୩ ବିଧାୟକଙ୍କୁ ଘାରିଛି ଇଡି ଭୟ

ଭୁବନେଶ୍ୱର (ଦ କୁଇଭର): ଅର୍ଚ୍ଚନା ମାମଲାରେ ରାଜନେତାଙ୍କ ଲିଙ୍କର ସୁରାକ ପାଇଲାଣି ଇଡି । ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଏବେ ଇଡି ସାମ୍ନାରେ ଗୋଟିଏ ପରେ ଗୋଟିଏ ତଥ୍ୟ ଓଗାଳୁଛି । ସେହି ତଥ୍ୟ ଅନୁସାରେ, ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଲିଙ୍କରେ ତିନିଜଣ ନେତାଙ୍କୁ ସମନ କରିବ ବୋଲି ଜଣାପଡିଛି । କିନ୍ତୁ ଖଗେଶ୍ୱରଙ୍କୁୁ ମାରାଥନ ଜେରା କରିବା ସମୟରେ ସେ ମୋଟ ୫ ଜଣ ରାଜନେତାଙ୍କ ନା କହିଥିଲା । ସେଥିରୁ ୩ ଜଣ ବିଧାୟକଙ୍କୁ ଏବେ ଇଡି ଡାକିବାକୁ ପ୍ରାୟ ଧାର୍ଯ୍ୟ ହୋଇଛି । ଆଉ ଏହି ୩ ଜଣଙ୍କ ମଧ୍ୟରୁ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଅଛନ୍ତି । ଯିଏ ଏହି ନାଗ ଦମ୍ପତ୍ତିଙ୍କ ସହ ବ୍ୟବସାୟିକ ସମ୍ପର୍କ କାଳେ ରଖିଥିଲେ ।

ଏହି ୩ ଜଣ ବିଧାୟକଙ୍କ ସମ୍ପର୍କ ଅର୍ଚ୍ଚନାଙ୍କ ସହ ସିଧାସଳଖ ନ ଥିଲେ ବି ପରୋକ୍ଷରେ ଭିନ୍ନ ଭିନ୍ନ ଉପାୟରେ ଟଙ୍କା କାରବାର ହୋଇଛି । ଯେଉଁମାନଙ୍କୁ ଖୁବଶୀଘ୍ର ଇଡି ନୋଟିସ କରିପାରେ ବୋଲି ସୂଚନା ମିଳିଛି । ଅର୍ଚ୍ଚନା ମାମଲାରେ ରାଜେନ÷ତିକ ଲିଙ୍କ୍ ବାହାରିବା ପରେ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଅର୍ଚ୍ଚନା କେଳେଙ୍କାରୀରେ ସମ୍ପୃକ୍ତି ଥିବା ନେତା, ଅଫିସରଙ୍କର ଏବେ ମୁଣ୍ଡ ଚକର ଖାଇଲାଣି । କେଉଁ ଉପାୟରେ ଖସିବେ, ସେ ନେଇ ଯୋଗାଯୋଗ ବି ଆରମ୍ଭ କରିଦେଲେଣି ।

ଖଗେଶ୍ୱରରଙ୍କୁ ୪ ଦିନ ରିମାଣ୍ଡରେ ପଚରାଉଚରା ବେଳେ ଇଡି ହାତରେ ଅନେକ ଗୁରୁପୂର୍ଣ୍ଣ ତଥ୍ୟ ଲାଗିଛି । ଯାହାକୁ ନେଇ ଏବେ ନେତା, ମନ୍ତ୍ରୀ ଓ ଅଫିସରମାନେ ଛାଟପିଟି ହେଲେଣି । ଅନେକ ନେତା ଓ ମନ୍ତ୍ରୀଙ୍କ କଳା ଟଙ୍କା ଅର୍ଚ୍ଚନାଙ୍କ ବ୍ୟବସାୟରେ କାଳେ ଲାଗିଛି । ଯାହାର ଗୁମର ଗୋଟିଏ ପରେ ଗୋଟିଏ ଇଡି ଖୋଲୁଛି । କିଏ ସେହି ୩ ବିଧାୟକ? କିଏ ସେହି ପୂର୍ବତନ ମନ୍ତ୍ରୀ ? କେମିତି ଅର୍ଚ୍ଚନାଙ୍କ ସହ ରଖିଥିଲେ ବ୍ୟବସାୟିକ ଲିଙ୍କ୍ ? କେବଳ ଏହି ୩ ବିଧାୟକ ନା ଆଉ କେହି ଅଛନ୍ତି ? ତାକୁ ବି ଖୁବଶୀଘ୍ର ଖୋଳତାଡ କରି ବାହାର କରିବ ଇଡି । କେବଳ ଏତିକି ନୁହେଁ, ଇଡି ହାତରେ ଲାଗିଥିବା ଅର୍ଚ୍ଚନାଙ୍କ ସମ୍ପତ୍ତି ଦେଖଲେ ଯେ କେହି ବି ତାଜୁବ୍ ହୋଇଯିବେ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କର କାଳେ ଥିଲା ୫ଟି ଜାଲ୍ କମ୍ପାନୀ । ଯେଉଁ ମାଧ୍ୟମରେ ସେ କୋଟି କୋଟି ଟଙ୍କା ଆୟ କରୁଥିଲେ । ଏହାସହ ଏହି ନାଗ ଦମ୍ପତ୍ତିଙ୍କ କଳା ଟଙ୍କା ମାଇନ୍ସ ଓ ଟ୍ରାନ୍ସପୋର୍ଟରେ ବି କାଳେ ଲାଗିଛି । ତେଣୁ ଏହି କଳା ଟଙ୍କା ପଛରେ ୩ ବିଧାୟକ କିଏ? କାହିଁକି ଟଙ୍କା ଦେଇଥିଲେ, ତାହାର ଗୁମର ଇଡି ଖୋଲିପାରିବ ତ? ନା ପୂର୍ବ ଘଟଣା ଭଳି ଇଡିର ତଦନ୍ତର ଦିଗ ବାଟବଣା ହୋଇଯିବ, ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *