ଭୁବନେଶ୍ୱର(ଦ କୁଇଭର): ସ୍ୱାସ୍ଥ୍ୟ ସେବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ କି ଏହାକୁ ୫ଟି ଅଧିନକୁ ନିଆଯାଉ ସ୍ୱାସ୍ଥ୍ୟ ସେବା ସୁଧୁରିବା କେବଳ କଷ୍ଟକର ନୁହେଁ, ଏକ ପ୍ରକାର ଅସମ୍ଭବ । ବ୍ୟବସ୍ଥା ଯେତେ ବଦଳୁ, କର୍ମଚାରୀ ନଚାହିଁଲେ ବା ଶୃଙ୍ଖଳିତ ନହେଲେ କିଛି ହେବ ନାହିଁ । ଭିତ୍ତିଭୂମି ଭରପୁର ଥିଲେ ବି ରୋଗୀଙ୍କୁ ଯେ ଉପଯୁକ୍ତ ସେବା ମିଳିଯିବ ତାହା ନୁହେଁ । ରୋଗୀଙ୍କୁ ସେବା ଦେବା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମର୍ପଣ ଭାବ ଯେତିକି ଦରକାର ପ୍ରଶାସନିକ ଛାଟ ବି ସେତିକି ଦରକାର । ଜଣେ ଡାକ୍ତରଙ୍କ ସମର୍ପଣ ଭାବ ଦେଖାଇ ଦେଲେ ବା ତାଙ୍କ ଉପରେ ଚଳଚିତ୍ର କରିଦେଲେ ରାଜ୍ୟ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ବଦଳିଯିବ ନାହିଁ । ଏକଥା କଟକ ବଡ଼ ମେଡିକାଲରୁ ସ୍ପଷ୍ଟ ହୋଇଛି ।

ମେଡିକାଲରେ ରୋଗୀଙ୍କୁ ନେବା ଆଣିବା ପାଇଁ ଷ୍ଟ୍ରେଚର ରହିଛି । ମାତ୍ର ସେହି ଷ୍ଟ୍ରେଚର ରୋଗୀଙ୍କୁ ମିଳୁନି । ଡାକ୍ତରଖାନା କର୍ମଚାରୀମାନେ ସେହି ଷ୍ଟ୍ରେଚରରେ ଡାକ୍ତରଖାନା ସାମଗ୍ରୀ ବୋହୁଛନ୍ତି । ସେପଟେ ରୋଗୀଙ୍କୁ ଷ୍ଟ୍ରେଚର ମିଳୁନଥିବାରୁ ତାଙ୍କ ସମ୍ପର୍କୀୟମାନେ ହାତରେ ଟେକି ଟେକି ନେଉଛନ୍ତି ।

ଏହି ଚିତ୍ର କୋରାପୁଟ କି ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳର ନୁହେଁ, କଟକ ବଡ଼ ମେଡିକାଲର କଥା । ଡାକ୍ତରଖାନା କର୍ମଚାରୀମାନେ ଷ୍ଟ୍ରେଚରରେ ଡାକ୍ତରଖାନା ସାମଗ୍ରୀ ବୋହିବାରେ ଲାଗିଛନ୍ତି । ଗୋଟେ କି ଯୋଡ଼େ ଷ୍ଟ୍ରେଚର ନୁହେଁ, ଧାଡ଼ି କରି ଷ୍ଟ୍ରେଚରରେ ସାମଗ୍ରୀ ବୁହା ଚାଲିଛି । ହେଲେ ରୋଗୀଙ୍କୁ ମିଳିଲାନି । ଏଭଳି ଦାୟିତ୍ୱହୀନ କାମ ସମ୍ପର୍କରେ କର୍ତ୍ତୃପକ୍ଷ ବି ଅଜ୍ଞ । ଯଦିଓ ଡାକ୍ତରଖାନା ସାରା ସିସିଟିଭି ରହିଛି ଓ ପ୍ରତିଟି କାର୍ଯ୍ୟ ସିସିଟିଭିରେ ଦେଖାଯାଉଛି, ତଥାପି ସିସିଟିଭି କଣ୍ଟ୍ରୋଲ ରୁମ ଅଧିକାରୀ କିଛି ରିପୋର୍ଟ କରୁନାହାନ୍ତି କି ଡାକ୍ତରଖାନା କର୍ତ୍ତୃପକ୍ଷ କହୁନାହାନ୍ତି । ଗଣମାଧ୍ୟମ ପଚାରିବାରୁ ଦେଖିବୁ ବୋଲି କହୁଛନ୍ତି ।

ଏହି ଗୋଟିଏ ନୁହେଁ, ଏହି ସପ୍ତାହରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ତାଙ୍କ ମାଆଙ୍କ ଶବ ନେବାକୁ ଆମ୍ବୁଲାନ୍ସ ମିଳିଲାନି, ସେ ଷ୍ଟ୍ରେଚରରେ ଶବକୁ ନେବାକୁ ବାଧ୍ୟ ହେଲେ । ୟେ ତ ରାଜଧାନୀ ଓ କଟକର ଚିତ୍ର, ରାଜ୍ୟର ପ୍ରତିଟି ଡାକ୍ତରଖାନା ବୁଲି ଆସିଲେ, ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଜଳ ଜଳ ହୋଇ ଦିଶୁଛି ।

ରାଜ୍ୟର ସ୍ୱାସ୍ଥ୍ୟ ସେବା ବାଟକୁ ଆସିବ କେମିତି? ଯେଉଁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅଫିସରମାନେ ଅବାଟରେ ଚାଲିଛନ୍ତି, ସେଠି ବ୍ୟବସ୍ଥା ସୁଗମ ହେବ କିପରି? ଟିକିଏ ପରଖି ନେବା ମନ୍ତ୍ରୀ ଓ ଅଫିସରଙ୍କ କାମକୁ । ମନ୍ତ୍ରୀ କେତେଦିନ ବିଭାଗକୁ ଆସନ୍ତି ତାହା ତ ସଚିବାଳୟ ସିସିଟିଭି କହିବ । ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ କେତେ ପରଖୁଛନ୍ତି ତାହା ତ ତାଙ୍କ ଦପ୍ତରର ନୋଟସିଟ କହିବ । ସେ ଯାହା କରନ୍ତୁ ନା କାହିଁକି, ସ୍ୱାସ୍ଥ୍ୟ ସେବା ସୁଧାରିବାରେ ସେ ଓ ତାଙ୍କ ଅଫିସରୀ ଦଳ ଯେ ଫେଲ ତାହା କହିବା ଭୂଲ ନୁହେଁ ।

Leave a Reply

Your email address will not be published. Required fields are marked *