦ ବିତରଣ ଅଞ୍ଚଳକୁ ସ୍ୱଚ୍ଛ କରି ତାଙ୍କ ପାରିବା ପଣିଆର ପରିଚୟ ଦିଅନ୍ତୁ । ଦବ ମନ୍ଦିର ପ୍ରସାଦ ବିତରଣ ଅଞ୍ଚଳକୁ ସ୍ୱଚ୍ଛ କରି ତାଙ୍କ ପାରିବା ପଣିଆର ପରିଚୟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *