ଶ୍ରୀମନ୍ଦିର କରିଡର ପ୍ରକଳ୍ପ: ଚିତା କାଟିଦେଲେ ଅଫିସର

FILE PHOTO

ପୁରୀ (ଦ କୁଇଭର): ଦୂର ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅର୍ନ୍ତଃଗତ ଅଭ୍ୟର୍ଥନ କକ୍ଷ ନିର୍ମାଣ ଦ୍ୱନ୍ଦ । ନିଷିଦ୍ଧାଞ୍ଚଳରେ ନିର୍ମାଣ ହେବ ଅଭ୍ୟର୍ଥନା କକ୍ଷ । ଯାହାକୁ ସର୍ତ୍ତମୂଳକ ଅନୁମତି ଦେଇଛି ନ୍ୟାସନାଲ୍ ମନୁମେଣ୍ଟ ଅଥୋରିଟି ବା ଏନଏମଏ । ଏନଏମଏର ସର୍ତ୍ତ ଅନୁଯାୟୀ, ଏହି ପ୍ରକୋଷ୍ଠ ୨ ମହଲାରୁ ଅଧିକ ହୋଇପାରିବ ନାହିଁ । ଅଭ୍ୟର୍ଥନା କକ୍ଷ ମନ୍ଦିର ଠାରୁ ୧୦୧ ଦଶମିକ ୫୦ ମିଟର ଦୂରତାରେ ରହିବ । ଏହାସହ ନିର୍ମାଣ କାର୍ଯ୍ୟରେ ବଡ଼ ବଡ଼ ମେସିନ୍ ବ୍ୟବହାର ନିଷେଧ ଓ ଖୋଳିବା ପାଇଁ ମେସିନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଅର୍ଥାତ୍ ପାରମ୍ପରିକ ଶୈଳିରେ ହେବ ଖୋଳିବା କାମ । ଏଭଳି କିଛି ସର୍ତ୍ତ ରଖି ଅନୁମୋଦନ ଦେଇଛି ଏନଏମଏ । ଏହାର ନିର୍ମାଣ ପାଇଁ ତ ଆରୁରି ଅଧିକ ଅଞ୍ଚଳ ଭଙ୍ଗାଯିବ, ତାହା ଭିନ୍ନ କଥା । ଆମେ ବର୍ତ୍ତମାନ ଏଠି ପ୍ରଶ୍ନ ଉଠାଉଛି, ନିଷିଦ୍ଧାଞ୍ଚଳରେ କରାଯାଇଥିବା ନିର୍ମାଣ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଦିନ ରାତି କାମ କରି ନିଷିଦ୍ଧାଞ୍ଚଳରେ ବଡ଼ ବଡ଼ କଂକ୍ରିଟ୍ ପିଲାର ଉଠାଇଦେଲେ ଆଉ ନିର୍ମାଣ କରିଦେଲେ । ସେ ନିର୍ମାଣ ସରିଯାଇଛି । ବେସ୍ ପଡ଼ିଯାଇଛି । ଆଉ ତା ଉପରେ ଏନଏମଏ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇପାରୁଛି ନା ଏଏସଆଇ ।

କାରଣ ଏନଏମଏ ଆଉ ଏଏସଆଇର ସର୍ତ୍ତ ଭିତରେ ରହିଛି ଉଚ୍ଚ କ୍ଷମତାଶାଳୀ ମେସିନ୍ ବ୍ୟବହାର ହେବ ନାହିଁ । ବର୍ତ୍ତମାନ ନିର୍ମାଣ ସରିଥିବା କଂକ୍ରିଟ୍ ପିଲରକୁ ଭାଙ୍ଗିବା ପାଇଁ ମେସିନ୍ ଦରକାର । ଯେହେତୁ ଆଇନ୍ ଅନୁମୋଦନ କରୁନାହିଁ । ତେଣୁ ଏହା ଆଉ ଭଙ୍ଗା ହୋଇପାରିବ ନାହିଁ । ସରକାର ଯେତିକି ନିର୍ମାଣ କରିବା କଥା, ତାହା ନିର୍ମାଣ କରିଦେଇଛନ୍ତି । ବେସ୍ ପକାଇ ଦେଇଛନ୍ତି । ଏହାପରେ ତାଙ୍କ ଯୋଜନା ଅନୁସାରେ ନିର୍ମାଣ କରିପାରିବେ । ସରକାରଙ୍କୁ ଆଉ ଏନଏମଏ ଅଟକାଇପାରିବ ନାହିଁ । ଏଇ ଯେଉଁ ସ୍ଥିତିକୁ ଦେଖିଲେ, ଏହା ଆମେ ସ୍ପଷ୍ଟ କରିଦେଉଛି, ଏନଏମଏ ହୁଅନ୍ତୁ ବା ଏଏସଆଇର ଯନ୍ତ୍ରୀ ହୁଅନ୍ତୁ । ଆଇନ ପରିଚାଳନା କରିବା ପାଇଁ ସେହି ଯନ୍ତ୍ରୀମାନେ ହିଁ ଅଛନ୍ତି । ଆଉ ଏଠି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଅନେକ ବରିଷ୍ଠ ଆଇଏସ ମାନଙ୍କର ବୁଦ୍ଧି ରହିଛି । ତାଙ୍କ ବୁଦ୍ଧିରେ ଆଇନକୁ ଭାଙ୍ଗିଦେଇ ଏନଏମଏକୁ ଚିତା କାଟିଦେଉଛନ୍ତି ।

ସ୍ପଷ୍ଟ ଭାବେ କହିବାକୁ ଗଲେ, ଇଞ୍ଜିନିୟରଙ୍କ ବୁଦ୍ଧି ଆଉ ଆଇନ ବ୍ୟବସ୍ଥାକୁ ଅଭିଜ୍ଞ ଆଇଏଏସମାନେ ଧୂଳି ଚଟାଇ ଦେଇଛନ୍ତି । ସେମାନେ ଚାହିଁଲେ ଆଇନକୁ କାର୍ଯ୍ୟକାରୀ କରନ୍ତି ନହେଲେ ଟିକେ ହଟିଯାଇ ଆଇନକୁ ବି ଭୂଆଁ ବୁଲାଇ ଦିଅନ୍ତି । ଯାହାର ନଗ୍ନ ନମୁନା ଶ୍ରୀମନ୍ଦିର କରିଡ଼ର ପ୍ରକଳ୍ପରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣରେ ଦେଖିବାକୁ ମିଳିଲା । ନିଷିଦ୍ଧାଞ୍ଚଳରେ ନିର୍ମାଣକୁ ଆଇନରେ ବାରଣ କରାଯାଇଛି । ଆଉ ଏକଥା ସାଧାରଣ ଇଞ୍ଜିନିୟର ଠାରୁ ଆରମ୍ଭ କରି ବରିଷ୍ଠ ଆଇଏଏସ ଓ ରାଜନେତାମାନେ ଭଲଭାବେ ଜାଣିଛନ୍ତି । ସାଧାରଣ ଲୋକେ ବି ଏକଥା ଜାଣିଗଲେଣି । ଏବେ ସେହି ନିଷିଦ୍ଧାଞ୍ଚଳରେ ବେଶ୍ ଭଙ୍ଗାରୁଜା କରିଦେଲେ ସରକାର । ପ୍ରଚୀନ ଐତିହ୍ୟକୁ ଭାଙ୍ଗି ମାଟିରେ ମିଶାଇ ଦେଲେ । ପୁରା ଅଞ୍ଚଳ ସଫା କରିଦେଲେ ।

ସେତିକିରେ ସୀମିତ ରହିଲେନି, ଆଇନକୁ ଭାଙ୍ଗି ନିଷିଦ୍ଧାଞ୍ଚଳରେ ବଡ଼ ବଡ଼ ଗାତ ଖୋଳି ନିର୍ମାଣ ବି କରିଦେଲେ । ତା ପରେ ଉଠିଲା ବିବାଦ । ମାମଲା କୋର୍ଟକୁ ଗଲା । ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ବେଳେ ମାମଲା ସୁପ୍ରିମକୋର୍ଟକୁ ମଧ୍ୟ ଗଲା । ସୁପ୍ରିମକୋର୍ଟ ବର୍ତ୍ତମାନ ସ୍ଥିତି ଉପରେ କୌଣସି ଟିପ୍ପଣି ବା ମତାମତ ଦେଲେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ହୋଇଯାଇଛି, ତାହା ମଧ୍ୟରେ କିଛି କରାଯାଇପାରିବ ନାହିଁ ବୋଲି ଆସିଲା ରାୟ । ଏହାପରେ ପୁନଃ ଆବେଦନ କଲେ ସରକାର । ପ୍ରକଳ୍ପରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରିବାକୁ ଏନଏମଏ ସର୍ତ୍ତମୂଳକ ଅନୁମତି ଦେଲା । ଆଉ ଏଥିରୁ ସ୍ପଷ୍ଟ ହୋଇଗଲା ଏନଏମକୁ ବରିଷ୍ଠ ଆଇଏଏସ ଅଧିକାରୀମାନେ ଚିତା କାଟିଦେଇଛନ୍ତି ।

Leave a Reply

Your email address will not be published. Required fields are marked *