ସମ୍ପତ୍ତି ତାଲିକାକୁ ଡରୁଛନ୍ତି ସରକାରୀ ବାବୁ

ଭୁବନେଶ୍ୱର (ଦ କୁଇଭର): ସମ୍ପତ୍ତି ତାଲିକାକୁ ଡରୁଛନ୍ତି ସରକାରୀ ବାବୁ । ନିଜ ସମ୍ପତ୍ତିର ଆକଳନ ବି କରିପାରୁନାହାନ୍ତି । କେତେ ଦେଖେଇବେ? କେତେ ଲୁଚେଇବେ? ସେଥିରେ ଧନ୍ଦି ହେଉଛନ୍ତି । କେମିତି ଦେବେ? କେଉଁ ସମ୍ପତ୍ତି ଦେଖେଇବେ? ବେନାମୀରେ ଥିବା ସମ୍ପତ୍ତି କ’ଣ କରିବେ? ଏହି ଚିନ୍ତା ଏବେ ସେମାନଙ୍କୁ ଘାରୁଛି । କୌଣସି ବାଟ ପାଉନଥିବାରୁ ସମୟ ଗଡାଉଛନ୍ତି । ୨୦୨୨ ମସିହା ଶେଷ ହେବାକୁ ବସିଲାଣି କିନ୍ତୁ ୨୦୨୧ର ସମ୍ପତ୍ତି ତାଲିକା ଦାଖଲ କରୁନାହାନ୍ତି ସରକାରୀ ବାବୁ ଓ କର୍ମଚାରୀ । ସରକାରୀ ନିଷ୍ପତ୍ତି ଓ ନିୟମକୁ ଏମାନେ ଗିଳି ଦେଉଛନ୍ତି । ପ୍ରତିବର୍ଷ ଜାନୁଆରୀ ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାର ପ୍ରାବଧାନ ଥିବା ସତ୍ତେ୍ୱ ସରକାରୀ ବାବୁମାନେ ବେଫିକର ।

ବିଶେଷ କରି ଓଡ଼ିଶା ପ୍ରଶାସନର ଅନେକ ବରିଷ୍ଠ ଅଫିସରଙ୍କ ଦି ନମ୍ବରୀ କାରବାର କାଳେ ରହିଛି । ଯାହାଦ୍ୱାରା ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ଆଉ ଏହାକୁ ସର୍ବ ସମ୍ମୁଖରେ ଦେଖାଇଦେଲେ ସରକାରଙ୍କ ସ୍ୱଚ୍ଛତାର ଅସଲ ଚିତ୍ର ପଦାରେ ପଡ଼ିଯିବ । ସେଥିପାଇଁ ହିଁ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲର ସମୟସୀମାକୁ ବାରମ୍ବାର ବଢାଇ ଚାଲିଛନ୍ତି ସରକାର । ଓଡ଼ିଶା ସରକାରରେ ସମସ୍ତ ନେତା, ମନ୍ତ୍ରୀ ଓ ସରକାରୀ ଅଫିସରଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହାସହ କ୍ୟାବିନେଟରେ ମଧ୍ୟ ନିଷ୍ପତ୍ତି ହୋଇଥିଲା । ହେଲେ ଏହାକୁ କେହି ମାନୁନାହାନ୍ତି । ବହୁ ଚାପ ପରେ ମନ୍ତ୍ରୀମାନେ ସେମାନଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କଲେ । ଆଉ ସେ ସମ୍ପତ୍ତି ତାଲିକା କେତେ ସତ, ତାହା ତ ରାଜ୍ୟବାସୀ ଦେଖିଲେ । ହେଲେ ସରକାରୀ ଅଫିସର ଓ କର୍ମଚାରୀମାନେ କିନ୍ତୁ ସମ୍ପତ୍ତି ତାଲିକା ଦେବାକୁ ରାଜି ନୁହନ୍ତି । ହେଲେ କାହିଁକି? କାହିଁକି ସମ୍ପତ୍ତି ତାଲିକା ଦେବାକୁ ବିଳମ୍ବ କରୁଛନ୍ତି ସରକାରୀ ବାବୁ? ସରକାରୀ ବାବୁମାନେ କ’ଣ ସମ୍ପତିର ହିସାବ କରିପାରୁନାହାନ୍ତି? ନା କେଉଁ ସମ୍ପତ୍ତି ଦେଖାଇବେ ଓ କାହାକୁ ଲୁଚାଇବେ ତାହା ସ୍ଥିର କରିପାରୁନାହାନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହେଲାଣି ।

ଓଡ଼ିଶାରେ ହୋଇଥିବା ବେନାମୀ କାରବାର ପଛରେ ରାଜ୍ୟ ପ୍ରଶାସନର ଅନେକ ବରିଷ୍ଠ ଅଫିସରଙ୍କ ଲିଙ୍କ୍ କାଳେ ରହିଛି । ଯାହାଦ୍ୱାରା ଏହି ବାବୁମାନେ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ଯେଉଁଥିପାଇଁ ସେମାନେ ସମ୍ପତ୍ତି ତାଲିକା ଦାଖଲ କରିବାକୁ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି । ବାବୁମାନଙ୍କ ଏହି ଅସଲି ସମ୍ପତ୍ତିର ତାଲିକା ସାମ୍ନାକୁ ଆସିଲେ ସରକାରଙ୍କ ଦୁର୍ନୀତିର ପର୍ଦ୍ଦାଫାସ ହୋଇଯିବାର ଭୟରେ ସରକାର ମଧ୍ୟ ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ ବାରମ୍ବାର ବଢାଇ ଚାଲିଛନ୍ତି । ଆଉ ଏଭଳି ଚାଲିଲେ ରାଜ୍ୟ ସରକାରଙ୍କ ଅନେକ ଅଫିସର ଯେ ର୍ଦୁନୀତିରେ ଲିପ୍ତ ଅଛନ୍ତି, ତାହା ସ୍ପଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *