ଭାବ ଦେଖି ପଦକ୍ଷେପ/କାର୍ଯ୍ୟାନୁଷ୍ଠାନ

FILE PHOTO

(ଦ କୁଇଭର): କେନ୍ଦ୍ର ସରକାରଙ୍କ କଥା ମାନିଗଲେ ବା ଶରଣ ପଶିଗଲେ ଇଡି ଆଉ ସିବିଆଇ ଆଙ୍ଗୁଳି ଦେଖାଇପାରିବେନି । ଆଉ ଯଦି କିଏ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲା ବା ବିରୋଧ କଲା, ତେବେ କଥା ସରିଲା । ଯେମିତି ବି ହେଉ ଗିରଫ ହେବା ନିଶ୍ଚିତ । ଯାହାର ଉଦାହରଣ ମହାରାଷ୍ଟ୍ର, ପଶ୍ଚିମବଙ୍ଗରେ ପୂର୍ବରୁ ଦେଖିବାକୁ ମିଳିସାରିଛି । ଆଉ ଏବେ ଝାଡଖଣ୍ଡର ପାଳି । ଟିକେ ଭିନ୍ନ ଦିଗକୁ ଲକ୍ଷ କଲେ, ଏଥିରେ ଓଡ଼ିଶା ମଧ୍ୟ ଆସିବ । ଓଡ଼ିଶା ସରକାରଙ୍କ ଉପରେ ମଧ୍ୟ ଇଡି ଓ ସିବିଆଇ କଡ଼ା ନଜର ରଖିଥିଲେ । ଯାହା ହେଉ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣବଙ୍କ ମାଧ୍ୟମରେ ବିଜେପି, ବିଜେଡିର ଯେଉଁ ଗଠବନ୍ଧନ ହେଲା, ତାପରେ ସଡ଼ିଶାର ଚିଟ୍ଫଣ୍ଡ ହେଉ କି ଖଣି ସବୁ ଥିରୁ ଇଡି ଆଉ ସିବିଆଇ ଦୂରେଇ ଗଲେ । ସତେ ଯେମିତି ସେ ଦୁର୍ନୀତି ଆଉ ନାହିଁ ବା କିଛି ଦୁର୍ନୀତି ହୋଇନଥିଲା । ବର୍ତ୍ତମାନ ଓଡ଼ିଶାରେ ଏହି କେନ୍ଦ୍ରୀୟ ସଂସ୍ଥାମାନଙ୍କର ପ୍ରଭାବ ନାହିଁ । ହେଲେ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଥିବା ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ପାଖରେ ଶରଣ ପଶିଗଲେ । କୌଣସି କଥାରେ ଆପତ୍ତି ଉଠାଇଲେ ନାହିଁ ।

ବିଶେଷକରି ଯଦି ଦେଖିବା, କେନ୍ଦ୍ର ସରକାରଙ୍କ ବିରୋଧରେ ଯେଉଁମାନେ ସ୍ୱର ଉଠାଇଛନ୍ତି, ସେ ହେଉଛନ୍ତି ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ । ଇଡି ଓ ସିବିଆଇ ଘନ ଘନ ଚଢାଉ କଲେ, ଗିରଫ ବି କଲେ । ସେମାନଙ୍କ ମୁହଁ ବନ୍ଦ କରିବା ପର୍ଯ୍ୟନ୍ତ ଲାଗିଲେ । ପରେ ସେମାନେ ଚୁପ୍ ବି ହୋଇଗଲେ । ଏବେ ନିରବ ପ୍ରାୟ । ଏପରିକି ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ପର୍ଯ୍ୟନ୍ତ ଚାଲିଲା । ଏବେ ନଜର ପଡ଼ିଛି ଝାଡ଼ଖଣ୍ଡ ଉପରେ । ଝାଡ଼ଖଣ୍ଡରେ ଖଣି ଦୁର୍ନୀତି ହୋଇଥିବା ଇଡି ଦେଖାଇଛି । ଯେଉଁ ଖଣି ଦୁର୍ନୀତିର ତଦନ୍ତକୁ ଓଡ଼ିଶାରେ ଅଧାରୁ ଛାଡ଼ି ପଳାଇଥିଲା ଇଡି । ସେଇ ଖଣି ଦୁର୍ନୀତି ଅଭିଯୋଗରେ ବର୍ତ୍ତମାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଧରିଛି । କିନ୍ତୁ ସୋରେନ୍ ଜାଣିଛନ୍ତି ଇଡି କିପରି ପରିଚାଳିତ ହେଉଛି । ସେଥିପାଇଁ ସେ ଇଡିକୁ ଜବାବ ଦେଇଛନ୍ତି । ଇଡିକୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି, ଯଦି ମୁଁ କିଛି ଦୋଷ କରିଛି, ତେବେ ମୋତେ ଆରେଷ୍ଟ କର । ଆଉ ବର୍ତ୍ତମାନ ଶାସନ ବ୍ୟବସ୍ଥାରେ ଯାହା ଦେଖାଯାଉଛି, ଆରେଷ୍ଟ କରିବା ଟା ବଡ଼ କଥା ନୁହେଁ, ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀଙ୍କୁ ଗିରଫ କରିନେଲେ । ସେ ନିଶ୍ଚିତ ଭାବେ ଦୋଷୀ ଥିଲେ, ଆମେ କହୁନୁ ଯେ, ସେ ଦୋଷୀ ନଥିଲେ ।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ବି ଆରେଷ୍ଟ କରିନେଲେ । ଆଉ ଏବେ ହେମନ୍ତ ସୋରେନଙ୍କୁ ଗିରଫ କରିବେ ।
କିନ୍ତୁ ଇଡି ଆଉ ସିବିଆଇ ନିଜର ପାର୍ଯ୍ୟଦକ୍ଷତା ଓଡ଼ିଶାରେ କାହିଁକି ଦେଖାଇପାରୁନାହାନ୍ତି । କାହିଁକି ବିଜେପି ଶାସିତ ଅଞ୍ଚଳରେ ଇଡି ଆଉ ସିବିଆଇ ଆକ୍ଟିଭ୍ ହେଉନାହାନ୍ତି? ସେଠାରେ କ’ଣ କିଛି ଅପରାଧ ବା ଦୁର୍ନୀତି ହେଉନି? ତାହେଲେ ସେଠାରେ କାହିଁକି ଇଡି ସିବିଆଇ ପଶୁନାହାନ୍ତି? ଏହା ପଛରେ କ’ଣ ରହିଛି କାରଣ, ତାହା ତ ସରକାର ହିଁ ଜାଣିଥିବେ । କିନ୍ତୁ ଏସବୁ ଘଟଣାକୁ ଦେଖି ଲାଗୁଛି, ଭାବ ଦେଖି କାଳେ କାର୍ଯ୍ୟାନୁଷ୍ଠାନ ନିଅନ୍ତି କେନ୍ଦ୍ର ସରକାର ।

Leave a Reply

Your email address will not be published. Required fields are marked *