Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନେତା ଭୁଲି ଗଲେଣି ହିତାହିତ ଜ୍ଞାନ

FILE PHOTO

କୋଲକାତା (ଦ କୁଇଭର) ନେତା ଭୁଲି ଗଲେଣି ହିତାହିତ ଜ୍ଞାନ । କେଉଁଠି, କ’ଣ କୁହାଯିବ, ତାହା ବି ସେମାନେ ଭୂଲି ଯାଉଛନ୍ତି । ଏମିତି କି ପାଟିରେ ଲଗାମ ନ ଲଗାଇ ଦେଶଦ୍ରୋହ କଲା ଭଳି କଥା ବି କହିଦେଉଛନ୍ତି । ଆଜି ମମତା ବାନାର୍ଜୀଙ୍କ ସରକାରରେ ଥିବା ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କ ରୂପକୁ ନେଇ ଦେଇଛନ୍ତି ଅଶାଳୀନ ମନ୍ତବ୍ୟ । ଏହି ମନ୍ତବ୍ୟ କେବଳ ଲଜ୍ଜାଜନକ ନୁହେଁ, ଏହା ଅପରାଧ ଠାରୁ କମ୍ ନୁହେଁ । ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ ତଥା ସର୍ବୋଚ୍ଚ ପଦବୀର ଅଧିକାରୀ । ତାଙ୍କୁ କିପରି ସମ୍ମାନ ଦିଆଯାଏ, ତାହା ବି ନେତା ମାନେ ଜାଣି ପାରୁନାହାନ୍ତି । ଏ ନେତା ଜଣକ ଏତେ ଉଦ୍ଧତ ଯେ, ରାଷ୍ଟ୍ରପତିଙ୍କୁ ମଧ୍ୟ ତାତ୍ସଲ୍ୟ କରିବାକୁ ପଛାଉନାହାନ୍ତି । ଏମାନେ ଜନପ୍ରତିନିଧି ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ଲୋକେ କହିଲେଣି । ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଆୟୋଜିତ ଏକ ଜନସଭାରେ ରାଷ୍ଟ୍ରପତିଙ୍କ ରୂପରେଖକୁ ନେଇ ତାତ୍ସଲ୍ୟ କରି କହିଛନ୍ତି ମମତାଙ୍କ ମନ୍ତ୍ରୀ । ଯାହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ ଦେଉଛୁ, କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ଜନସଭାରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରଶ୍ନ କରିଛନ୍ତି ଟିଏମସି ମନ୍ତ୍ରୀ ଗିରି । ଯାହାକୁ ବିଜେପି ଦୃଢ ନିନ୍ଦା କରିବା ସହ ଏହାକୁ ବିରୋଧ କରିଛି ।

ଅଖିଳ ଗିରି କହିଛନ୍ତି, ସେ କୁହନ୍ତି, ମୁଁ ସୁନ୍ଦର ନୁହେଁ, ଏଠାରେ ସେ ଅର୍ଥାତ୍ ସୁଭେନ୍ଦୁ ଅଧିକାରୀଙ୍କୁ କହିଛନ୍ତି । ସେ କେତେ ସୁନ୍ଦର? ଆମେ ଲୋକମାନଙ୍କୁ ସେମାନଙ୍କ ଚେହେରା ଦ୍ୱାରା ବିଚାର କରୁନାହୁଁ । ଆମେ ତୁମର ରାଷ୍ଟ୍ରପତିଙ୍କ ଆସନକୁ ସମ୍ମାନ କରୁ । ତୁମର ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି । ସେ ଭୁଲି ଯାଇଛନ୍ତି ଯେ, ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ । କୌଣସି ରାଜନୈତିକ ଦଳର ନୁହଁନ୍ତି । ତେଣୁ ତାଙ୍କୁ କିପରି ସମ୍ମାନ ଦିଆଯାଏ, ତାହାକୁ ଟିଏମସିର ଏହି ଉଦ୍ଧତ ନେତାଜଣଙ୍କ ଜାଣି ପାରୁନାହାନ୍ତି । ଏହି ଭିଡିଓ କ୍ଲିପକୁ ଟ୍ୱିଟରରେ ସେୟାର କରି ପଶ୍ଚିମବଙ୍ଗ ବିଜେପି ମମତା ସରକାରଙ୍କୁ ଟାର୍ଗେଟ କରିଛି । ମମତା ସରକାର ଓ ତାଙ୍କ ଟିଏମସି ଆଦିବାସୀ ବିରୋଧୀ ବୋଲି କଡା ସମାଲୋଚନା କରିଛି ।

ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ସଂସଦ ଭବନ ଭିତରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନି ବୋଲି ସମ୍ବୋଧନ କରିଥିଲେ କଂଗ୍ରେସର ଜଣେ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ । ଯାହାକୁ ନେଇ ଅନେକ ତୁମ୍ବିତୋଫାନ ହୋଇଥିଲା । ଆଜି ପୁଣି ଟିଏମସି ମନ୍ତ୍ରୀଙ୍କର ଏଭଳି ବୟାନ ଟିଏମସିର ହୀନ ମାନସିକତା ଭାବକୁ ସ୍ପଷ୍ଟ କରୁଛି । ଅଖିଳ ଗିରିଙ୍କ ମନ୍ତବ୍ୟ ବେଳେ ମହିଳା କଲ୍ୟାଣ ମନ୍ତ୍ରୀ ଶଶି ପାନକା ଘଟଣାସ୍ତଳରେ ଉପସ୍ଥିତ ଥିଲେ । ତେଣୁ ମମତା ସରକାର ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରିଛି ବିଜେପି । ସେପଟେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭୀୟ ଟ୍ୱିଟ କରି କହିଛନ୍ତି, ମମତା ସରକାର ଆଦିବାସୀ ବିରୋଧୀ, ସେ କେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନଥଲେ । ଶେଷରେ ଅଖିଳ ଗିରି ଏହାକୁ ନେଇ ଅତି ଗାଲୁଆଙ୍କ ଭଳି ସଫେଇ ଦେଇଛନ୍ତି । ଯାହା କ୍ଷମାପ୍ରାର୍ଥନା ଭଳି ଆଦୌ ଜଣାପଡ଼ୁନାହିଁ । ତେଣୁ ସେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବାକୁ ସାଧାରଣରେ ଦାବି ହେଉଛି ।

Exit mobile version