ଧାମନଗରରେ ରାଜୁ ଦାସ, ପଦ୍ମପୁରରେ କିଏ ?

FILE PHOTO

ଧାମନଗର (ଦ କୁଇଭର): ଧାମନଗରରେ ରାଜୁ ଦାସ, ପଦ୍ମପୁରରେ କିଏ? ପଦ୍ମପୁରରେ ହେବ କି ଧାମନଗର ଭଳି ସ୍ଥିତି? ବିଜେଡି ପାଇଁ କାଳ ହେବ ବି ଅସନ୍ତୁଷ୍ଟ ଗୋଷ୍ଠୀ? ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ନ ହୋଇଥିଲେ ମଧ୍ୟ ଏବେଠୁ ପଦ୍ମପୁରରେ ନେତା-ମନ୍ତ୍ରୀଙ୍କ ଭିଡ ଜମିଲାଣି । ବିଶେଷ କରି ଶାସକ ଦଳ ବିଜେଡି କଥା ଯଦି ଦେଖିବା, ପଦ୍ମପୁରରେ ଯେପରି ଧାମନଗର ଭଳି ସ୍ଥିତି ନ ଉପୁଜେ, ସେଥିପାଇଁ ଆଗୁଆ ରଣନୀତି ଚାଲିଛି । ଅସନ୍ତୁଷ୍ଟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୁରୁଖା ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଯାହା ଭିତିରି ମହଲରୁ ସୂଚନା ମିଳୁଛି, ପଦ୍ମପୁର ବିଜେଡିରେ ବିଦ୍ରୋହ ହେବା ନେଇ ଆଶଙ୍କା ବଢୁଛି । ଧୀରେ ଧୀରେ ଦେଖାଗଲାଣି ଅସନ୍ତୋଷର ନିଆଁ । ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଦେଖା ଦେଲାଣି ଅସନ୍ତୋଷ । ପଦ୍ମପୁରରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହା ଯଦିଓ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏବେଠୁ ଆରମ୍ଭ ହୋଇଗଲାଣି ଟିକେଟ୍ ଅଶାୟୀଙ୍କ ମଧ୍ୟରେ ବାକ୍ୟୁଦ୍ଧ । ଆଉ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡିର ଅନେକ ପୁରୁଖା ନେତା ଯାଇ କାଳେ ପଦ୍ମପୁରରେ ଡେରା ପକାଇଥିବା ଜଣାପଡିଛି ।

ଧାମନଗରରେ ବିଜେଡି ପାଇଁ କାଳ ହୋଇଥିଲେ ଅସନ୍ତୁଷ୍ଟ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ରାଜେନ୍ଦ୍ର ଦାସଙ୍କୁ ଟିକେଟ୍ ନ ମିଳିବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ଯାହା ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଥଲା । ତେଣୁ ଧାମନଗର ଉପନିର୍ବାଚନ ଅନ୍ୟ ଉପନିର୍ବାଚନ ଠାରୁ ବିଜେଡି ପାଇଁ ଟିକେ କଷ୍ଟକର ଥିଲା । ତେଣୁ ପଦ୍ମପୁରରେ ଯେପରି ସେଭଳି ସ୍ଥିତି ନ ଉପୁଜେ, ସେଥିପାଇଁ ନିରନ୍ତର ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ସେପଟେ ପଦ୍ମପୁର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ ପରେ ତାଙ୍କରି ପରିବାରୁ କାହାକୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି ବିଜେଡି । କାରଣ ଯେତେ ବି ଉପନିର୍ବାଚନ ଯାଇଛି, ଯେଉଁଠି ବିଜେଡିର ବିଧାୟକ ଥିଲେ, ସେଠି ବିଜେଡି ତାଙ୍କ ପରିବାରର କାହାକୁ ଟିକେଟ୍ ଦେଇଛି । ତେଣୁ ଏଠି ସେହି ଷ୍ଟ୍ରାଟେଜି ଆପଣାଇବେ ନା ଅନ୍ୟ କୌଣସି କାର୍ଡ ଖେଳିବେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାରି ଭିତରେ ଟିକେଟ୍ ପାଇଁ ବିଜେଡି ଭିତରେ ଟଣାଓଟରା ଲାଗୁଥିବା ସୂଚନା ମିଳିଲାଣି ।

ଗତ ପଞ୍ଚାୟତ ନିର୍ବାଚନରେ ପଦ୍ମପୁରରେ ବିଜେଡି ୨ଭାଗରେ ବିଭକ୍ତ ହୋଇ ନିର୍ବାଚନ ଲଢିଥିବା ଦେଖିବାକୁ ମିଳିଥିଲା । ଗୋଟେପଟେ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଥିବା ବେଳେ, ଅନ୍ୟପଟେ ବିଜେଡିର ନେତା ମହେନ୍ଦ୍ର ବଢେଇଙ୍କ ନେତୃତ୍ୱରେ ଅନ୍ୟ ଏକ ଗୋଷ୍ଠୀ ନିର୍ବାଚନ ଲଢୁଥିଲେ । ତାଙ୍କ ସପକ୍ଷରେ ମଧ୍ୟ ଅନେକ ଜନସମର୍ଥନ ରହିଛି, ତେଣୁ ଏଥରେ ଉପନିର୍ବାଚନରେ ସେ ମଧ୍ୟ ଟିକେଟ୍ ଲବି କରୁଥିବା ଶୁଣିବାକୁ ମିଳୁଛି । ତେଣୁ ପଦ୍ମପୁର ଦାୟିତ୍ୱରେ ଥିବା ପାୱାରଫୁଲ ଗୋଷ୍ଠୀ ବିଜେଡିର ଗୋଷ୍ଠୀ କନ୍ଦଳକୁ ଚପାଇପାରୁଛନ୍ତି ନା ଧାମନଗର ଭଳି ସ୍ଥିତି ଉପୁଜିବ, ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *