ଯୋଗ୍ୟ ଦରାଣ୍ଡୁଛି ବିଜେଡି

FILE PHOTO

ପଦ୍ମପୁର (ଦ କୁଇଭର): ପଦ୍ମପୁର ଉପନିର୍ବାଚନ ପାଇଁ ଚିନ୍ତାରେ ଘାରି ହେଉଛି ବିଜେଡି । କ’ଣ କରିବ? କାହାକୁ ପ୍ରାର୍ଥୀ ଦେବ? କେମିତି ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବ? ତାକୁ ନେଇ ଚିନ୍ତାରେ ବିଜେଡିର ପୁରୁଖା ନେତା । ଧାମନଗରରୁ ବିଜେଡି ପାନେ ପାଇବା ପରେ ପଦ୍ମପୁରରେ ଆଉ ରିସ୍କ ନେବାକୁ ଚାହୁଁନି ଦଳ । ସେଥିପାଇଁ ବହୁ ଭାବିଚିନ୍ତି ପ୍ରାର୍ଥୀ ଘୋଷଣା କରିବା ପାଇଁ ଚାଲିଛି ପ୍ରସ୍ତୁତି । ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ପ୍ରଥମେ ଅସନ୍ତୁଷ୍ଟଙ୍କ ତାଲିକା କରୁଛି । ସେମାନଙ୍କୁ କିପରି ବୁଝାଇବ ଓ ଅକ୍ତିଆରରେ ରଖିବ, ସେ ବ୍ୟବସ୍ତା ବି କରୁଛି । କେବଳ ଏକଥା କରୁନି, ବିଜେପିର ଅସନ୍ତୁଷ୍ଟମାନଙ୍କୁ କିପରି ନିଜ ଆଡକୁ ଆଣିବ, ସେ ନେଇ ବି ଯୋଜନା ଚାଲିଛି ।

କାରଣ ଧାମନଗରରେ ବିଜେପି ବିଜେଡିର ଅସନ୍ତୁଷ୍ଟମାନଙ୍କୁ ନେଇ ଯେଉଁ ପ୍ଲାନ୍ କଲା ତାର ଯବାବ ବିଜେଡି ପଦ୍ମପୁରରେ ଦେବା ପାଇଁ କାଳେ ଯୋଜନା କରୁଛି । ପ୍ରାର୍ଥୀ ପ୍ରସଙ୍ଗକୁ ଯଦି ଦେଖିବା ବିଜେପି, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଓ ବିଜେଡି ପ୍ରାଥୀ ଘୋଷଣା କରିନାହାନ୍ତି । କିନ୍ତୁ ପଦ୍ମପୁର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ବିଜେଡି ପ୍ରସ୍ତୁତ ହେଉଥିବା ଶଙ୍ଖ ଶିବିରରେ ଚର୍ଚ୍ଚା ହେଉଛି । ଏହାସହ ଅନ୍ୟ ଏକ ଗୋଷ୍ଠୀଙ୍କ କହିବାନୁଯାୟୀ, ଶେଷ ମୁହୂର୍ତ୍ତରେ ମୁଖିଆ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି । ତେଣୁ କାହାକୁ ପ୍ରାର୍ଥୀ କରିବ ବିଜେଡି, ତାକୁ ନେଇ ଆକଳନ ମଧ୍ୟ କରିବା ମୁସ୍କିଲ ।

ଧାମନଗର ଉପନିର୍ବାଚନରେ ବିଜେଡି ଚିତପଟାଙ୍ଗ ମାରିଲା । ଆଉ ବିଜେଡି ପରାଜୟର ମୁଖ୍ୟ କାରଣ ଥିଲେ ରାଜୁ ଦାସ । ରାଜୁ ଦାସ ପ୍ରାର୍ଥୀ ରେସରେ ଆଗରେ ଥିଲେ ମଧ୍ୟ ତାଙ୍କ ଟିକେଟ୍ କାଟି ପ୍ରଭାବଶାଳୀମାନେ ମିଶନ ଶକ୍ତି କାର୍ଡ ଖେଳିଥିଲେ । ସେପଟେ ରାଜୁ ଦାସ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ଯାହା ବିଜେଡି ବିଜୟ ଧାରାକୁ ରୋକିବାରେ ସଫଳ ହୋଇଥିଲା । ତେଣୁ ପଦ୍ମପୁର ଉପନିର୍ବାଚନରେ ବିଜେଡି ଆଉ ରିସ୍କ ନେବାକୁ ଚାହୁଁନି । କାରଣ ପଦ୍ମପୁରରେ ମଧ୍ୟ ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ରହିଛି । ବିଜେଡିର ପ୍ରର୍ଥୀଙ୍କୁ ଚ୍ୟାଲେଞ୍ଜ କରି ଯଦି କେହି ସ୍ୱାଧୀନ ଭାବେ ନିର୍ବାଚନ ଲଢନ୍ତି, ତେବେ ପଦ୍ମପୁରରେ ଯେ ଧାମନଗର ଭଳି ସ୍ଥିତି ଉପୁଜିବ, ତାହାକୁ ଏଡାଇ ଦିଆଯାଇନପାରେ ।

ଧାମନଗରରେ ଯେପରି ରାଜୁ ଦାସ ବିଜେଡିକୁ ଅକଳରେ ପକାଇଥିଲେ, ପଦ୍ମପୁରରେ ମଧ୍ୟ କାଳେ ସେମିତି କିଛି ଗଣିତ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଲାଣି । ଯାହା ବିଜେପି ପାଇଁ ବେଶ୍ ଫାଇଦା ହେବ । ପଦ୍ମପୁର ଆସନ ହାତେଇବା ପାଇଁ ବିଜେପି ପାଖରେ ଏକ ବଡ଼ ସୁଯୋଗ ରହିଛି । ତାହା ହେଉଛି ବିଜେଡିର ବିଦ୍ରୋହୀ । ତେଣୁ ପଦ୍ମପୁରରେ ବିଜେଡିର ଏହି ପ୍ଲାନ୍ ଯଦି ସଫଳ ହେଲା, ତେବେ ଫାଇଟ୍ ଜୋରଦାର ହେବ । ଯଦି ବିଜେଡିରୁ କୌଣସି ବିଦ୍ରୋହୀ ସ୍ୱାଧୀନ ଭାବେ ନିର୍ବାଚନ ଲଢନ୍ତି, ତେବେ ତାହା ବିଜେପି ପାଇଁ ବିଜୟର ଆଶା ସହଜ ହୋଇଯିବ । ବରଗଡ ଜିଲ୍ଲାରେ ବିଜେପିର ମାହୋଲ କାଳେ ଭଲ ରହିଛି । ପଦ୍ମପୁରରେ ପ୍ରଦୀପ ପୁରୋହିତଙ୍କ ଦବଦବା ବି ରହିଛି । ତେଣୁ ଉପନିର୍ବାଚନ ଟକ୍କର ଏଥର ହାଇଭୋଲଟେଜ୍ ମ୍ୟାଚ୍ ଶଦୃଶ ହେବ । ତେବେ ପଦ୍ମପୁର ପାଇଁ ବିଜେଡି ହାତେ ମାପି ଚାଖଣ୍ଡେ ଚାଲୁଥିବା ବେଳେ ବିଜେପି ଜୋରସୋରରେ ଆଗେଇ ଚାଲିଛି । ତେବେ ଦେଖାଯାଉ ପଦ୍ମପୁରରେ ବିଜେଡି କେଉଁ ଅନୁକମ୍ପା କାର୍ଡ ଖେଳୁଛି ନା ଅନ୍ୟ କିଛି ସରପ୍ରାଇଜ୍ କାର୍ଡ ଖେଳୁଛି ।

Leave a Reply

Your email address will not be published. Required fields are marked *