Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଅର୍ଚ୍ଚନା କେଳେଙ୍କାରୀ: କାହିଁକି ଚୁପ୍ ନେତାମନ୍ତ୍ରୀ ?

FILE PHOTO

ଭୁବନେଶ୍ୱର(ଦ କୁଇଭର): ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଦୋଷ କ’ଣ ଖାଲି ଅର୍ଚ୍ଚନାଙ୍କର? ଅର୍ଚ୍ଚନା ନେତା, ମନ୍ତ୍ରୀ, ଅଫିସର ଓ ଶିଳ୍ପପତିମାନଙ୍କୁ ଡାକିଥିଲେ । କିନ୍ତୁ ପ୍ରଶ୍ନ ହେଉଛି, ଏମାନେ ଯାଇଥିଲେ କାହିଁକି? ସେମାନେ ତାଙ୍କ ସହିତ ଏକାଧିକ ଫଟୋ କାହିଁକି ଉଠାଇଥିଲେ? ଅର୍ଚ୍ଚନାଙ୍କ ସାଙ୍ଗରେ ଏମାନଙ୍କର ସମ୍ପର୍କ କ’ଣ? ଅର୍ଚ୍ଚନାଙ୍କ ସହ କେମିତି ଏମାନଙ୍କର ଏତେ ନିବିଡତା ବଢିଥିଲା ଯେ, ସେମାନେ ତାଙ୍କ ଘରକୁ ବାରମ୍ବାର ଯାଉଥିଲେ । ଏ ପ୍ରସଙ୍ଗରେ କାହିଁକି ମୁହଁ ଖୋଲୁନାହାନ୍ତି ନେତାମାନେ?

ଯଦି ଏହି ନେତାମାନଙ୍କୁ ଟିକେ ଦେଖିବା, ତେବେ ଏମାନଙ୍କ ମଧ୍ୟରୁ ପ୍ରଥମେ ଆସିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ ଅର୍ଚ୍ଚନାଙ୍କ ଘରକୁ ଯାଇ ଏକାଧିକ ଫଟୋ ଉଠାଇଥିଲେ । ହେଲେ କାହିଁକି? ଅର୍ଚ୍ଚନା ବିଧାନସଭାର କୌଣସି କର୍ମଚାରୀ ନୁହଁନ୍ତି କି ଗଣମାଧ୍ୟମର ପ୍ରତିନିଧି ବି ନୁହଁନ୍ତି । ତେବେ କାହିଁକି ସେ ବିଧାନସଭା ଭିତରେ ବାଚସ୍ପତିଙ୍କ ଚ୍ୟାମ୍ବରରେ ପଶି ତାଙ୍କ ସହ ଫଟୋ ଉଠାଇଥିଲେ । ଏକଥା କାହିଁକି ସୂର୍ଯ୍ୟ ପାତ୍ର ସ୍ପଷ୍ଟ କରୁନାହାନ୍ତି? ସୂର୍ଯ୍ୟ ପାତ୍ର କାହିଁକି ତାଙ୍କ ଘରକୁ ଯାଇଥିଲେ? ଅର୍ଚ୍ଚନାଙ୍କ ସହ ତାଙ୍କର କ’ଣ ସମ୍ପର୍କ ? କାହିଁକି ଯାଇଥିଲେ ଓ କେତେ ଥର ଯାଇଥିଲେ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଏହାର ଉତ୍ତର ମଧ୍ୟ ସୂର୍ଯ୍ୟ ପାତ୍ର ଦେବା କଥା । କିନ୍ତୁ ସେ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ।

ତା ପରେ ଦେଖିବା କନକ ବର୍ଦ୍ଦନ ସିଂ ଦେଓ । ବିଜେପିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ । ତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି । ଅର୍ଚ୍ଚନାଙ୍କ ସହିତ କନକ ବର୍ଦ୍ଧନଙ୍କ କ’ଣ ସମ୍ପର୍କ ଥିଲା? ଏ ପ୍ରଶ୍ନ ସାଧାରଣରେ ଆସିବା ସ୍ୱଭାବିକ । ଯେହେତୁ ସେ ଜନପ୍ରତିନିଧି, ତେଣୁ ଏ ପ୍ରଶ୍ନର ଉତ୍ତର ଜନତାଙ୍କୁ ଦେବା ଦରକାର ଯେ, ବିବାଦୀୟ ମହିଳାଙ୍କ ସହ ତାଙ୍କର କ’ଣ ସମ୍ପର୍କ ଥିଲା? କେଉଁଠି ତାଙ୍କ ସହ ଅର୍ଚ୍ଚନା ଫଟୋ ଉଠାଇଥିଲେ? ସେହିଭଳି ଯଦି ଦେଖିବା ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତା ଦିଲ୍ଲୀପ ରାୟ ଓ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି । ଆଉ ଟିକେ ଦେଖିବା, ଏବେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ପ୍ରତାପ ଜେନା । ଯିଏ ନବୀନ ସରକାରଙ୍କର ଜଣେ ବେଶ୍ ପାରିବାର ମନ୍ତ୍ରୀ ଥିଲେ । ସେ କାଳେ ବାରବାଟୀ ମ୍ୟାଚ୍ ସମୟରେ ୫୦ଟି ପାସ୍ ଅର୍ଚ୍ଚନାଙ୍କୁ ଦେଇଥିଲେ? କାହିଁକି ଦେଇଥିଲେ? ଅର୍ଚ୍ଚନାଙ୍କ ସହ ତାଙ୍କର ସମ୍ପର୍କ କ’ଣ ଥିଲା? ଯଦି ସେ ଦେଇନାହାନ୍ତି କିମ୍ବା ଅର୍ଚ୍ଚନାଙ୍କ ସହ ତାଙ୍କର କୌଣସି ଲିଙ୍କ୍ ନାହିଁ, ତେବେ କାହିଁକି ସେ ସ୍ପଷ୍ଟିକରଣ ଦେଉନାହାନ୍ତି? କ’ଣ ଜଣେ ଜନପ୍ରତିନିଧି ଭାବେ ତାଙ୍କର ଦାୟିତ୍ୱ ନୁହେଁ ଜନତାଙ୍କୁ ସ୍ପଷ୍ଟ କରିବା ।

ସେହିଭଳି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ମଧ୍ୟ ଅଭିଯୋଗ ଆସୁଛି ଯେ, ସେ କାଳେ ଅର୍ଚ୍ଚନାଙ୍କୁ ୩ ଲକ୍ଷ ଟଙ୍କାର ଭ୍ୟାନିଟି ବ୍ୟାଗ୍ ଗିଫ୍ଟ ଦେଇଥିଲେ । ଏହା ପଛରେ କେତେ ସତ୍ୟତା ଅଛି, ତାକୁ ନେଇ କାହିଁକି ମୁହଁ ଖୋଲୁନାହାନ୍ତି କ୍ୟାପଟେନ୍ ? ଏମାନେ ନିରବ ରହିବାର କାରଣ କ’ଣ? ଯେହେତୁ ଅର୍ଚ୍ଚନା ମାମଲା ଏବେ ବିଚରାଧୀନ ରହିଛି, ତେଣୁ ଏମାନେ ସବୁ ଏବେ ତଦନ୍ତ ପରିସରଭୁକ୍ତ ହେବା କଥା । ହେଲେ କମିଶନରେଟ୍ ପୋଲିସର ଦମ୍ ଅଛି କି? ଏମାନଙ୍କୁ ଜେରା କରିପାରିବ ଓ ଜନତାଙ୍କୁ ସ୍ପଷ୍ଟିକରଣ ଦେଇପାରିବ । କାରଣ ପୋଲିସ ବି ସ୍ୱଚ୍ଚ ନୁହେଁ ? ପୋଲିସ ବିଭାଗର କିଛି ଅଧିକାରୀ ମଧ୍ୟ ଅର୍ଚ୍ଚନାଙ୍କ ଲିଙ୍କରେ ଅଛନ୍ତି । ଯଦି ଏଭଳି ହୁଏ ତେବେ ଲୋକେ ଭରଷା କରିବେ କାହାକୁ ? ଜନପ୍ରତିନିଧିଙ୍କୁ ନା ପୋଲିସ ଅଧିକାରୀଙ୍କୁ । ଏପ୍ରସଙ୍ଗରେ ଦ କୁଇଭର ଚେଷ୍ଟା କରିଥିଲା ଏହି ନେତାମାନଙ୍କୁ ଯୋଗାଯୋଗ କରିବାକୁ, ହେଲେ ସେମାନଙ୍କର ପ୍ରତିକ୍ରିୟା ମିଳିପାରିନଥିଲା । ଅର୍ଥାତ୍ ଏାମାନେ ସବୁ ଏହି ପ୍ରସଙ୍ଗରେ ନିରବ ରହୁଛନ୍ତି ? ହେଲେ କାହିଁକି ? ଜନପ୍ରତିନିଧି ଭାବେ ଏମାନେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଜନତାଙ୍କ ଆଗରେ ରଖିବା ଆବଶ୍ୟକ ।

ଆମକୁ Like, Follow ଏବଂ Subscribe କରନ୍ତୁ……
In Facebook: https://www.facebook.com/THEQuiverOfficial/

Exit mobile version