Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ କିଏ ?

ନୂଆଦିଲ୍ଲୀ (ଦ କୁଇଭର): ହିମାଚଳ ପ୍ରଦେଶରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? ଆଶାୟୀ ଅନେକ, ଦ୍ୱନ୍ଦରେ କଂଗ୍ରେସ । କାରଣ କଂଗ୍ରେସକୁ ଘାରିଛି ବିଦ୍ରୋହୀ ଚିନ୍ତା । ହିମାଚଳ ପ୍ରଦେଶ ନିର୍ବାଚନରେ କଂଗ୍ରେସ ବହୁମତ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ନିଷ୍ପତି ନେଇପାରୁନି । ଦଳ ଭିତରେ ଅନେକ ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ଅଛନ୍ତି । ତେଣୁ କାହାକୁ ସନ୍ତୁଷ୍ଟ କରି କାହାକୁ କ୍ଷମତା ଦେବ, ସେଥିପାଇଁ ଚିନ୍ତାରେ ହାଇକମାଣ୍ଡ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରତିଭା ସିଂ, ମୁକେଶ ଅଗ୍ନିହୋତ୍ରୀ ଓ ସୁଖବିନ୍ଦର ସିଂ ସୁଖବୁଙ୍କ ନାଁ ଆଗରେ ରହିଛି । ତଥାପି ଦଳ ନିଷ୍ପତ୍ତି ନେଇପାରୁନି, କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ।

୬୮ ସିଟ୍ ବିଶିଷ୍ଟ ହିମାଚଳ ବିଧାନସଭା ଆସନରୁ କଂଗ୍ରେସ ୪୦ଟି ସିଟ୍ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ହେଲେ ଦଳରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନାହିଁ । ଗତକାଲି ବସିଥିବା ବିଧାୟକ ଦଳ ବୈଠକରେ ନିଷ୍ପତି ହାଇକମାଣ୍ଡଙ୍କ ପାଖରେ ଛଡ଼ାଯାଇଛି । ତେଣୁ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ, ସରକାର ତିଷ୍ଠି ରହିବ, ସେଥିପାଇଁ ହାଇକମାଣ୍ଡ ଆଲୋଚନା କରୁଛନ୍ତି । କାରଣ ଯଦି ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତିରେ କୌଣସି ଏପଟସେପଟ ହେଲା, ତେବେ କଷ୍ଟେମଷ୍ଟେ ହିମାଚଳପ୍ରଦେଶ ହାତେଇ ଥିବା କଂଗ୍ରେସ ହାତରୁ ମଧ୍ୟ ଖସିଯାଇପାରେ । ଯଦି ଦଳ ଭିତରୁ କିଛି ଅସନ୍ତୁଷ୍ଟ ବାହାରିଲେ, ତେବେ ଏହା ଦଳ ପାଇଁ ମହଙ୍ଗା ପଡ଼ିପାରେ । ଏପରିକି ସରକାର ବି ଭାଙ୍ଗିଯାଇପାରେ । ସେଥିପାଇଁ ବହୁ ଭାବିଚିନ୍ତି ନିଷ୍ପତ୍ତି ନେଉଛି କଂଗ୍ରେସ ।

ସାରା ଦେଶରେ କଂଗ୍ରେସ ତଳିତଳାନ୍ତ ହେବାକୁ ଯାଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଭାରତ ଯୋଡ଼ୋ ଯାତ୍ରା । କଂଗ୍ରେସ କିପରି ପୁଣି ସୁଦୃଢ ହେବ, ସେଥିପାଇଁ ବରିଷ୍ଠମାନେ ଚିନ୍ତା କରୁଛନ୍ତି । ଏହାରି ଭିତରେ କଂଗ୍ରେସ ହିମାଚଳପ୍ରଦେଶରେ ଶାସନ କ୍ଷମତାକୁ ଦଖିଲ କରିଛି । ବିଜେପି ସରକାରକୁ ସେଠି ଚିତପଟାଙ୍ଗ କରିଛି । ତେଣୁ ହିମାଚଳବାସୀ କଂଗ୍ରେସ ଉପରେ ପୁଣି ଥରେ ଭରଷା କକରିଛନ୍ତି । ତଥାପି ଏପର୍ଯ୍ୟନ୍ତ କଂଗ୍ରେସ ତାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିପାରୁନି । ହିମାଚଳ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ, ଘନ ଘନ ବୈଠକ ବସୁଛି, ଆଲୋଚନା ହେଉଛି । କାହାକୁ ମୁଖ୍ୟମନ୍ତ୍ରୀ କରାଯିବ । ଅସନ୍ତୁଷ୍ଟଙ୍କୁ କିପରି ସନ୍ତୁଷ୍ଟ କରାଯିବ । ଏ ସବୁ କରିବା ପରେ କଂଗ୍ରେସ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଛି । ଦେଖାଯାଉ, କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁଛି ।

THE Quiver News in Facebook

Exit mobile version