ଆନ୍ଦୋଳନରୁ ନ ଓହରିଲେ ଗିରଫ ହେବେ: ସୁପ୍ରିମକୋର୍ଟ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଆଇନଜୀବୀ ଆନ୍ଦୋଳନ କଲେ ବାତିଲ୍ ହେବ ଲାଇସେନ୍ସ । କେବଳ ଲାଇସେନ୍ସ ନୁହେଁ ବନ୍ଧା ହୋଇ ଜେଲ ବି ଯିବେ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲମାନଙ୍କ ଆନ୍ଦୋଳନକୁ ନେଇ ଖପ୍ପା ହେଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଯେଉଁମାନେ ଆନ୍ଦୋଳନରୁ ନ ଓହରୁଛନ୍ତି, ସେମାନଙ୍କ ଲାଇସେନ୍ସକୁ ବାତିଲ କରିବା ସହ ଆବଶ୍ୟକ ସ୍ଥଳେ ତାଙ୍କୁ ବନ୍ଧା ଯାଉ । ସାରା ରାଜ୍ୟରେ ସକିଲ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବିଭିନ୍ନ ଦାବି ନେଇ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଉଛନ୍ତି । ଯାହାଦ୍ୱାରା ନ୍ୟାୟିକ ବ୍ୟବସ୍ଥାରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନ୍ୟାୟ ଅପେକ୍ଷାରେ ଥିବା ଆଶାୟୀ ନ୍ୟାୟ ପାଇଁ ଅନେକ ହଇରାଣ ହେଉଛନ୍ତି । ତେଣୁ ଓକିଲମାନଙ୍କର ଦୀର୍ଘଦିନର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଆଜି ବର୍ଷିଛନ୍ତି । ବାର୍ କାଉନ୍ସିଲକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁମାନେ ଆନ୍ଦୋଳନରୁ ନ ଓହରୁଛନ୍ତି, ସେମାନଙ୍କ ଲାଇସେନ୍ସ ରଦ୍ଦ କର ଓ ତାଙ୍କୁ ଗିରଫ ବି କର ।

ଓଡ଼ିଶାରେ ଆନ୍ଦୋଳନକାରୀ ଓକିଲଙ୍କ କାର୍ଯ୍ୟଧାରା ନେଇ କ୍ଷୋଭ ପ୍ରକାଶ କରିବା ସହ ସୁପ୍ରିମକୋର୍ଟ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆକୁ ସ୍ପଷ୍ଟ ଭାବେ କହିଛନ୍ତି, ଅଦାଲତ ଗୁଡ଼ିକରେ ଶହେ ପ୍ରତିଶତ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ । ସମ୍ବଲପୁରରେ ହାଇକୋର୍ଟଙ୍କ ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଦୀର୍ଘଦିନ ଧରି ଦାବି ସହ ଓକିଲଙ୍କ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ମତ ରଖିଛନ୍ତି । ବିଚାରପତି ସଂଜୟ କିଷନ କାଉଉ ଓ ବିଚାରପତି ଅଭୟ ଏସ, ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ଆଇନଜୀବୀଙ୍କ ଆନ୍ଦୋଳନ ସମ୍ପର୍କୀତ ମାମଲାର ଶୁଣାଣି ହୋଇଥିଲା । ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଓଡ଼ିଶାର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ ଲାଇସେନ୍ସ ବିସିଆଇ ସସପେଣ୍ଡ କରିବେ ବୋଲି ଚାହୁଁଛୁ ।

ଏହାସହ ସୁପ୍ରିମକୋର୍ଟରେ ଶୁଣାଣି କରୁଥିବା ବେଞ୍ଚ୍ କହିଛନ୍ତି ଯେ, ସବୁ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବ ନୁହେଁ । ଏହାକୁ ନେଇ ଲମ୍ବା ସମୟ ଧରି ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟରେ ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଛି । ବିହାର ଭଳି ବଡ଼ ରାଜ୍ୟରେ ପାଟଣା ଠାରେ ଗୋଟିଏ ହାଇକୋର୍ଟରେ ବିଚାର ପ୍ରକ୍ରିୟା ଚାଲିପାରୁଛି ବୋଲି ଶୁଣାଣି ବେଳେ ବିଚାରପତି ଉଦାହରଣ ଦେଇ କହିଛନ୍ତି । ପଶ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ କୋର୍ଟ ଘେରାଉ, କୋର୍ଟ ଆଗରେ ଧାରଣା, ଜଜଙ୍କୁ ରୋକିବା, ଲୋକଙ୍କ ପ୍ରବେଶକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଯେ ପର୍ଯ୍ୟନ୍ତ ଓକିଲମାନେ କାମରେ ଯୋଗ ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ବାତିଲ୍ ହେବ ।

Leave a Reply

Your email address will not be published. Required fields are marked *