Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କିଲ୍ ବିଲ୍ ହେଲାଣି ଚୀନ

ନୂଆଦିଲ୍ଲୀ (ଦ କୁଇଭର): ପୁଣି ଡ୍ରାଗନ ସେନାର ଔଦ୍ଧତ୍ୟ । ଡୋକଲାମ୍, ଗଲୱାନ ପରେ ଏବେ ନଜର ତୱାଙ୍ଗ । ସୀମାରେ ପୁଣି ଥରେ ମୁହାଁମୁହାଁ ହୋଇଛନ୍ତି ଭାରତ-ଚୀନ ସେନା । ଚୀନର ଦାଦାଗିରିକୁ ମୁତୋଡ ଜବାବ ଦେଇଛନ୍ତି ଭାରତ । ଚୀନର ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛନ୍ତି ଭାରତୀୟ ଜବାନ । ତେବେ ଏହି ସଂଘର୍ଷର ସାଟେଲାଇଟ୍ ଚିତ୍ର ଏବେ ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ ତୱାଙ୍ଗ ସେକ୍ଟରରେ ଚୀନ୍ ବସାଇଥିବା ଗାଁର ଫଟୋ ଏଥିରେ ଦେଖିବାକୁ ମିଳିଛି ଓ ଆର-ପାଶ୍ୱର୍ରେ ଚୀନ ସେନା ଏକ ସଡକ ମଧ୍ୟ ତିଆରି କରିଥିବା ଫଟୋରେ ନଜର ଆସିଛି । ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ଚୀନ ଏହାକୁ ଦକ୍ଷିଣ ତିଦ୍ଦତର ଏକ ଅଂଶ ବୋଲି ଦାବି କରିଆସୁଛି । ଉଭୟ ଦେଶ ମଧ୍ୟ ସୀମାକୁ ନେଇ ବିବାଦ ଲାଗି ରହିଛି ।

ସୂଚନାନୁସାରେ ଗତ ଡିସେମ୍ବର ୯ ତାରିଖରେ ସୀମାରେ ଭାରତ-ଚାଇନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିଦିନ ଚୀନ ସେନାର ୩୦୦ ଯବାନ ଅଚାନକ୍ ଆସି ନିୟନ୍ତ୍ରଣ ରେଖା ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ । ସୀମାରେ ଉପଯୁକ୍ତ ଜବାବ ଦେଇଥିଲେ ଭାରତୀୟ ଯବାନ । ଏହି ଘଟଣାରେ ୬ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନାମିଳିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି । ଚୀନ ସେନାର ମଧ୍ୟ ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡିଛି । ୨୦୨୦ ଗଲୱାନ ଘାଟି ଘଟଣାପରେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି । ଗଲୱାନ ଘାଟିରେ ହୋଇଥିବା ମୁହାଁମୁହିଁ ଘଟଣାରେ ଚୀନର ୪୫ ଜଣ ଯବାନ ନିହତ ହୋଇଥିଲେ । ଭାରତ ପକ୍ଷରୁ ମଧ୍ୟ ୨୦ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରଠାରୁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଦୁଇଦେଶର ସେନା ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଛି । ତେବେ ବେଶ କିଛି ଦିନର ନିରବତା ପରେ ପୁଣି ଥରେ ଚୀନ ନିଜର ଅସଲ ରୁପ ଦେଖାଇଛି ।

ଅନ୍ୟପଟେ ଚୀନ ଉପରେ ବର୍ଷିଛନ୍ତି ଅମିତ ଶାହା ଆଉ କହିଛନ୍ତି କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡି ଆସିଥିଲେ, କିନ୍ତୁ ମୋଦି ସରକାରରେ କେହି ଗୋଟିଏ ଇଞ୍ଚ ବି ନେଇପାରିବେନି । ଏଥିସହ ଭାରତୀୟ ଯବାନଙ୍କ ବୀରତ୍ୱ ପାଇଁ ପ୍ରଶଂସା କରିଛନ୍ତି ଅମିତ ଶାହା ।

THE Quiver News in Facebook

Exit mobile version