ଘର ନାହିଁ, ଗୁହାଳେ ବଞ୍ଚୁଛନ୍ତି

ଯାଜପୁର (ଦ କୁଇଭର): ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ ହୁଅନ୍ତୁ ବା ଆମ ସରକାର ପାରିବା ପଣିଆ । ଆଜି ବି ଲୋକେ ଗୁହାଳ ଘରେ ଜୀବନ ବିତଉଛନ୍ତି । ଯେଉଁଠି ଗାଇ ମଇଁଷି ଛେଳି ରହିବା କଥା ସେଠି ରହୁଛନ୍ତି ମଣିଷ । ସମସ୍ତଙ୍କୁ ପକ୍କା ଘର ନାରା, କେନ୍ଦ୍ର ଓ ରାଜ୍ୟ ସରକାର ଦେଉଛନ୍ତି । କିନ୍ତୁ ବାସ୍ତବ ହିତାଧିକାରୀଙ୍କ ପାଖରେ ଘର ଖଣ୍ଡେ ନାହିଁ । ଏତେ ବେଫିକର ଆମ ପ୍ରସଶନିକ ବ୍ୟବସ୍ଥା । ସରକାର ଗରିବଙ୍କ ପାଇଁ ଯୋଜନା କରି ସେଥିରେ ସେମାନଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ହେଲେ କାର୍ଯ୍ୟକାରୀ କରୁନାହାନ୍ତି ବାବୁମାନେ । ବ୍ଲକ ଆଉ ତହସିଲରେ ସରକାରୀ ନିଦ୍ଦେଶକୁ କିପରି ଗୋଡରେ ଦଲି ଦିଆଯାଉଛି ଏ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ଯେଉଁଠି ଯୋଗ୍ୟଙ୍କୁ ମିଳୁନି ଆଯୋଗ୍ୟଙ୍କୁ ଯାଚିଗୁଞ୍ଜି ଦେଉଛନ୍ତି । ଫଳରେ ଯୋଗ୍ୟ ହିତାଧିକାରୀ ବା ଅସଲ ଗରିବଙ୍କ ପାଇଁ ପକ୍କା ଘର ହେଇଯାଉଛି ସ୍ୱପ୍ନ । ଏ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତ ଅନ୍ତର୍ଗତ ଭଅଁରା ଗ୍ରାମର ସୁଶାନ୍ତ ଜେନା । ପରିବାର କହିଲେ ଦୁଇ ପୁଅ, ଗୋଟେ ଝିଅ ଓ ସ୍ତ୍ରୀକୁ ନେଇ ତେଲ ଲୁଣର ସଂସାର । ଭଙ୍ଗା ଦଦରା ଘର ହିଁ ପାଲଟିଥିଲା ସୁଶାନ୍ତଙ୍କ ଘର । ଦୁଇ ବର୍ଷ ତଳେ ଆସିଥିବା ବନ୍ୟା ସୁଶାନ୍ତଙ୍କ ମାଟି ଘରକୁ ଅଧା ଭାଙ୍ଗି ଦେଇଥିଲା । ତେଣୁ ପାଲ ଟାଣି ୫ ପ୍ରାଣୀ ସେହି ଅଧାଭଙ୍ଗା ଘରେ ଆଶ୍ରୟ ନେଇଥିଲେ । କିନ୍ତୁ ଗତ କିଛି ମାସ ହେବ ସେହି ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଛି । ମୁଣ୍ଡ ଉପରେ ପକ୍କା ଘର ଟିଏ ନଥିବାରୁ ପଡୋଶୀଙ୍କ ଗୁହାଳ ଘରେ ଆଶ୍ରୟ ନେଉଛନ୍ତି । ଏହି ଦୃଶ୍ୟ ଦେଖି ଆପଣ ସ୍ପଷ୍ଟ ଜାଣିପାରୁଥିବେ, ଛୋଟ ଛୋଟ ପିଲାଙ୍କୁ ଧରି ବିପଦ ପୂର୍ଣ୍ଣ ଅବସ୍ଥାରେ ଗୁହାଳ ଘରେ ରହିବା କେତେ କଷ୍ଟକର ।

ସରକାର ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ଯୋଗାଇ ଦେବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । ଏଥିପାଇଁ ଲମ୍ବା ତାଲିକା ମଧ୍ୟ ଦେଖାଉଛନ୍ତି । କିନ୍ତୁ ଏହା ଯୋଗ୍ୟ ହିତାଧିକାରୀଙ୍କ ପାଖରେ କେତେ ପହଞ୍ଚିପାରୁଛି, ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି । ଅନେକ ସ୍ଥାନରେ ଦଳୀୟ ଭିତ୍ତିରେ ପକ୍କା ଘର ବଣ୍ଟାଯାଉଥିବା ଅଭିଯୋଗ ହେଉଛି । ପ୍ରକୃତ ଯୋଗ୍ୟ ହିତାଧିକାରୀ ଅନେକାଶଂରେ ଏହାର ସୁଫଳ ପାଇପାରୁନାହାନ୍ତି । ସୁଶାନ୍ତ ପ୍ରାଧନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ଖଣ୍ଡେ ପାଇଁଁ ଦୀର୍ଘ ଦିନ ହେବ ସରପଞ୍ଚଠୁ ଆରମ୍ଭ କରି ବିଭିନ୍ନ ରାଜନେତାଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି । ହେଲେ ଫଳ ଶୂନା । ଶେଷରେ ସେ ବାଧ୍ୟ ହୋଇ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି । ତେଲିଆ ମୁଣ୍ଡରେ ତେଲ ଢାଳିବା ପରିବର୍ତ୍ତେ ଗରିବଙ୍କୁ କିଛି ମିଳୁ ବୋଲି ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *