ବଦଳୁଛି ରାଜ୍ୟ ରାଜନୀତି: ଏକଜୁଟ ବିଜେପି, ବିଭାଜିତ ବିଜେଡି

ଭୁବନେଶ୍ୱର(ଦ କୁଇଭର): ଏକଜୁଟ ହେଉଛି ବିଜେପି । ପୂର୍ବରୁ ସମସ୍ତ ମନମାଳିନ୍ୟକୁ ଦୂର କରି ଏବେ ଏକତ୍ର ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇଲାଣି ଭାରତୀୟ ଜନତା ପାର୍ଟି । ଧାମନଗର ପରେ ପଦ୍ମପୁର ଟ୍ରେଲର କିନ୍ତୁ ସାମ୍ନାରେ ମିଶନ ୨୦୨୪ । ସେପଟେ ବିଭାଜିତ ହେଉଛି ବିଜେଡି । ବରିଷ୍ଠ ମାନେ ଦଳ ଭିତରେ ବିଦ୍ରୋହ କରୁଛନ୍ତି । ଉଭୟ ଦଳରେ ଏପରି ସ୍ଥିତିକୁ ନେଇ ବଦଳୁଛି ରାଜ୍ୟ ରାଜନୀତିର ପାଣିପାଗ । ବିଜେଡିକୁ ଗାଦିଚ୍ୟୁତ କରିବାକୁ ବିଜେପି ଲଢ଼େଇକୁ ଜୋରଦାର କରିଲାଣି । ନବୀନଙ୍କୁ ଆଉ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ଲାଗି ଗଲେଣି । ସେଥିପାଇଁ ମିଶିଗଲେଣି ବିଜେପିର ସପ୍ତରଥୀ । ବିଜେପିର ସପ୍ତରଥୀଙ୍କୁ ମୁକାବିଲା କରିବାକୁ ବିଜେଡି ବି କାଳେ ପ୍ରସ୍ତୁତ । ବିଜେଡିର କହିବା କଥା, ବିଜେପିର ସପ୍ତରଥୀ ଏକ ନବୀନଙ୍କୁ ସରି ନୁହନ୍ତି । ନବୀନଙ୍କ ସ୍ୱଚ୍ଛତା ବାଣରେ ବିଜେପି ଶିବିର ଧରାଶାୟୀ ହୋଇଯିବ । ଆଉ ପୁଣି ୨୦୨୪ରେ ଆସିବ ନବୀନ ସରକାର ।

ଓଡ଼ିଶାରେ ବିକ୍ଷିପ୍ତ ଥିଲା ବିଜେପି । ଧମେନ୍ଦ୍ରଙ୍କୁ ଅନେକେ ସହଯୋଗ କରୁନଥିଲେ । ଅପରାଜିତାଙ୍କ ଟିମ ଗୋଟେ ଆଡ଼େ ଥିଲା, ତ ବୈଜୟନ୍ତ ଥିଲେ ଭିନ୍ନ ଦିଗରେ । ସେପଟେ ପ୍ରତାପ ଷଢ଼ଙ୍ଗୀ ଭିନ୍ନ ଦିଗରେ ରହୁଥିଲେ । ଜୟନାରାୟଣ ମିଶ୍ର ଓ ସୁରେଶ ପୂଜାରୀ କାଳେ ଭିନ୍ନ ଗୋଠରେ ଥିଲେ । ବିଜେପିର ସଂଗଠନ ଯେତିକି ଥିଲା, ତାହାଠୁ ଅଧିକ ଥିଲା ଗୋଷ୍ଠୀ ବିବାଦ । ଓଡ଼ିଶାକୁ କେନ୍ଦ୍ରର ବିଜେପି ସରକାର ଅନେକ ପାଣ୍ଠଇ ଦେଉଥିଲେ । କେନ୍ଦ୍ରୀୟ ନେତା ବି ପ୍ରଶଂସା କରୁଥିଲେ । ସେଥିପାଇଁ ଦଳ ଭିତରେ ଥିଲା ଅସନ୍ତୋଷ । ଏବେ କିନ୍ତୁ ସ୍ଥିତି ବଦଳିଗଲାଣି । ଏଥର ବିଜେପିର ଟାର୍ଗେଟ ଓଡ଼ିଶା ଦଖଲ । ଆଉ ବିଜେଡିକୁ ଛାଡ଼ିବ ନାହିଁ । ଧାମନଗର ଉପନିର୍ବାଚନ ବେଳକୁ ପ୍ରାୟ ସମସ୍ତେ ଏକଜୁଟ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସମସ୍ତଙ୍କୁ ସାଙ୍ଗରେ ନେଇ ଯିବାକୁ ଆରମ୍ଭ କରିଦେଲେ । ତାଙ୍କ ଉଦ୍ୟମ ଏବେ ସଫଳ ହେଲାଭଳି ଲାଗୁଛି ।

ବିଜେପି କ୍ୟାମ୍ପରୁ ଖାପଛଡ଼ା ରହୁଥିବା ବୈଜୟନ୍ତ ପଣ୍ଡା ପଦ୍ମପୁରକୁ ଯାଇ ପ୍ରଚାର କରିଛନ୍ତି । କେବଳ ସେତିକି ନୁହେଁ, ପଦ୍ମପୁରରେ ପ୍ରଚାର ପାଇଁ ସାଂସଦ ଅପରାଜିତା ଷଢ଼ଙ୍ଗୀ ବି ଯିବାକୁ ଘୋଷଣା କରିଲେଣି । ଶୁକବାର ସେ ବି ମଇଦାନକୁ ଓହ୍ଲାଇବେ । ଅନ୍ୟପଟେ ବିଜେଡିରେ ଗୋଷ୍ଠୀ କନ୍ଦଳ ବିଭାଜନ ଆଡ଼କୁ ଟାଣୁଛି । ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ଦକ୍ଷିଣ ଓଡ଼ିଶାରେ ବ୍ୟାପକ ଡ୍ୟାମେଜ କରୁଛନ୍ତି । କେବଳ ସେତିକି ନୁହେଁ, ସଞ୍ଜୟ ଦାସବର୍ମା ଉପକୂଳ ସମେତ ଉତ୍ତର ଓ ପଶ୍ଚିମର ୧୪ ନେତାଙ୍କୁ ଦଳରୁ ଭାଙ୍ଗିବାକୁ ଲାଗିଛନ୍ତି ।

ନୀରବ ଥିବା ଦାମ ବି ବିଜେଡି ବିରୋଧରେ ବାଣ ମାରୁଛନ୍ତି । କେନ୍ଦୁଝରରେ ଅନେକ ଅସନ୍ତୁଷ୍ଟ ନେତା ଦଳ ଛାଡ଼ିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି । ବାଲେଶ୍ୱରରେ ରବି ଜେନା ବି କାଳେ ଖୁସି ନାହାନ୍ତି । ବିଜେଡି ଭିତରେ କନ୍ଦଳ ଜୋର ହେଉଥିବା ବେଳେ ବିଜେପି ଏକଜୁଟ ହେବା, ରାଜ୍ୟ ରାଜନୀତି ପାଣିପାଗକୁ ଗୋଳମାଳିଆ କରିଦେଉଛି । ତେବେ ବିଜେପି ଏକଜୁଟ ହୋଇ ବିଜେଡିକୁ ଧରାଶାୟୀ କରିବାରେ କେତେ ସଫଳ ହେବ ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *