Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପଦ୍ମପୁର ଜୋରଧରୁଛି ଇସ୍ତଫା ଲଢେଇ…

FILE PHOTO

ପଦ୍ମପୁର(ଦ କୁଇଭର): ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଲଢେଇକୁ ଟପି ଗଲାଣି ଇସ୍ତଫା ଚ୍ୟାଲେଞ୍ଜ । ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଇସ୍ତଫା ଚ୍ୟାଲେଞ୍ଚ ଏବେ ପଦ୍ମପୁର ଉପନିର୍ବାଚନକୁ ଆହୁରି ଗରମାଗରମ କଲାଣି । ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ସାଂସଦ ଓ ବିଜେଡି ବିଧାୟକ । ଆମେ କହୁଛୁ, ବିଜେଡି ବିଧାୟକ ସୁଶାନ୍ତ ସିଂ ଓ ବିଜେପି ସାଂସଦ ସୁରେଶ ପୂଜାରୀଙ୍କ କଥା । ସୁଶାନ୍ତ ସିଂ ସୁରେଶ ପୂଜାରୀଙ୍କୁ ଇସ୍ତଫା ଦେବା ପାଇଁ ଚ୍ୟାଲେଞ୍ଜ ଦେଇଥିବା ବେଳେ ସୁରେଶ ପୂଜାରୀ ସୁଶାନ୍ତ ସିଂଙ୍କୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ରୁହ ବୋଲି ଖୋଲାଖୋଲି କହିଛନ୍ତି । ଯାହାକୁ ନେଇ ରୋଚକ ସ୍ଥିତିରେ ପହଞ୍ଚିଛି ବରଗଡ଼ ରାଜନୀତି ।

Padampur By Election: MLA Sushant Singh and MP Suresh Pujari Challenge Each Other for Resignation

ପଦ୍ମପୁର ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଉପନିର୍ବାଚନ ମୈଦାନରେ ସେତେ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି । ଜିତିବା ହାରିବା ନେଇ ତ ଚ୍ୟାଲେଞ୍ଜ ହେଉଛି, ହେଲେ ଏବେ ଚାଲିଲାଣି ଇସ୍ତଫା ଦାବି । ତାହା ପୁଣି ଖୁଲମଖୁଲା । ବିଜେଡି ବିଧାୟକ ସୁଶାନ୍ତ ସିଂ ବନାମ ବିଜେପି ସାଂସଦ ସୂରେଶ ପୂଜାରୀ । ଉଭୟଙ୍କ ମଧ୍ୟରେ ଚାଲିଛି ଇସ୍ତଫା ଚ୍ୟାଲେଞ୍ଚ । ପଦ୍ମପୁରରେ ବିଜେପି ଜିତିଲେ ମୁଁ ରାଜନୀତି ଛାଡ଼ିଦେବି ବୋଲି ସୁଶାନ୍ତ ସିଂ କହିବା ପରେ ଏବେ ସରଗରମ ବରଗଡ଼ ରାଜନୀତି । ସୁଶାନ୍ତ ସିଂଙ୍କ ବୟାନ ପରେ ଏବେ ତାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ସେ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରି କହିଛନ୍ତି, ସୁଶାନ୍ତ ସିଂ ଇସ୍ତଫା ପତ୍ର ପ୍ରସ୍ତୁତ କରି ରଖିଥାଓ । ଡିସେମ୍ବରରେ ୫ରେ ପଦ୍ମପୁରରେ ପଦ୍ମ ଫୁଟିବ । ଭଟଲୀରେ ଆଉ ଏକ ଉପନିର୍ବାଚନ ହେବ, ଆଉ ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ ।

ସେପଟେ ସୁରେଶ ପୂଜାରୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ । କହିଛନ୍ତି, ଯଦି ପଦ୍ମପୁରରେ କୁନା ପୁରୋହିତ ହାରନ୍ତି, ତେବେ ଆପଣ ଇସ୍ତଫା ଦେବେ ତ? ଏହାର ଉତ୍ତର ରଖନ୍ତୁ । ପଦ୍ମପୁର ଉପନିର୍ବାଚନ ହାୱା ଏବେ ଜୋରରେ ବହିଲାଣି । ଆଉ ଏହାକୁ ଆହୁରି ସରଗରମ କଲାଣି ଉଭୟ ନେତାଙ୍କ ଇସ୍ତଫା ଚ୍ୟାଲେଞ୍ଜ । ତେଣୁ ପଦ୍ମପୁରରେ କିଏ ବାଜି ମାରିବ, କିଏ ଇସ୍ତଫା ଦେବ, ତାହା ୫ ତାରିଖରେ ଉପନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ କରିବ ।

Exit mobile version