Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବଦଳୁଛି ପୁରୀ ବିଜେଡି ରାଜନୀତି: ମହେଶ୍ୱର କ୍ୟାମ୍ପରେ ଲକି ଭୟ

ପୁରୀ(ଦ କୁଇଭର): ପୁରୀରେ ପରିବାର ବାଦକୁ ଲୋକେ ପସନ୍ଦ କରୁନାହାନ୍ତି । ଯେତେ ଲଦିଲେ ବି ଗ୍ରହଣୀୟତା ମିଳୁନାହିଁ । ଏବେ ନୂଆ ମୁହଁ ଖୋଜୁଛନ୍ତି ଲୋକେ । ଆଉ ଲୋକଙ୍କ ପସନ୍ଦକୁ ଦେଖି ଏବେ ଯୁବ ଗୋଷ୍ଠୀ ସକ୍ରିୟ । ସେଥିରୁ ଫାଇଦା ନେବାକୁ ଅଣ୍ଟା ଭିଡ଼ିଛନ୍ତି ସୁବାଶିଷ ଖୁଣ୍ଟିଆ ଓରଫ ଲକି । ସଦର ହେଉ କି ସହର ଜନସମ୍ପର୍କ ଯୋଡ଼ିବା ସହ ଲୋକଙ୍କ ସୁଖ ଦୁଃଖରେ ପହଞ୍ଚି ଯାଉଛନ୍ତି । ପୂରା ଫିଲ୍ଡ ଜମେଇକି ରଖିଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ମହେଶ୍ୱର କ୍ୟାମ୍ପ ଲକିଙ୍କୁ ଭୟ କଲେଣି । ସାମ୍ନାରେ ମୁହଁତୋଡ଼ ସିନା ମାରୁଛନ୍ତି ଭିତରେ କାଳେ ବରଫ । ଏପରିକି ଆପୋଷ ବୁଝାମଣା ପାଇଁ ମନ୍ତ୍ରୀ ସମୀର ଦାଶ କାଳେ ଉଦ୍ୟମ କରି ଫେଲ ମାରିଛନ୍ତି । ଏହାପରେ ଲକିଙ୍କ ପତିଆରା ଆହୁରି ବଢ଼ିଗଲାଣି । ଲକିଙ୍କୁ କାଉଣ୍ଟର କରିବାକୁ ମହେଶ୍ୱର ତାଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ କାଳେ ମଇଦାନକୁ ଛାଡ଼ିଛନ୍ତି । ବାପାଙ୍କ ସାମ୍ରାଜ୍ୟରେ ସୁନୀଲ ଏଣ୍ଟ୍ରି ତ ମାରିଛନ୍ତି ହେଲେ ଆଶାତୀତ ଗ୍ରହଣୀୟତା ମିଳୁନାହିଁ । ସବୁଠି ଲକିଙ୍କ ଉପସ୍ଥିତି ମହେଶ୍ୱର କ୍ୟାମ୍ପକୁ ଛାନିଆ କରିଦେଲାଣି ।

Maheswar Mohanty Getting Tough Challenge by Young BJD Leader Subashis Khuntia in Puri | THE Quiver

ପୁରୀ ସଦର ନିର୍ବାଚନ ମଣ୍ଡଳୀ ଅଧିକାଂଶ ସମୟରେ ଅଣ କଂଗ୍ରେସ ହାତରେ ରହିଛି । ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ୧୯୯୫ରୁ ବିଧାୟକ ହେବା ପର ଠାରୁ ଜନତା ଦଳ ଓ ପରେ ବିଜେଡି ହିଁ ପୁରୀ ଦଖଲ କରିଛି । ସମୟ ଥିଲା ତାଙ୍କୁ ଅପରାଜେୟ ବୋଲି କୁହାଗଲା । ମାତ୍ର ମହେଶ୍ୱରଙ୍କ କ୍ରମାଗତ ବିଜୟ ଦ୍ୱାରା ପୁରୀରେ ଗୁଣ୍ଡା ହୁଣ୍ଡାଙ୍କ ଶାସନ କାଳେ ଚାଲିଲା ବୋଲି ଅଭିଯୋଗ ଉଠିଲା । ମହେଶ୍ୱର ନା ନିଜେ ଗଲେ ନା କାହାକୁ ବାଟ ଛାଡ଼ିଲେ । ବିଜେଡି ମହେଶ୍ୱରଙ୍କ ନିକଟରେ ସଂକୁଚିତ ହୋଇଗଲା । ଦଳ ଭିତରେ ଓ ବାହାରେ ପ୍ରତିକ୍ରିୟା ବଢ଼ିଲା । ବିଜେଡିର ପୁରୁଖା ଯୁବ ନେତା ଜୟନ୍ତ ଷଢ଼ଙ୍ଗୀ ଦଳ ଛାଡ଼ି ବିଜେପିକୁ ଡିଆଁ ମାରିଲେ । ଟିକେଟ କେବଳ ନେଲେ ନାହିଁ ମହେଶ୍ୱରଙ୍କୁ ଚିତ ପଟାଙ୍ଗ କରିଦେଲେ । ଏବେ ମହେଶ୍ୱର ପୂର୍ବତନ ବିଧାୟକ । ତାଙ୍କର ଗ୍ରହଣୀୟତା ବି କମିଗଲାଣି । ତାଙ୍କୁ କାଳେ ଆଉ ବିଧାୟକ ଭାବେ ଦେଖିବାକୁ ପ୍ରାୟ କେହି ଚାହୁଁ ନାହାନ୍ତି । ଏକଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କାରଣ ବିଜେଡିର କିଛି ହାତ ଗଣତି ପୂରୁଣାଙ୍କୁ ଛାଡ଼ି ଦେଲେ ପ୍ରାୟ ନେତା ମହେଶ୍ୱରଙ୍କ କ୍ୟାମ୍ପ ଛାଡ଼ିଲେଣି । ହାତରୁ କ୍ଷମତା କାଳେ ଚାଲିଯିବ, ସେଥିପାଇଁ ମହେଶ୍ୱର ତାଙ୍କ ପୁଅଙ୍କୁ ଆଣି ଏଣ୍ଟ୍ରି କରୁଛନ୍ତି, ଦଳର ଅନେକ ବୟସ୍କ ସେମାନଙ୍କୁ ପୁଅ ମାନଙ୍ୁ ଦଳରେ ଥଇଥାନ କରିଛନ୍ତି, ମହେଶ୍ୱର ବି କାହିଁକି ପଛରେ ରହିବେ । ପୁଅ ସୁନୀଲ ବି ବାପାଙ୍କ ପରେ ଚୌକି ପାଇବାକୁ ଆଶା କାଳେ କରିଛନ୍ତି । ପୂର୍ବରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ସୁନୀଲ ଏବେ ସହରରେ ବୁଲିଲେଣି । ହେଲେ ତାଙ୍କର ସେ କ୍ରେଜ ଆସୁନାହିଁ । ଏପରିକି କେତେକ ସ୍ଥାନରେ ପୁଅକୁ ନେଇ ମହେଶ୍ୱର ବି ବସାଇଲେଣି । ତଥାପି ମନ୍ତ୍ର କାମ ଦେଉନି । ମହେଶ୍ୱରଙ୍କ ଛାପ ପାଇଁ ସୁନୀଲ କାଳେ ଗ୍ରହଣୀୟ ହେଉନଥିବା ଦଳ ଭିତରେ ଚର୍ଚ୍ଚା ହେଉଛି ।

Ads by Chasicare

ସେପଟେ ଲକିଙ୍କ ନାମ ଚର୍ଚ୍ଚାରେ । ସେ ପୁରୀ ବିଧାନସଭା ପାଇଁ ଯୋଗ୍ୟ ବୋଲି ବିଜେଡି ଦଳର ପୁରୁଖାମାନେ କହିଲେଣି । ସେ ବି ସଂଗଠନ ବଢ଼ାଇବାରେ ଲାଗିଛନ୍ତି । ପଞ୍ଚାୟତ ନିର୍ବାଚନରେ ସେ ବେଶ କାମ କଲେ, ସମିତି ଗଢ଼ିଲେ । ଜିଲ୍ଲା ପରିଷଦ ବି ହାତେଇ ନେଲେ । କେବଳ ସେତିକି ନୁହେଁ, ସମବାୟ ବ୍ୟାଙ୍କରେ ବି ଲକିଙ୍କ ସମର୍ଥକ । ନବୀନଙ୍କ ନିର୍ଦ୍ଦେଶରେ କାଳେ ଲୋକଙ୍କ କଥା ବୁଝୁଛନ୍ତି । ଏକଥା ମହେଶ୍ୱରଙ୍କର ହଜମ ହେଉନି । ବିବାଦ ବି ହେଲାଣି । ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ରଥଯାତ୍ରା ଠାରୁ ସାହି ଗଳିରେ ଟକ୍କର ଲାଗିଲାଣି । ସ୍ଥିତି ଏମିତି ହୋଇଛି ଯେ, ସମାଧାନ ପାଇଁ ମନ୍ତ୍ରୀ ସମୀର ଦାସ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ବୈଠକ ଡକାଇଥିଲେ । ହେଲେ ମହେଶ୍ୱର ସେଠାରେ ବି ଲକିଙ୍କୁ ତାଚ୍ଛଲ୍ୟ କରିଦେଲେ । ଏବେ ଲକି ପୂରା ଫାୟାର । ଯୁବପିଢ଼ୀଙ୍କୁ ନେଇ ଲକି ଏବେ ବିଜେଡିକୁ ଆଗକୁ ନେବା ପାଇଁ ଲାଗିଥିବା ଚର୍ଚ୍ଚା ଜୋର ଧରିଲାଣି । ଉପରୁ ବି ଳକିଙ୍କ ଉପରେ କାଳେ ଆଶୀର୍ବାଦ ରହିଛି । ତେଣୁ ସେ ସଂଗଠନକୁ ପୂରା ହାତେଇ ନେବାକୁ ବସିଲେଣି । ସବୁଠୁ ବଡ଼ କଥା ପୁରୀ ରାଜନୀତିରେ କିଛି କହିବା ଅସମ୍ଭବ । ପାଣି କେତେବେଳେ କୁଆଡ଼େ ଯାଇପାରେ ।

Exit mobile version