ବିଜେଡିର ଟେନସନିଆ ନେତା

FILE PHOTO

ଭୁବନେଶ୍ୱର (ଦ କୁଇଭର): ମହଙ୍ଗା ପଡ଼ିଲାଣି ବିଜେଡିକୁ ଡେଇଁବା । ବହୁ, ଆଶା ଭରଷା ଓ ପ୍ରତିଶ୍ରୁତି ପାଇ ବିଜେଡିରେ ମିଶିଥିଲେ । ଆଶା କରିଥିଲେ ଟିକେଟ୍ ମିଳିବ । ହେଲେ ତାଙ୍କୁ ମୁଖିଆ ଲଲିପପ୍ ଧରାଇ ବସାଇଦେଲେ । ଦରକାର ଥିଲା କୋଳେଇ ନେଇଥିଲେ, ଏବେ ପଚାରୁନାହାନ୍ତି । ଆଲୋଡ଼ା ହୋଇପଡ଼ିଛନ୍ତି । ଯାହାକୁ ନେଇ ଏବେ ଆମଦାନୀ ନେତାଙ୍କ ମଧ୍ୟରେ ଆରମ୍ଭ ହେଲାଣି ଅସନ୍ତୋଷ । ଆଗକୁ ୨୪ ନିର୍ବାଚନ ଥିବାରୁ ଏଥର ଟିକେଟ୍ ନ ମିଳିଲେ ଏମାନେ ନିଜ ନିଜ ଅଞ୍ଚଳରେ ଆତ୍ମଘାତୀ କାମ ବି କରିପାରନ୍ତି । କିଛି ବର୍ଷ ପୂର୍ବର ସ୍ଥିତିକୁ ଉପରେ ଯଦି ନଜର ପକାଇବା, ତେବେ କଂଗ୍ରେସରୁ ଆମଦାନୀ ହୋଇ ଆସିଥିବା ନେତାଙ୍କ ବେଶ୍ ପ୍ରଭାବ ଦଳ ଭିତରେ ଥିଲା । ହେଲେ ଏବେ ସେମାନଙ୍କ ଦବଦବା ଧୀରେ ଧୀରେ ଶଙ୍କୁଚିତ ହେବା ଭଳି ଲାଗିଲାଣି । ତେଣୁ ଏମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିଲାଣି । ଯାହା ବିଜେଡି ପାଇଁ ଟେନସନ ବଢାଇଛି ।

ଆସନ୍ତୁ ଦେଖିବା କେଉଁ ଆମଦାନୀ ନେତା ଏବେ ବିଜେଡିରେ କେଉଁ ସ୍ଥିତିରେ ଅଛନ୍ତି । ପ୍ରଥମେ ଦେଖିବା ଭୂପିନ୍ଦର ସିଂଙ୍କ କଥା । ସେ ଯେତେବେଳେ କଂଗ୍ରେସର ବିରୋଧୀ ଦଳ ନେତା ଥିଲେ, ସେତେବେଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅନେକ ପ୍ରଶଂସା କରିଥିଲେ । କିନ୍ତୁ ଏବେ ବିଜେଡିରେ ଥିଲେ ମଧ୍ୟ ନଥିବା ଭଳି ରହିଛନ୍ତି । ସେହିପରି କଂଗ୍ରେସରୁ ଆମଦାନୀ ହୋଇ ଆସିଥିବା ଅନେକ ନେତା ଏବେ ବିଜେଡିରେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଦଳ ଭିତରେ ତାଙ୍କର ଆଉ ଆବଶ୍ୟକ ନଥିବା ଭଳି ଲାଗୁଛି । ସେହିପରି ବିଜେଡିରେ ଯୋଗ ଦେଇଥିବା କଂଗ୍ରେସର ଆଦିବାସୀ ନେତା ପ୍ରଦୀପ ମାଝି ମଧ୍ୟ ଏବେ ଦଳ ଭିତରେ କାଳେ କଣଠେସା ହୋଇ ରହିଛନ୍ତି । କଂଗ୍ରେସରେ ଥିବା ସମୟରେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ଆଦିବାସୀ ନେତା ଭାବେ ବେଶ୍ ପରିଚିତ ଥିଲେ ପ୍ରଦୀପ ମାଝି । ହେଲେ ବିଜେଡିକୁ ଆସିବା ପରେ ତାଙ୍କର ଲୋକପ୍ରିୟତା କମିଥିବା ତାଙ୍କ ସମର୍ଥକମାନେ ହିଁ କହୁଛନ୍ତି । ବିଜେଡିରେ ମିଶିବା ପରେ ନିଜ ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ଆସନରେ ଭଲ ପ୍ରଦର୍ଶନ ନ କରିପାରିବାରୁ ତାଙ୍କୁ ଏକ ଛୋଟିଆ ନିଗମ ଦେଇ ତାଙ୍କ ରାଜନୀତିକୁ ସମାପ୍ତ କରିଦେବା ଭଳି ମନେ ହେଉଛି ।

ସେହିପରି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାଶ କୁଲେସିକା ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଦଳ ଭିତରେ ତାଙ୍କର ବି ଚିହ୍ନବର୍ଣ୍ଣ ନଥିବା ଭଲି ଲାଗୁଛି । ଏହାସହ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍ ହାଇଥିଲେ । ହେଲେ ତାଙ୍କର ମଧ୍ୟ ସମାନ ଅବସ୍ଥା । କିନ୍ତୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ କଂଗ୍ରେସରୁ ବିଜେଡିକୁ ଆମଦାନୀ ହୋଇଥିବା ନେତାମାନଙ୍କ ମଧ୍ୟରୁ ନବ ଦାସ ହେଉଛନ୍ତି ଏକମାତ୍ର ନେତା, ଯିଏ ବିଜେଡିର ଏବେ କ୍ଷମତା ଉପଭୋଗ କରୁଛନ୍ତି । ସେହିପରି ବ୍ରହ୍ମପୁରର ଟାଣୁଆ କଂଗ୍ରେସ ନେତା ଚନ୍ଦ୍ର ଶେଖର ସାହୁ ବିଜେଡିରେ ଯୋଗ ଦେଇ ସାଂସଦ ହୋଇଥିଲେ, ହେଲେ ଏବେ ଆଉ ତାଙ୍କର ସ୍ୱର ଶୁଭୁନାହିଁ । ତେଣୁ ଏହି ଆମଦାନୀ ନେତାମାନେ ଯେଉଁ ଆଶା ନେଇ ଶଙ୍ଖ ଶିବିରକୁ ଡେଇଁଥିଲେ, ସେଭଳି ଆଶା ପୂରଣ ନ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଲାଣି । ତେଣୁ ଆଗାମୀ ନିର୍ବାଚନରେ ସେମାନଙ୍କୁ ଟିକେଟ୍ ନ ମିଳିଲେ, ସେମାନେ ବି ବିଜେଡି ବିରୋଧରେ କାଳେ ସ୍ୱତ ଉତ୍ତୋଳନ କରିବାର ଆଭାସ ମିଳିଲାଣି । ତେଣୁ ଦେଖାଯାଉ, ଆଗକୁ ଆମଦାନୀ ନେତାଙ୍କୁ ବିଜେଡି କିଭଳି ଭାବେ ମ୍ୟାନେଜ୍ କରୁଛି ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *