ଟଙ୍କାର ସୁଅ ଛୁଟୁଛି

ପଦ୍ମପୁର (ଦ କୁଇଭର): ଓଡ଼ିଶାକୁ ଛୁଟୁଛି ଟଙ୍କାର ସୁଅ । ପୁଞ୍ଜି ନିବେଶ ପାଇଁ ଲାଗିଛି ଲମ୍ବା ଲାଇନ୍ । ଚଳିତ ବର୍ଷ ଆସିଛି ୯ ଲକ୍ଷ କୋଟି ଟଙ୍କାର ପୁଞ୍ଚି ନିବେଶ ପ୍ରସ୍ତାବ । ଖାଲି ଏ ବର୍ଷ ନୁହେଁ, ଗତ ୪ ବର୍ଷକୁ ଲକ୍ଷ କଲେ ଦେଖିବା ନବୀନ ସରକାରଙ୍କ ସମୟରେ ଏହି ଉଦ୍ୟମ ଫଳରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଚି ନିବେଶ ପ୍ରସ୍ତାବ ଆସିଛି । ଯଦି ଏତିକି ପୁଞ୍ଜି ବିନିଯୋଗ ହୋଇଥାନ୍ତା, ତାହେଲେ ଓଡ଼ିଶା ସୁନା ହୋଇଯାଇଥାନ୍ତା । ହେଲେ ବାସ୍ତବତା କ’ଣ ତାହା ଆମେ ଟିକେ ପରେ ଆଲୋଚନା କରିବା । ଏବେ ଆମେ ଦେଖିବା ଭୁବନେଶ୍ୱରରେ ଆୟୋଜିତ ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମ କଥା ।

ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ଗତ ଦୁଇ ଦିନରେ ଆସିଛି, ୯ ଲକ୍ଷ କୋଟି ଟଙ୍କାର ପୁଞ୍ଚିନିବେଶ ପ୍ରସ୍ତାବ । ୧୮୦ କମ୍ପାନୀମାନଙ୍କ ଠାରୁ ଆସିଛି ଏହି ପ୍ରସ୍ତାବ । ଏହାପୂର୍ବରୁ ଯଦି ଦେଖାଯାଏ, ମେକ୍ ଇନ ଓଡ଼ିଶା କନକ୍ଲେଭରେ ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଆସିଛି । ଓଡ଼ିଶାକୁ ଟଙ୍କାର ସୁଅ ଛୁଟିଛୁ । ଶିଳ୍ପର ତାଲିକା ଏଥର ୧୮୦, ଏହାପୂର୍ବରୁ ୧୪୦, ଏମିତି ଶହ ଶହ ତାଲିକା ଆସୁଛି । ଅନେକ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ଘୋଷଣା ହେଉଛି, ଶିଳାନ୍ୟାସ ବି ହେଉଛି । ହେଲେ ବାସ୍ତବରେ ଶିଳ୍ପ କାଇଁ? ମେକ୍ ଇନ ଓଡ଼ିଶା ପରଠାରୁ କେତେ ଶିଳ୍ପ ବାସ୍ତବ ରୂପ ନେଇଛି? ନା କେବଳ ସ୍ୱପ୍ନରେ ସ୍ୱପ୍ନରେ ଲକ୍ଷ ଲକ୍ଷ କୋଟି ଟଙ୍କା ଆସୁଛି? ଏହା ଏବେ ବଡ଼ ପ୍ରଶ୍ନ । ସବୁଠାରୁ ନିଚ୍ଛକ ସତ ହେଲା ଓଡ଼ିଶାରେ ଟଙ୍କାର ଘୋର ଅଭାବ । ଏହି ସରକାର ସମୟରେ ରାଜ୍ୟର ଋଣ ଭାର ଲକ୍ଷେ କୋଟିକୁ ପାର୍ କଲାଣି । ତଥାପି ଋଣ କରିବେ ସରକାର । କାରଣ ଆୟ ହେଉନି ।

ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସୁଛି, ହେଲେ ବିନିଯୋଗ ହୋଇପାରୁନି । ଶିଳ୍ପସଂସ୍ଥା ତ ସମ୍ମତି ଦେଉଛନ୍ତି, ହେଲେ ଉପଯୁକ୍ତ ଭିତ୍ତିଭୂମି ପାଇପାରୁନାହାନ୍ତି । ସେଥିପାଇଁ ଅନେକ ଶିଳ୍ପସଂସ୍ଥା ଓଡ଼ିଶା ଆସୁନାହାନ୍ତି । ଯାହା ହେଉ, ସରକାରଙ୍କ ଏହି ଉଦ୍ୟମ ବେଶ୍ ପ୍ରଶଂସନୀୟ । ଯେ, ସରକାର ଏଭଳି ଉଦ୍ୟମ କରୁଛନ୍ତି । ପୁଞ୍ଜିପତିମାନେ ଓଡ଼ିଶା ଆସି ପ୍ରତିଶ୍ରୁତି ଦେଉଛନ୍ତି । ଏବେ ଲାଗିଲାଣି, ଶିଳ୍ପପତିଙ୍କ ପ୍ରତିଶ୍ରୁତି ବି ନିର୍ବାଚନ ପ୍ରତିଶ୍ରୁତି ଭଳି । ଯେଭଳି ରାଜନୈତିକ ଦଳମାନେ ତାଙ୍କ ନିର୍ବାଚନୀ ଇସ୍ତାହାରରେ ରଖିଥାନ୍ତି, ବିଭିନ୍ନ ଯୋଜନା, ପ୍ରତିଶ୍ରୁତି ସବୁ ଜନସାଧାରଣଙ୍କୁ ଶୁଣାନ୍ତି । ଆଉ ପ୍ରତିଶ୍ରୁତି ସେଇଠି ହିଁ ସରିଯାଏ । ସେହିପରି ମେକ୍ ଇନ ଓଡ଼ିଶା କନକ୍ଲେଭ ମଞ୍ଚ ଗୋଟିଏ ପ୍ରତିଶ୍ରୁତିର ମଞ୍ଚ ହୋଇନି କି? ଆମେ ଏଥିପାଇଁ ଏ ପ୍ରଶ୍ନ ପଚାରୁଛୁ, କାରଣ ୨୦୧୬ରେ ଓଡ଼ିଶାରେ ହୋଇଥିଲା ଶିଳ୍ପ ମହାକୁମ୍ଭ ଅର୍ଥାତ୍ ମେକ୍ ଇନ ଓଡ଼ିଶା କନକ୍ଲେଭ । ସେବେଠାରୁ ଏହାଭିତରେ ୩ଟି କନକ୍ଲେଭ ଆୟୋଜିତ ହୋଇସାରିଲାଣି । ତା ଛଡ଼ା ପୁଞ୍ଜି ନିବେଶ ପାଇଁ ଦୁବାଇଠୁ ଇଟାଲୀ ଓ ଦେଶର ବିଭିନ୍ନ ମେଟ୍ରୋ ସିଟିକୁ ଯାଇ ପୁଞ୍ଜିପତିଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ହେଲେ ପୁଞ୍ଜି ବିନିଯୋଗ ହେଉଛି କେଉଁଠି? ଶିଳ୍ପ ପ୍ରତିଷ୍ଠା ହେଉଛି କେଉଁଠି?

ପୁଞ୍ଜି ନିବେଶ ପାଇଁ ସରକାର ଯେତିକି ଘୋଷଣା କରୁଛନ୍ତି, ତା ଭିତରୁ ଅଧାରୁ ଅଧିକ ଆଧୁନିକରଣ କରୁଛନ୍ତି । ଯାହାଦ୍ୱାରା ଶିଳ୍ପର ଆଧୁନିକରଣ ହେବା ସାଙ୍ଗରେ, ଶ୍ରମ ଭିତ୍ତିକ ଆବଶ୍ୟକତା କମୁଛି । ଶ୍ରମିକଙ୍କ ଆବଶ୍ୟକତା କମୁଛି, ମେସିନ୍ ବଢୁଛି । ସରକାରଙ୍କର ରାଜସ୍ୱ କିଛି ବୃଦ୍ଧି ହେଉଛି । କିନ୍ତୁ କିଛି ଜିନିଷ କିଣାରେ ଯାହା ଜିଏସଟି ପାଉଛନ୍ତି । ଆଉ କିଛି ନାହିଁ । ଦୀର୍ଘସ୍ଥାୟୀ ରାଜସ୍ୱ ଆଦାୟର ପନ୍ଥା କିଛି ନାହିଁ । ନୂଆ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ । ଯେଉଁ ଶିଳ୍ପ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବ, ସେମାନେ ଆସୁନାହାନ୍ତି । ତେଣୁ ଏଭଳି କ୍ଷେତ୍ରରେ ପୁଣି ମେକ୍ ଇନ ଓଡ଼ିଶାର ଟଙ୍କା ପ୍ରସ୍ତାବ କେତେ କାର୍ଯ୍ୟକାରୀ ହେବ, ତାହା ସମୟ କହିବ ।

Chasicare Biofloc in Odisha
Chasicare Biofloc in Odisha

Leave a Reply

Your email address will not be published. Required fields are marked *