ନବୀନ-ଧର୍ମେନ୍ଦ୍ରଙ୍କ ମଡେଲ ଯୁଦ୍ଧ

FILE PHOTO

(ଦ କୁଇଭର): ପଦ୍ମପୁର ଉପନିର୍ବାଚନ ପରେ ଆରମ୍ଭ ହୋଇଗଲା ମଡେଲ ଯୁଦ୍ଧ । ବିକାଶ ଯୁଦ୍ଧ ନୁହେଁ, ଭୋଟ୍ କେମିତି ହାତେଇବେ, ତାହା ହେଉଛି ଏଥର ନିର୍ବାଚନର ମୁଖ୍ୟ ମୁଦ୍ଦା । ବିଜେଡିର ପଦ୍ମପୁର ଆଉ ବିଜେପିର ଧାମନଗର ମଡେଲ । ଏହି ମଡେଲକୁ ନେଇ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଉଭୟ ଦଳ । ବିକାଶ କଥା ତ କେହି କହୁନାହାନ୍ତି, କଳ, ବଳ ଓ କୌଶଳ ଲଗାଇ କିପରି ଭୋଟ୍ ହାତେଇବେ ସେଇ ଲଢେଇ ଏବେ ଚାଲିବ । ସେଥିପାଇଁ ନବୀନ ନିବାସରେ ବସୁଛି ଘନ ଘନ କବାଟକିଳା ବୈଠକ । ଚାଲୁଛି ବିଚାର ବିମର୍ଷ । ପଦ୍ମପୁରର ମଡେଲକୁ ନେଇ କିପରି ଲୋକଙ୍କ ପାଖରେ ପହଞ୍ଚିପାରିବେ, ସେନେଇ ନେତାଙ୍କୁ ଦିଆଯାଉଛି ଗୁରୁମନ୍ତ୍ର । ସେପଟେ ବିଜେପି ମଧ୍ୟ ଧାମନଗର ମଡେଲକୁ ନେଇ ଭୋଟରଙ୍କୁ ପାଖରେ ପହଞ୍ଚିବା ପାଇଁ ଆରମ୍ଭ କଲାଣି ଉଦ୍ୟମ ।

ବିଶେଷକରି ଯଦି ବିଜେଡି ପ୍ରସ୍ତୁତି କଥା ଦେଖିବା, ତେବେ ୨୦୧୯ ନିର୍ବାଚନରେ ୪୪. ୭୧ ପ୍ରତିଶତ ଥିବା ବେଳେ ପଞ୍ଚାୟତ ନିର୍ବାଚନରେ ତାଠୁ ଅଧିକ ଭୋଟ୍ ବିଜେଡି ପାଇଥିଲା । ଆଉ ୨୦୨୪ରେ ସେମାନେ ୫୫ ପ୍ରତିଶତ ଭୋଟ୍ ନେବାପାଇଁ ରଣନୀତି ତିଆରି କରୁଛନ୍ତି । ସେଥିପାଇଁ ବିଜେଡିର ଟାର୍ଗେଟ ହେଉଛି, ସଭ୍ୟ ସଂଗ୍ରହ । ସାରା ରାଜ୍ୟରେ ଦେଢ କୋଟି ସଭ୍ୟ ସଂଗ୍ରହ କରିବ । ଯେଉଁ ଭୋଟ୍ ପାଇଗଲେ ୫୫ ପ୍ରତିଶତରୁ ୫୮ ପ୍ରତିଶତ ଭୋଟ୍ ବିଜେଡି ପକେଟରେ ରହିବ । ଏଥିପାଇଁ ବିଜେଡିର ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ରୁ ବିଜେଡି ତାର ଅଭିଯାନ ଆରମ୍ଭ କରିବ । ଶ୍ରୀକ୍ଷେତ୍ରରୁ ୨୦୨୪ ଲଢେଇର ମୂଳଦୁଆ ପକାଇବେ । ସେଇଠୁ ହିଁ ଆରମ୍ଭ ହେବ ଶଙ୍ଖନାଦ ।

ସେପଟେ ବିଜେପି ମଧ୍ୟ ପଦ୍ମପୁର ମଡେଲକୁ ନେଇ ମୈଦାନକୁ ଓହ୍ଲାଇବାକୁ ସଜବାଜ ହେଲଣି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେଣି, ଧାମନଗର ହେଉଛି ଆମ ମଡେଲ । ଆମେ ଧାମନଗରରେ ଏକଜୁଟ୍ ହୋଇ ଯେମିତି ଲଢିଲୁ, ଲୋକଙ୍କୁ ବୁଝେଇଲୁ, ସେମିତି ୨୪ ନିର୍ବାଚନ ଲଢାଯିବ । ଏହାସହ ସେ କହିଛନ୍ତି, ଧାମନଗର ଓ ପଦ୍ମପୁର ଉପନିର୍ବାଚନ ବିଜେପିକୁ ଅନେକ ଶିକ୍ଷା ଦେଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅପରାଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ । ଓଡ଼ିଶାବାସୀ ବିଜେପିଠାରୁ ଏହା ଆଶା କରୁଥିବା କହିଛନ୍ତି ଧର୍ମେନ୍ଦ୍ର ।

୨୪ ନିର୍ବାଚନକୁ ଆହୁରି ବର୍ଷେ ବାକି ଥିବା ବେଳେ ଏବେଠୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ସବୁ ଦଳ ବିଶେଷ କରି ବିଜେଡି ଆଉ ବିଜେପି ସେମାନଙ୍କର ପ୍ରସ୍ତୁତିରେ କଲାଗିପଡ଼ିଲେଣି । ଉଭୟେ ଉଭୟଙ୍କ ମଡେଲକୁ ନେଇ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି । ତେଣୁ ଲୋକେ କାହା ମଡେଲକୁ ଅଧିକ ପସନ୍ଦ କରୁଛନ୍ତି, ତାହା ସମୟ କହିବ ।

THE Quiver News in Facebook
Chasicare Biofloc in Odisha

Leave a Reply

Your email address will not be published. Required fields are marked *