ଭାରତରେ ପ୍ରଚଳନ ହେବ ଡିଜିଟାଲ ମୁଦ୍ରା

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଭାରତରେ ପ୍ରଚଳନ ହେବ ଡିଜିଟାଲ ମୁଦ୍ରା ବା ଇ-ଟଙ୍କା । ଆଜିଠୁ ଆରମ୍ଭ ହୋଇଛି ଏହାର ପାଇଲଟ୍ ପ୍ରୋଜେକ୍ଟ । ବିଟକଏନ ଭଳି କ୍ରିପ୍ଟୋକରେନ୍ସିକୁ ଟକ୍କର ଦେବ ଆରବିଆଇ ଦ୍ୱାରା ପ୍ରସ୍ତୁତ ଏହି ଡିଜିଟାଲ ମୁଦ୍ରା । ଏହାକୁ ନେଇ ଆଜିଠୁ ପରୀକ୍ଷଣ ଆରମ୍ଭ ହୋଇଛି । ପାଇଲଟ୍ ପ୍ରୋଜେକ୍ଟ ସଫଳ ହେଲେ ଏହା ସାରା ଦେଶରେ ଲାଗୁ ହେବ । ତେବେ ଏହି ଡିଜିଟାଲ ଟଙ୍କା କ’ଣ ? ଏହା କିପରି କାର୍ଯ୍ୟ କରିବ ? ଆସନ୍ତୁ ଜାଣିବା ।

ରିଜର୍ଭ ବ୍ୟାଙ୍କ୍ ଇ-ଟଙ୍କା ହେଉଛି ପେମେଣ୍ଟର ଏକ ମାଧ୍ୟମ ଯାହା ପ୍ରଚଳନରେ ଥିବା ନୋଟ୍ ଏବଂ କଏନ ଭଳି ବୈଧ । ଏହାକୁ ସାଧାରଣ ଜନତା, ବ୍ୟବସାୟୀ, ସରକାର ଓ ଅନ୍ୟମାନେ ବ୍ୟବହାର କରିପାରିବେ । ଏହାକୁ ନଗଦ ଟଙ୍କାରେ ମଧ୍ୟ ପରିଣତ କରାଯାଇପାରିବ । ଇଲେକ୍ଟ୍ରୋନିକ୍ ମାଧ୍ୟମରେ ତାହାର କାରବାର ହେବ । ସୀମାପାର ପେମେଣ୍ଟ କ୍ଷେତ୍ରରେ ଏହା ବିପ୍ଳବ ଆଣିବ । ବିଟକଏନ ଭଳି କ୍ରିପ୍ଟୋକରେନ୍ସିର ବିକଳ୍ପ ଭାବେ ଏହା କାର୍ଯ୍ୟ କରିବ । କ୍ରିପ୍ଟୋକରେନ୍ସିରେ ଅନେକ ବିପଦ ରହିଥିବା ବେଳେ ଇ୦ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ । ରିଜର୍ଭ ବ୍ୟାଙ୍କ୍ ଏହାର ମୂଲ୍ୟକୁ ନିଶ୍ଚିତ କରୁଥିବାରୁ ଏହାର ବ୍ୟବହାରକୁ ନେଇ କୌଣସି ସମସ୍ୟା ରହିବ ନାହିଁ । ଆରବିଆଇ କ୍ରିପ୍ଟୋକରେନ୍ସିକୁ ଦୃଢ ବିରୋଧ କରିବା ସହିତ ଏହାର କୌଣସି ମୂଲ୍ୟ ନାହିଁ ବୋଲି କହୁଛି । ଏଥିରେ ନିବେଶ ଆଦୌ ସୁରକ୍ଷିତ ନୁହେଁ । ଯେଉଁମାନେ କ୍ରିପ୍ଟୋକରେନ୍ସିକୁ ବ୍ୟବହାର କରୁଛନ୍ତି, ସେମାନେ ସାବଧାନ ରହିବା ଦରକାର ବୋଲି ରିଜର୍ଭ ବ୍ୟାଙ୍କ୍ ବାରମ୍ବାର କହୁଛି । କ୍ରିପ୍ଟୋକରେନ୍ସି ବଦଳରେ ଲୋକମାନେ ଇ-ଟଙ୍କାକୁ ବ୍ୟବହାର କରିପାରିବେ ।

ଆଜିଠାରୁ ଏହାକୁ ଆଇବିଆଇ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରିଛି । ଏହି ପରୀକ୍ଷାମୂଳକ ପ୍ରକଳ୍ପରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ । ପ୍ରଥମେ ପାଇବାରୀ ଓ ମାସକ ଭିତରେ ଖୁଚୁରା ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି । ଆରବିଆଇ ଆଶା କରୁଛି ଯେ, ଏହି ଡିଜିଟାଲ ଟଙ୍କା ବ୍ୟବହାର ସହିତ ଆନ୍ତଃବ୍ୟାଙ୍କ୍ ବଜାରରେ କାରବାର ପୂର୍ବଅପେକ୍ଷା ସହଜ ହେବ । ଦେଶରେ ଡିଜିଟାଲ ମୁଦ୍ରା ପ୍ରଚଳନ ପରେ ଲୋକମାନଙ୍କୁ ଆଉ ପାଖରେ ନଗଦ ପଇସା ରଖିବାର ଆବଶ୍ୟକ ନାହିଁ । ଆପଣ ଚାହିିଁଲେ ଏହାକୁ ମୋବାଇଲ ୱାଲେଟରେ ରଖିପାରିବେ । ଏହା ବ୍ୟତୀତ ଉପଭୋକ୍ତାମାନେ ଏହାକୁ ସହଜରେ ବ୍ୟାଙ୍କ୍ ଟଙ୍କା ଏବଂ ନଗଦ ଆକାରରେ ରୂପାନ୍ତର କରିବାକୁ ସମର୍ଥନ ହେବେ । ଆଉ ଏହି ଡିଜିଟାଲ ଟଙ୍କାର ପ୍ରଚଳନ ଉପରେ ଆରବିଆଇର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ । ତେଣୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ।

Leave a Reply

Your email address will not be published. Required fields are marked *