ବିଜେପି ପାଇଁ ପ୍ରଚାର କଲେ ପ୍ରଦୀପ

ପଦ୍ମପୁର (ଦ କୁଇଭର): ପଦ୍ମପୁରବାସୀ ପ୍ରଦୀପ ପୁରୋହିତଙ୍କୁ ଭୋଟ୍ ଦିଅନ୍ତୁ । ନବୀନ ସରକାରଙ୍କ ପ୍ରଶାସନର ଅହଙ୍କାରକୁ ଭାଙ୍ଗି ଦିଅନ୍ତୁ । ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଗଲାଣି । ପଦ୍ମପୁରରେ ବିଜେଡିର ଲେଖା ଛିଡ଼ାଇ ଦିଅନ୍ତୁ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଭିତରେ ଘମାଘୋଟ ଲଢେଇ ଚାଲିଥିବା ବେଳେ ଆଜି ବିଜେପି ଆଡ଼କୁ ଢଳୁଥିବା ପ୍ରଦୀପ ପାଣିଗ୍ରାହୀ, ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତଙ୍କ ପାଇଁ ଭୋଟ୍ ମାଗିଛନ୍ତି । ବିଜେପିକୁ ଭୋଟ୍ ଦେବା କହି ବିଜେପି ସମର୍ଥନରେ ଯାଉଥିବା କଥାକୁ ସ୍ପଷ୍ଟ କରିଦେଇଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଚାଲରୁ ଆମେ ପୂର୍ବନୁମାନ କରିଥିଲୁ ଯେ, ପ୍ରଦୀପ ବିଜେପି ଆଡ଼କୁ ଢଳୁଛନ୍ତି । ଆଉ ଆଜି ସେ ଏହାକୁ ନିଜେ ହିଁ ପ୍ରମାଣିତ କରିଦେଇଛନ୍ତି । ପ୍ରଥମେ ଶୁଣନ୍ତୁ, ସେ ବିଜେପି ପାଇଁ କେମିତି ପ୍ରଚାର କରୁଛନ୍ତି ।

ବିଜେଡିରୁ ବିଦା ହେବା ପରେ ବେଶ୍ କିଛି ଦିନ ନିରବ ରହିଥିଲେ ପ୍ରଦୀପ । କିନ୍ତୁ ଆଉ ପାରିଲେନି । ବିଜେଡି ସରକାରରେ ଚାଲିଥିବା ଅଫିସରୀ ରାଜକୁ ସହ୍ୟ କରିନପାରି ଆରମ୍ଭ କଲେ ବାକ୍ ବିସ୍ଫୋରଣ । ସିଧାସଳଖ ନବୀନ ଓ ତାଙ୍କ ଶାସନରେ ଚାଲିଥିବା ଅଫିସରୀ ରାଜକୁ ଆଟାକ୍ କଲେ । କେବଳ ବିଜେଡିକୁ ଟାର୍ଗେଟ କଲେ ନାହିଁ, ବିଜେପିକୁ ପ୍ରଶଂସା ମଧ୍ୟ କଲେ । ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବାରୁ ପଦ୍ମପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଖୁଲମଖୁଲା ପ୍ରଚାର କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ ଖୋଲାଖୋଲି ଭାବେ କହିଛନ୍ତି, ପଦ୍ମପୁରବାସୀ ବିଜେଡିର ଲେଖା ଛିଡାଇ ଦିଅନ୍ତୁ । ନବୀନ ବାବୁଙ୍କର ଚେତା ପଶୁ । ନବୀନ ଆଖି ଖୋଲି ଦେଖନ୍ତୁ କ’ଣ ଚାଲିଛି ?

ବିଜେଡିରୁ ବିଦା ହେବା ପରେ ସେ ପୁଣି ଥରେ ଦଳରେ ପଶିବାକୁ ଉଦ୍ୟମ କରିଥିଲେ । ହେଲେ ବାରମ୍ବାର ଫେଲ ହେବା ପରେ ପ୍ରଦୀପ ନିଜର ଦିଗ ବଦଳାଇଥିଲେ । ଆଉ ପ୍ରଶଂସା ନୁହେଁ, ସିଧରସଳଖ ନବୀନଙ୍କୁ ଟାର୍ଗେଟ କରିଥିଲେ । ନବୀନ ସରକାରଙ୍କ ଦୁର୍ନୀତି ଓ ଅଫିସରୀ ରାଜ୍ ର ଗୁମର ଖୋଲିଲେ । ଏହାସହ ବିଜେପି ଓ ମୋଦୀ ସରକାରଙ୍କୁ ପରୋକ୍ଷରେ ପ୍ରଶଂସା କରୁଥିଲେ । କିନ୍ତୁ ପ୍ରଦୀପ ପୁରୋହିତଙ୍କ ପାଇଁ ତାଙ୍କ ପ୍ରଚାରରୁ ସ୍ପଷ୍ଟ ହୋଇଗଲା ଯେ, ପ୍ରଦୀପ ପାଣିଗ୍ରାହୀ ବିଜେପି ଆଡ଼କୁ ଢଳୁଛନ୍ତି ।

Leave a Reply

Your email address will not be published. Required fields are marked *