ଏଥର ବିଧାନସଭା ଆସିବେ ତ ମୁଖ୍ୟମନ୍ତ୍ରୀ ?

FILE PHOTO

ଭୁବନେଶ୍ୱର (ଦ କୁଇଭର): ୨୦୨୦ରୁ ଆଜି ଯାଏ ବିଧାନସଭା ମାଡ଼ିନାହାନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ପାଇଁ ସେ ବିଧାନସଭାରୁ ଦୂରେଇ ରହିଛନ୍ତି । ବିଧାନସଭା କାର୍ଯ୍ୟକ୍ରମରେ ସେ ଭର୍ଚୁଆଲି ଯୋଗ ଦେଉଛନ୍ତି । ଏଥର ଆଉ କୋଭିଡ କଟକଣା ନାହିଁ । ସରକାର ସାରା ରାଜ୍ୟରୁ କୋଭିଡ କଟକଣା ଉଠାଇ ଦେଇଛନ୍ତି । ଏଥର ମୁଖ୍ୟମନ୍ତ୍ରୀ ବିଧାନସଭା ଆସିବେ ତ ? ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଲାଣି । ଏନେଇ ବିରୋଧୀ ଦଳ ବି ପ୍ରଶ୍ନ ଉଠାଇଲେଣି । ବିଧାନସଭାକୁ ମୁଖ୍ୟମନ୍ତ୍ରୀଙ୍କ ଡର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଦେଶ ଯାଉଛନ୍ତି, ବାହାରେ ବୁଲୁଛନ୍ତି, ହେଲେ ବିଧାନସଭାକୁ କାହିଁକି ଆସିବେ ନାହିଁ? ଓଡ଼ିଆ ଲୋଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏତେ ଘୃଣା କାହିଁକି ? ବିଧାନସଭା ସରକାରଙ୍କ ଗୋଡ଼ାଣିଆ ହୋଇଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନିଆଯାଉଛି । ଯାହା ଅତ୍ୟନ୍ତ ଦୁଃଖଦାୟକ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ଯଦି ଆମେ ଦେଖିବା, କୋଭିଡ ପରେ ମୁଖ୍ୟମନ୍ତ୍ରୀ ଇଟାଲୀ ଗସ୍ତ କଲେ । ସେଠାରେ ପୋପଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ । ଦୁବାଇ, ଦିଲ୍ଲୀ ମଧ୍ୟ ଯାଇଥିଲେ । ଏହାସହ ହାଇଦ୍ରାବାଦ୍, ମୁମ୍ବାଇ ଓ ବାଙ୍ଗାଲୁରୁ ଇନଭେଷ୍ଟରସ ମିଟରେ ଯୋଗ ଦେବାକୁ ଯାଉଛନ୍ତି । ଏଥର ମୁଖ୍ୟମନ୍ତ୍ରୀ ବିଧାନସଭା ଆସିବେ ତ ? ନା ପୁଣି ସେ ଭର୍ଚୁଆଲିରେ ବିଧାନସଭାରେ ଯୋଗ ଦେବେ ? ମୁଖ୍ୟମନ୍ତ୍ରୀ ନଆସିବା ପଛରେ ଯେଉଁ କାରଣ ଦେଖାଯାଉଥିଲା ଯେ, କୋଭିଡ ପାଇଁ ମୁଖ୍ୟମନ୍ତ୍ରୀ ଯାଉନଥିଲେ । ଅବଶ୍ୟ ସେଟା ବି ଗ୍ରହଣୀୟ । କାରଣ ତାଙ୍କୁ ବୟସ ବହୁତ ହେଲାଣି । ଯେହେତୁ କୋଭିଡ ବୟସାଧିକ ଲୋକଙ୍କ ପାଇଁ ପ୍ରବଳ ସ୍ପର୍ଶକାତର ଥିଲା । ତେଣୁ ସେତେବେଳେ ସେ ନ ଆସିଲେ ଚଳୁଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏହାକୁ ସମସ୍ତେ ଗ୍ରହଣ କରିନେଉଥିଲେ । ଏବେ ସେ ସବୁଆଡ଼େ ଗଲେଣି । କୋଭିଡ ବି ହଟିଗଲାଣି । ଏଥର ମୁଖ୍ୟମନ୍ତ୍ରୀ ବିଧାନସଭା ଆସନ୍ତୁ । ବିଧାନସଭାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ରାଜ୍ୟର ପ୍ରସଙ୍ଗ ଆଲୋଚନାରେ ଭାଗ ନିଅନ୍ତୁ । ଏଟା ରାଜ୍ୟବାସୀଙ୍କ ଇଚ୍ଛା ।

ଯଦି ଆମେ ପୂର୍ବର ସ୍ଥିତି ଦେଖିବା । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଖୁବ କମ୍ ସମୟ ରୁହନ୍ତି । କିନ୍ତୁ ଏବେ ଲୋକେ ଚାହୁଁଛନ୍ତି, ବିଧାନସଭାର ପ୍ରତ୍ୟେକ କାର୍ଯ୍ୟକଳାପରେ ମୁଖ୍ୟମନ୍ତ୍ରୀ ଭାଗ ନିଅନ୍ତୁ, ସମୀକ୍ଷା, ଆଲୋଚନା କରନ୍ତୁ । କାରଣ ୨୩ ବର୍ଷର ଶାସନ ପରେ ରାଜ୍ୟର ଅବସ୍ଥା ଏବେ ଖରାପ । ବିକାଶର ବିକଳ ଚିତ୍ର ସବୁଠି ପରିହାସ କରୁଛି । ସରକାରୀ ରିପୋର୍ଟ, ତଥା ଓ ଫଟୋ ଇଏ ଭିନ୍ନ କଥା ଆଉ ବାସ୍ତବତା ହେଉଛି ଭିନ୍ନ । ଆଉ ମୁଖ୍ୟମନ୍ତ୍ରୀ ବାସ୍ତବତାକୁ ଦେଖନ୍ତୁ । ଓଡ଼ିଶାର ବିକାଶକୁ ଆହୁରି ଅଗ୍ରଗତି କରନ୍ତୁ । ବିଧାନସଭାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ତର୍ଜମା କରନ୍ତୁ ।

Leave a Reply

Your email address will not be published. Required fields are marked *