ଅଶାନ୍ତ ହେଉଛି କ୍ୟାମ୍ପସ୍, ବିଗୁଡ଼ୁଛି ଶିକ୍ଷାର ବାତାବରଣ

FILE PHOTO

ବ୍ରହ୍ମପୁର (ଦ କୁଇଭର): ଅଶାନ୍ତ ହେଉଛି କ୍ୟାମ୍ପସ୍, ବିଗୁଡ଼ୁଛି ଶିକ୍ଷାର ବାତାବରଣ । କଲେଜ କ୍ୟାମ୍ପସ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଲାଣି । ପିଲାମାନେ ଶିକ୍ଷା କମ, କୁଶିକ୍ଷା ଆଡ଼କୁ ଟାଣି ହୋଇଯାଉଛନ୍ତି । କୁସଙ୍ଗ ବଢିଯାଉଛି । କ୍ୟାମ୍ପସରେ ନିଶା ସେବନ ବଢୁଥିବାର ରିପୋର୍ଟ ମଧ୍ୟ ଆସୁଛି । ସ୍ଥିତି ଏମିତି ହେଲଣି ଯେ, କ୍ୟାମ୍ପସରେ ର୍ୟାଗିଂରେ ବନ୍ଦ ଥିଲେ ବି ରାଗିଂ ଦିନକୁ ଦିନ ବଢିଚାଲିଛି । ଆଉ ଅଣଛାତ୍ରମାନେ ଖୁଲମଖୁଲା କ୍ୟାମ୍ପସରେ ପଶି ଗଣ୍ଡଗୋଳ, ଭଙ୍ଗାରୁଜା ଓ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । କେଉଁଠି ପିଲାଙ୍କୁ ର୍ୟାଗିଂ କରାଯାଉଛି ତ ଆଉ କେଉଁଠି ଛାତ୍ରୀମାନଙ୍କ ସହ ଅସଦାଚରଣ ହେଉଛି ।

ତ ଆଉ କେଉଁଠି ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି । ଏଭଳି ଅନେକ ଦୃଶ୍ୟ ଭିନ୍ନ ଭିନ୍ନ ସ୍ଥାନରୁ ଦେଖିବାକୁ ମିଳୁଛି । ନିକଟରେ ଗଞ୍ଜାମର ଏକ କଲେଜରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅନେକ ତୁମ୍ବିତୋଫାନ ହୋଇଥିଲା । କେବଳ ଏହି ଭୋଯିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ କଲେଜ କ୍ୟାମ୍ପସରେ ଅନେକ ହିଂସାକାଣ୍ଡ ଘଟିଛି । କଲେଜରେ ତାଲା ପଡ଼ିଛି, ଲହୁ ଲୁହାଣ ହୋଇଛନ୍ତି ଛାତ୍ରଛାତ୍ରୀ । ଆଉ ଏହାର ମୁଖ୍ୟ କାରଣ ହେଉଛି କଲେଜ ଭିତରେ ଅଣଛାତ୍ରଙ୍କ ପ୍ରାର୍ଦୁଭାବ ।

ଆସନ୍ତୁ ଦେଖିବା ବର୍ତ୍ତମାନ କ୍ୟାମ୍ପସର ସ୍ଥିତି କ’ଣ? ଆପଣ ଦେଖୁଛନ୍ତି ଏହି ଦୁଇଟି ଦୃଶ୍ୟ । ଗୋଟିଏ କଲେଜରେ ଜଣେ ଛାତ୍ରୀଙ୍କୁ କିଛି ଛାତ୍ର ଅସଦାଚରଣ କରୁଥିବା ବେଳେ ଅନ୍ୟ ଏକ କଲେଜରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଅଣଛାତ୍ରମାନେ ଛାତ୍ରଙ୍କୁ ଗୋଡ଼େଇ ଗୋଡେଇ ପିଟୁଛନ୍ତି । ଯାହା ଶିକ୍ଷାନୁଷ୍ଠାନର ଶୈଖିକ ବାତାବରଣକୁ ନଷ୍ଟ କରୁଛି । ଦିନକୁ ଦିନ ଅଶାନ୍ତ ହେଉଛି କଲେଜ କ୍ୟାମ୍ପସ । ଦିନ ଥିଲା ଅଣଛାତ୍ର ପ୍ରବେଶ ଓ ହିଂସାକାଣ୍ଡକୁ ନେଇ ବେଶ୍ ବଦନାମ୍ ମୁଣ୍ଡାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । କଥା କଥାରେ ଗଣ୍ଡୋଗୋଳ, ମାରପିଟ୍, ଭଙ୍ଗାରୁଜା ହେଉଥିଲା ।

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପଶି ଅଣଛାତ୍ରମାନେ ଅନେକ ଗୁଣ୍ଡାରାଜ୍ କରୁଥିଲେ । ଯାହା ହେଉ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଏବେ ଟିକେ ଶାନ୍ତ ପଡ଼ିଛି ବାତାବରଣ । ଅନ୍ୟପଟେ ଅନେକ ସ୍ଥାନରେ କ୍ୟାମ୍ପସରେ ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟା ତଳେ, ଅଣଛାତ୍ରମାନେ ଏପରି ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ ହେଉଛି । ହିଂସାକାଣ୍ଡ ଘଟାଇବା ପରେ ଅଭିଯୋଗ ହେଲେ ମଧ୍ୟ ସ୍ଥାନୀୟ ବିଧାୟକ ଓ ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟ ବା ସମର୍ଥକ ହୋଇଥିବାରୁ ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଉଛି । ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ, କଲେଜ କ୍ୟାମ୍ପସ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ଯାହା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି । ଏହାକୁ ନ ରୋକିଲେ, ଆଗାମୀ ଦିନରେ ଏହା ନିଶ୍ଚିତ ରୂପେ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହେବ ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *