Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମମିତା ମେହେର ମାମଲା ସଫା

FILE PHOTO

(ଦ କୁଇଭର): ମମିତା ମେହେର ହତ୍ୟା ଘଟଣାର ଫାଇଲ୍ ବନ୍ଦ । ଅଭିଯୁକ୍ତ ନାହିଁ, ତେଣୁ କେଶ୍ ବି ନାହିଁ । ଗୋବିନ୍ଦଙ୍କ ମୃତ୍ୟୁ ସହ ବନ୍ଦ ହୋଇଗଲା ମାମଲା । ଗୋବିନ୍ଦ ସାହୁ ଅଭିଯୁକ୍ତ ବୋଲି ପ୍ରମାଣିତ ହୋଇଯାଇଥିଲେ କୋର୍ଟ ଫାସୀରେ ଝୁଲିବା ପୂର୍ବରୁ ନିଜକୁ ନିଜେ ଫାଶୀରେ ଝୁଲାଇଦେଲେ । ସେ ନିଜକୁ ଦୋଷୀ ବୋଲି ଝୁଲିଗଲେ ନା ଅନ୍ୟକେହି ଦୋଷରୁ ବଞ୍ଚିବା ପାଇଁ ତାଙ୍କୁ ଝୁଲାଇଦେଲେ? ନା ତାଙ୍କୁ ଝୁଲିବା ପାଇଁ ବାଧ୍ୟ କରାଗଲା? ତାହା ଏବେ ବି ସନ୍ଦେହ ଘେରରେ । ଆମେ ସେ ଦିଗକୁ ଯାଉନାହୁଁ । କିନ୍ତୁ ଏହି ଘଟଣାକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ଏହି ମାମଲା ଆଇନଗତ ଦୃଷ୍ଟିକୋଣରୁ ବନ୍ଦ ହୋଇଯାଇଛି ।

ଏକଥା ଏବେ ଆଇନଜୀବୀମାନେ କହିଲେଣି । ପ୍ରଥମେ ଶୁଣନ୍ତୁ କ’ଣ କହୁଛନ୍ତି ଗୋବିନ୍ଦଙ୍କ ଓକିଲ । କିଛି ମାସ ତଳେ ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲୁ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ ବିରୋଧୀ । କ୍ୟାପଟେନଙ୍କ ଇଙ୍ଗିତରେ କାଳେ ଏସବୁ ଘଟିଥିବା ଅଭିଯୋଗ ହୋଇଥିଲା । ତେଣୁ ସେତେବେଳେ ସରକାର ନିଜ ଉପରୁ କଳଙ୍କ ହଟାଇବା ପାଇଁ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରିଥିଲେ । ଏହି ଘଟଣା ଘଟିବା ପରେ ଟିଟଲାଗଡ଼ ବ୍ୟାରେକରୁ ଗୋବିନ୍ଦ ଖସିଯିବା ଘଟଣା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ମଙ୍ଗଳବାର ଦିନ ସେ କଣ୍ଟାବାଞ୍ଛି ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି । ଆଉ ଏହି ଆତ୍ମହତ୍ୟା ସହିତ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ପୂର୍ଣ୍ଣଛେଦ ପଡ଼ିଛି ।

ମମିତା ମେହେର ହତ୍ୟା ମାମଲାକୁ ନେଇ ଦୀର୍ଘଦିନ ହେବ ବିରୋଧୀ ତୁମ୍ବିତୋଫାନ କରୁଥିଲେ । ଗାଁ ଠୁ ସହର ସବୁଠି ହୋ ହାଲ୍ଲା କରୁଥିଲେ । ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ବ୍ରାଣ୍ଡ ଉପରେ ଏହି ମମିତା ମେହେର ଘଟଣା ଏକ କଳଙ୍ଗ ବୋଳିଦେଇଥିଲା । ସରକାରଙ୍କ ପାଇଁ ଏହି ମାମଲା ଏକ ବଡ଼ ଚିନ୍ତାର କାରଣ ପାଲଟିଥିଲା । ତେଣୁ ଗୋବିନ୍ଦଙ୍କ ମୃତ୍ୟୁପରେ ସରକାରଙ୍କ ମୁଣ୍ଡରୁ କାଳେ ଟେନସନ ଓହରିଯାଇଛି । ରାଜ୍ୟ ସରକାରଙ୍କ ସ୍ୱଚ୍ଛତାରେ ଲାଗିଥିବା ମମିତା ମେହେର କଳଙ୍କ ପୂରା ସଫା ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି ।

Exit mobile version