ଚିନ୍ତାରେ ବିଜେଡି, ଚାଲିଛି ଘଣ୍ଟାଚକଟା

FILE PHOTO

ଭୁବନେଶ୍ୱର(ଦ କୁଇଭର): ଯେତେ କହିଲେ ବି ବିଜେଡିକୁ ଛାଡ଼ୁନି ପଦ୍ମପୁର ଟେନସନ । ୮ ତାରିଖ ଫଳାଫଳ ବିଜେଡି ସପକ୍ଷରେ ଯିବ କି ନାହିଁ ସେନେଇ ସେନେଇ ଚିନ୍ତା ଘାରିଛି । ଦଳୀୟ ନେତା ମାନେ ମୁଖିଆଙ୍କୁ ପଦ୍ମପୁର ବିଜେଡିର ବୋଲି ଯେତେ ଆଶ୍ୱାସନା ଦେଲେ ମଧ୍ୟ ମୁଖିଆ ବୁଝିବାକୁ ପ୍ରସ୍ତୁତ ନୁହନ୍ତି । କାରଣ ତୃଣମୂଳ ସ୍ତରରେ ଲୋକେ ବିଜେପି ଜିତିବ ବୋଲି କହୁଛନ୍ତି । ଉପରେ ନେତାମାନେ ବିଜେଡି ଜିତିବ ବୋଲି ରିପୋର୍ଟ ଦେଉଛନ୍ତି ।

ଗୁଇନ୍ଦା ବି ଦ୍ୱନ୍ଦରେ । ସତ କହିଲେ ମରିବ, ମିଛ କହିଲେ ଫସିବ । ତେଣୁ ରିପୋର୍ଟ କାଳେ ବଞ୍ଚାଇବା ଭଳି ଆସିଛି । ଏହାପରେ ବୁଧବାର ଦିନ ସାରା ନବୀନ ନିବାସରେ ଚଳାଇଥିଲେ ଘଣ୍ଟାଚକଟା । କେଉଁ ପଞ୍ଚାୟତରୁ କେତେ ଭୋଟ ମିଳିଛି, କେତେ କଟିଛି ତାହାର ହିସାବ ଦେଉଛନ୍ତି ଦାୟିତ୍ୱରେ ଥିବା ପୁରୁଖାମାନେ । ଯଦି ହିସାବ ଠିକ ହେଲା, ତେବେ ଦାୟିତ୍ୱରେ ନେଇଥିବା ନେତାମାନେ ନିଶ୍ୱାସ ମାରିବେ, ନହେଲେ ସେମାନେ ବି ଅଦୃଶ୍ୟ ହୋଇଯାଇ ପାରନ୍ତି । ସେଥିପାଇଁ ତଳ ଠୁ ଉପର ପର୍ଯ୍ୟନ୍ତ ଟେନସନ ଲାଗି ରହିଛି ।

୮ ତାରିଖ ବାହାରିବ ଫଳାଫଳ । ଧାମନଗର ବିଜେଡି ହାତରୁ ଯାଇଛି । ଏହାକୁ ନେଇ ବିଜେଡି ବେଶ ଚାପରେ ଥିଲା । ଏବେ ପଦ୍ମପୁର ଯଦି ହାତରୁ ଯିବ, ତେବେ କଥା ସରିଯିବ । ୨୦୨୪ ନିର୍ବାଚନ ପାଇଁ ସାରାରାଜ୍ୟରେ ବିଜେଡି ବିରୋଧରେ ଏକ ନକରାତ୍ମକ ବାର୍ତ୍ତା ଯିବ । ଯାହା ଦଳ ପାଇଁ ଶୁଭଙ୍କର ହେବ ନାହିଁ । ତେଣୁ ବିଜେଡି ନେତା ଓ ମନ୍ତ୍ରୀଙ୍କର ଛାତି ଧଡ଼ଧଡ଼ ହେଲାଣି । ଗୋଟିଏ ପଟେ ଦଳ ଭିତରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଯଦି ପଦ୍ମପୁର ନିର୍ବାଚନ ଦଳ ବିପକ୍ଷରେ ଗଲା, ତେବେ ବିଦ୍ରୋହୀଙ୍କ ସଂଖ୍ୟା ଆହୁରି ବଢ଼ିବ । ଯାହା ଦଳକୁ ପଛକୁ ଭିଡ଼ିବ । ୨୩ବର୍ଷର ଶାସନରେ ଜନଅସନ୍ତୋଷ ଯଥେଷ୍ଟ ରହିଛି । ଏପର୍ଯ୍ୟନ୍ତ ସେହି ଜନଅସନ୍ତୋଷକୁ କେହି ପୁଞ୍ଜି କରି ବିଜେଡିକୁ ମୁକାବିଲା କରିପାରୁ ନଥିଲେ । ଏବେ ବିଜେପି ଯଦି ଏକଜୁଟ ହୋଇ ଉପଯୁକ୍ତ ରଣନୀତି ସହ ଆଗେଇବ, ତେବେ ବିଜେଡି ଧରାଶାୟୀ ହେବା ବଡ଼ କଥା ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ।

ଆଉ ଯଦି ପଦ୍ମପୁର ବିଜେଡି ହାତକୁ ଗଲା, ତେବେ ବିଜେପି ପାଇଁ ମହଙ୍ଗା ପଡ଼ିବ । କାରଣ ବିଜେଡି ବି କମ୍ ନୁହେଁ । ଶେଷ ମୁହୂର୍ତ୍ତରେ ବାଜି ପଲଟାଇବାର କଳା ନବୀନ ଓ ତାଙ୍କ ଟିମ ପାଖରେ କାଳେ ରହିଛି । ଏବେ ଗୋଟିଏ ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ବୋଲି ବିଜେପିର ସମସ୍ତେ ଏକଜୁଟ ହୋଇଗଲେ । ମାତ୍ର ସାଧାରଣ ନିର୍ବାଚନରେ ବିଜେପି ପାଖରେ ପ୍ରତି ନିର୍ବାଚନ ମଣ୍ଡଳୀକୁ ଯିବ ପାଇଁ ନେତା ନାହାନ୍ତି । ଏହାବ୍ୟତୀତ ବିଜେପି ଭିତରେ ବି ବିଦ୍ରୋହୀ ରହିଛନ୍ତି । ଆରଏସଏସ ସମର୍ଥକ ଓ ନୂଆ ବିଜେପି ମଧ୍ୟରେ ତାଳମେଳ ରହୁନହିଁ । ଏହାକୁ ବିଜେଡି ଅସ୍ତ୍ର କରି ବିଜେପିକୁ ଜବାବ ଦେବ ଏବଂ ପୁଣି ଥରେ ବାଜି ଛଡ଼ାଇ ନେବ ବୋଲି କୁହାଯାଉଛି । ତେବେ ରାଜ୍ୟ ରାଜନୀତିର ଦିଗ କୁଆଡ଼େ ଯିବ ତାହା ୮ ତାରିଖରୁ ସୂଚନା ଦେବ ବୋଲି ଚର୍ଚ୍ଚା ଜୋର ଧରିଛି ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *