ଦଳୀୟ ପ୍ରଚାର ପାଇଁ କ’ଣ ମନ୍ତ୍ରୀ ହୋଇଥିଲେ ?

FILE PHOTO

ଭୁବନେଶ୍ୱର (ଦ କୁଇଭର): ବିଧାନସଭା ନୁହେଁ କି ହଜାର ହଜାର ଶିକ୍ଷକଙ୍କ ଆନ୍ଦୋଳନ ନୁହେଁ ବା ଲକ୍ଷ ଲକ୍ଷ ପିଲାଙ୍କ ଶିକ୍ଷା ଏ ସରକାରଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗୁରୁତ୍ୱପୂର୍ଣ୍ଣ କେବଳ ଉପନିର୍ବାଚନରେ ନିଜ ଝଣ୍ଡା ଉଡ଼ାଇବା । ଧାମନଗର ଭଳି ପଦ୍ମପୁର ଆସନ ଯେପରି ହାତରୁ ଖସି ନଯିବ, ସେଥିପାଇଁ ଶାସକ ଦଳର ସବୁ ନେତା, ମନ୍ତ୍ରୀ ଯାଇ ପଦ୍ମପୁରରେ ଡେରା ପକାଇଛନ୍ତି । ତେଣେ ବିଧାନସଭାକୁ ପଚାରେ କିଏ? ବିଧାନସଭାରେ ଶିକ୍ଷକମାନଙ୍କ ଦାବିକୁ ନେଇ ହୋହାଲ୍ଲା ଚାଲିଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ଦଳୀୟ ପ୍ରଚାରରେ ଲାଗିଛନ୍ତି । ବାହାରେ ଶିକ୍ଷକଙ୍କ ଋଣହୁଙ୍କାର, ଗୃହ ଭିତରେ ବିରୋଧୀଙ୍କ ହୋହାଲ୍ଲା ଚାଲିଥିବା ସତ୍ତେ୍ୱ ବିଭାଗୀୟ ମନ୍ତ୍ରୀ ଯାଇ ପଦ୍ମପୁରରେ ପ୍ରଚାରରେ ମାତିଛନ୍ତି । ସବୁଠୁ ବଡ଼ ଦୁଃଖର ବିଷୟ ବିଧାନସଭାର ପ୍ରଶ୍ନକାଳରେ ଉତ୍ତର ଦେବା ପାଇଁ ଖୋଦ୍ ବିଭାଗୀୟ ମନ୍ତ୍ରୀ ନାହାନ୍ତି । ଯାହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ କେବଳ ଦଳିମକଚି ଦେଉନି । କୋଟି କୋଟି ଜନସାଧାରଣ ଯେଉଁ ଆଶା ଓ ଭରଷା ନେଇ ଜନପ୍ରତିନିଧି ବାଛିଥିଲେ, ତାଙ୍କ ଆଶା ଭାଙ୍ଗି ଦେଉଛି ।

ବିଧାନସଭାରେ ଜାରି ରହିଛି ଶୀତ ଅଧିବେଶନ । ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ଦେଖିବାକୁ ମିଳିଥିଲା ଭିନ୍ନ ପରମ୍ପରା । ଗୃହରେ ଆର୍ଥିକ ବଜେଟ୍ ଉପସ୍ଥାପନ ହେଲା, କିନ୍ତୁ ଉପସ୍ଥିତ ନଥିଲେ ଅର୍ଥମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ସେହିପରି ହଜାର ହଜାର ଶିକ୍ଷକ ଲଗାତର ୩ ଦିନ ଧରି ରାଜରାସ୍ତାରେ ଖରା, ଶୀତକୁ ଖାତିର ନ କରି ନିଜ ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ଖୋଦ୍ ବିଭାଗୀୟ ମନ୍ତ୍ରୀ ଯାଇ ପଦ୍ମପୁର ଉପନିର୍ବାଚନରେ ଝାଳ ବୁହାଉଛନ୍ତି ।

ଏମାନେ କ’ଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦଳୀୟ ପ୍ରଚାର ପାଇଁ? ଲୋକମାନେ କ’ଣ ଏମାନଙ୍କୁ ନିର୍ବାଚିତ କରି ପଠାଇଥିଲେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ପାଇଁ? ବିଧାନସଭା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ, ଯେଉଁଠି ରାଜ୍ୟର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇ ଆଲୋଚନା କରାଯାଏ, ସେଠାରେ ଖୋଦ୍ ମନ୍ତ୍ରୀ ଉପସ୍ଥିତ ନ ରହିବା କ’ଣ ଦର୍ଶାଉଛି? ଶିକ୍ଷକମାନେ ଦୀର୍ଘ ୩ ଦିନ ହେଲା ରାଜରାସ୍ତାରେ ଗଡ଼ୁଛନ୍ତି, ହେଲେ ମନ୍ତ୍ରୀଙ୍କର ଦେଖା ଦର୍ଶନ ନାହିଁ । ଦେଖା ଦର୍ଶନ ତ ଦୂରର କଥା । ବିଧାନସଭାରେ ବି ଉପସ୍ଥିତି ରହୁନାହାନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏନେଇ ଆମେ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଯୋଗାଯୋଗ କରିବାରୁ ସେ ପଦ୍ମପୁରରେ ଥିବା କଥା ସ୍ପଷ୍ଟ କରିଛନ୍ତି ।

ଧନ୍ୟ ଏ ସରକାର, ଧନ୍ୟ ତାଙ୍କର ବ୍ୟବସ୍ଥା । ରାଜ୍ୟର ଶିକ୍ଷା ବ୍ୟବସ୍ଥା ଆଜି ରାଜରାସ୍ତାରେ । ଶିକ୍ଷକମାନେ ରାସ୍ତାରେ ଲଢେଇ କରୁଥିବା ବେଳେ ଅଧିକାଂଶ ସ୍କୁଲରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଲାଣି । ଅଥଚ ଏ ସରକାରଙ୍କ ମନ୍ତ୍ରୀ ଏତେ ଦାୟିତ୍ୱହୀନ ଯେ, ଏଠି ବିଧାନସଭା ଛାଡି ପଦ୍ମପୁର ଉପନିର୍ବାଚନରେ ମାତିଛନ୍ତି । କେବଳ ଏହି ଜଣେ ମନ୍ତ୍ରୀ ନୁହେଁ, ନବୀନ ସରକାରଙ୍କ ଅଧିକାଂଶ ମନ୍ତ୍ରୀ ମଧ୍ୟ ବିଧାନସଭାରେ ଉପସ୍ଥିତ ରହୁନାହାନ୍ତି । ସବୁ କାଳେ ଦଳୀୟ ପ୍ରଚାରରେ ଲାଗିଛନ୍ତି । ଦେଖାଯାଉ କେବେ ଏହି ଶିକ୍ଷକଙ୍କ ଦାବି ସରକାରଙ୍କ କାନରେ ବାଜୁଛି, ଆଉ ମନ୍ତ୍ରୀମାନେ ବିଧାନସଭା ଫେରୁଛନ୍ତି ।

Leave a Reply

Your email address will not be published. Required fields are marked *