ପଦ୍ମପୁର ପାଇଁ ବିଜେଡି ପ୍ରସ୍ତୁତ

ପଦ୍ମପୁର (ଦ କୁଇଭର): ଧାମନଗର ଉପନିର୍ବାଚନ ଲଢେଇ ତ ଚାଲିଛି । କିନ୍ତୁ ବିଜେଡି ଏବେ ଫୋକସ୍ କଲାଣି ପଦ୍ମପୁର । ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ସ୍ୱତନ୍ତ୍ର ସରକାରୀ ଯୋଜନା ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୪୮୮ କୋଟି ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ ପଟ୍ଟନାୟକ । ପ୍ୟାକେଜ୍ ଘୋଷଣା କରିବା ପରେ ଏବେ ବିଜେଡିର ଏକ ସାଙ୍ଗଠନିକ ଟିମ୍ ପଦ୍ମପୁରରେ ଡେରା ପକାଇ ସାରିଲେଣି । ଏବେଠୁ ଆରମ୍ଭ କରିଦେଲେଣି ପଞ୍ଚାୟତ ଓ ୱାର୍ଡ ସ୍ତରରେ ନେତାମାନଙ୍କୁ ନିଯୁକ୍ତି । କାରଣ ଧାରମନଗରରୁ ବିଜେଡି ଏଥର ବେଶ୍ କିଛି ଶିଖିଛି । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି, ତେଣୁ ଆଉ ସହଜ ହୋଇପାରିବନି ଉପନିର୍ବାଚନ । ଫିଲ୍ଡରେ ଲଢେଇ ଆଉ ସହଜ ହେବନି । ସେପଟେ ବିଜେପି ମଧ୍ୟ ଯୁଦ୍ଧଂ ଦେହୀ ଡାକରା ଦେଲାଣି । ତେଣୁ ବିଜେଡିକୁ ଏବେ ବେଶ୍ କସରତ କରିବାକୁ ପଡ଼ୁଛି । ଯେଉଁଥିପାଇଁ ପଦ୍ମପୁରରେ ଏବେଠୁ ସଙ୍ଗଠନ ସଜାଡିବାରେ ଲାଗିଲାଣି । ଆଉ ଏଥିରେ ବି ଲିଡ ରୋଲରେ ରହିବେ ପ୍ରଣବ ପ୍ରକାଶ ଦାସ । ବର୍ତ୍ତମାନ ବବିଙ୍କର ଟାର୍ଗେଟ ଧାମନଗର ଆଉ ପଦ୍ମପୁର । ଏହି ୨ଟି ଆସନ କିପରି ହାତେଇବେ, ସେ ନେଇ ଜୋରସୋରରେ ଲାଗିପଡ଼ିଚନ୍ତି ।

ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗ କାରଣରୁ ଏହି ଆସନ ଟି ଖାଲି ପଡ଼ିଛି । ନିର୍ବାଚନ କମିଶନ ଚାହିଁଥିଲେ ଧାମନଗର ଓ ପଦ୍ମପୁର ଆସନ ପାଇଁ ଏକାସାଙ୍ଗରେ ଉପନିର୍ବାଚନ କରାଇପାରିଥାନ୍ତେ । କିନ୍ତୁ କଲେ ନାହିଁ କାହିଁକି, ତାହା ନିର୍ବାଚନ କମିଶନ ହିଁ ଜାଣିଥିବେ । ଆମେ ସେ ପ୍ରସଙ୍ଗକୁ ଯିବାକୁ ଚାହୁଁନାହୁଁ । କଥା ହେଉଛି ହଠାତ୍ ପଦ୍ମପୁର ପ୍ରତି ନବୀନଙ୍କ ଏତେ ବଡ଼ ପ୍ୟାକେଜ୍ ଦେବାର ଅର୍ଥ କ’ଣ? ଯେତେବେଳେ ବିଧାୟକ ସ୍ୱର୍ଗତ ବିଜୟରଞ୍ଜନ ସିଂ ବରିହା ଥିଲେ, ସେତେବେଳେ ଦେଲେ ନାହିଁ କାହିଁକି? ଆଗକୁ ଉପନିର୍ବାଚନ ଥିବାରୁ ଏହା ଏକପ୍ରକାର ନିର୍ବାଚନୀ ଥୋପ ନୁହେଁ ତ? ଏଭଳି ପ୍ରଶ୍ନ ଏବେ ବୁଦ୍ଧିଜୀବୀମାନେ ପଚାରିଲେଣି । ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ତାରିଖ ଯଦିଓ ଘୋଷଣା ହୋଇନାହିଁ, କିନ୍ତୁ ଏଥିପାଇଁ ବିଜେଡି ତାର ଭିତରେ ଭିତରେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କଲାଣି । ମନ୍ତ୍ରୀମାନେ ଘନ ଘନ ପଦ୍ମପୁର ଗସ୍ତ କରୁଛନ୍ତି । ଆଉ ନବୀନ ପଟ୍ଟନାୟକଙ୍କ ଏତେ ବଡ଼ ପ୍ୟାକେଜରୁ ସ୍ପଷ୍ଟ ଜଣାପଡ଼ିଯାଉଛି ବିଜେଡି ପଦ୍ମପୁର ଆସନ ପାଇଁ ଆଗୁଆ କସରତ ଆରମ୍ଭ କରିଦେଲାଣି ।

ପଦ୍ମପୁରରେ ବିଜେଡି ବିଜୟରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବ ନା ଧାମନଗର ଭଳି ମିଶନ ଶକ୍ତି କାର୍ଡ ଖେଳିବ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିଜେପିର ପ୍ରଦୀପ ପୁରୋହିତ ଯେ ପ୍ରାର୍ଥୀ ହେବେ ଏହା ଏକପ୍ରକାର ନିଶ୍ଚିତ । ସେ ଦୀର୍ଘ ବର୍ଷ ହେବ ପଦ୍ମପୁରରେ ସକ୍ରିୟ ଅଛନ୍ତି । ତେଣୁ ଏଥର ତାଙ୍କ ସପକ୍ଷରେ ଜନସମର୍ଥନ ଥିବାରୁ ଉପନିର୍ବାଚନ ବାଜି ଯେପରି ବିଜେଡି ହାତରୁ ଖସି ନଯାଏ, ସେଥିପାଇଁ ଆରମ୍ଭ ହୋଇଗଲାଣି କସରତ । ଯେଉଁଥିପାଇଁ ଘନ ଘନ ମନ୍ତ୍ରୀମାନେ ଗସ୍ତ କରୁଛନ୍ତି । ବିଭିନ୍ନ ପ୍ରକଳ୍ପର ଉଦଘାଟନ କରୁଛନ୍ତି । ଦେଖାଯାଉ ଆଗକୁ ପଦ୍ମପୁର ଉପନିର୍ବାଚନକୁ ନେଇ କେଉଁ ଦଳ କି ରଣନୀତି ଆପଣାଉଛି ।

Leave a Reply

Your email address will not be published. Required fields are marked *