ମଣିଷମରା କମ୍ପାନୀ

FILE PHOTO

(ଦ କୁଇଭର): ମଣିଷ ମରା କମ୍ପାନୀ । କେତେବେଳେ ଧୂଆଁ, ପ୍ରଦୂଷଣ ଦ୍ୱାରା ଲୋକଙ୍କୁ ମାରୁଛି ତ ଆଉ କେତେବେଳେ ବଡ଼ ବଡ଼ ଗାତ ଖୋଳି ଲୋକଙ୍କୁ ମରିବାକୁ ଛାଡ଼ିଦେଉଛି । ପାହାଡି ଆଦିବାସୀଙ୍କ ପାଇଁ ଏବେ ଅଭିଷାପ ପାଲଟିଛି ଏହି ଘରୋଇ କମ୍ପାନୀ । ନା ଏମାନେ ପ୍ରଦୂଷଣର ନିୟମ ମାନୁଛନ୍ତି ନା ଆପଣାଉଛନ୍ତି କୌଣସି ନିରାପତ୍ତା ବ୍ୟବସ୍ଥା । ଖଣି ଅଞ୍ଚଳରୁ ଏମାନେ ମୂଲ୍ୟବାନ ଖଣିଜ ପଦାର୍ଥ ଲୁଟି ମାଲେମାଲ ହେଉଛନ୍ତି । ହେଲେ ଏହାପରେ ମରଣମୁହଁରେ ପଡ଼ୁଛନ୍ତି ସାଧାରଣ ଲୋକେ । ଆମେ ଏଠି କହୁଛୁ, କେନ୍ଦୁଝଲ ଜିଲ୍ଲା ବାମେମାରୀ ଥାନା ଅଧୀନ ଜରିବାହାଲ କାସଭି ଖଣି ପରିସର କଥା । ଏହି କମ୍ପାନୀ କିପରି ଲୋକଙ୍କ ପାଇଁ ମରଣଜନ୍ତା ବିଛାଇଛି ଆସନ୍ତୁ ଦେଖିବା ।

ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଇଏ ହେଉଛି କାସଭି ଖଣି ପରିସରର ଦୃଶ୍ୟ । ଯେଉଁଠୁ କମ୍ପାନୀ ଖଣିଜ ସାମଗ୍ରୀ ଉତ୍ତୋଳନ ପରେ ସେ ଯାଗାକୁ ଖୋଲା ଭାବେ ଛାଡ଼ିଦେଇଛି । ଖଣିଜ ପଦାର୍ଥ ତ ଉତ୍ତୋଳନ କରି ନେଇଗଲା, ହେଲେ ଉକ୍ତ ସ୍ଥାନରେ କୌଣସି ନିରାପତ୍ତା ବ୍ୟବସ୍ଥା କରିବାକୁ ଉଚିତ୍ ମନେ କଲା ନାହିଁ । ଯାହାର ପରିଣାମ ହେଉଛି ଏହି ଦୃଶ୍ୟ । ଏହି ଜଳପୂର୍ଣ୍ଣ ଗାଡିଆରୁ ଗୋଟିଏ ବାଇକ୍ ସହ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ଚର୍ଚ୍ଚା ହେଉଛି । ହେଲେ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ ଏହା ଏକ ଦୁର୍ଘଟଣା ବୋଲି ଚର୍ଚ୍ଚା ହେଉଛି । ଯଦି ଦୁର୍ଘଟଣା ହୋଇଥାଏ, ତାହେଲେ ପ୍ରଶ୍ନ ଆସିବ, କାହିଁକି ଏତେ ବେଫିକର କମ୍ପାନୀ କର୍ତ୍ତୃପକ୍ଷ? ଖଣିଜ ପଦାର୍ଥ ଉତ୍ତୋଳନ ପରେ ନିରାପତ୍ତା ବ୍ୟବସ୍ଥାକୁ କେମିତି ଭୁଲିଯାଉଛି କମ୍ପାନୀ ? ସାଧାରଣଙ୍କ ଲୋକଙ୍କ ଜୀବନ କ’ଣ କମ୍ପାନୀ ସାମ୍ନାରେ ମୂଲ୍ୟବାନ ନୁହେଁ? ନା କେବଳ ବୋର୍ଡ ମାରିଦେଇ କାମ ସାରିଦେଇଛି କମ୍ପାନୀ ?

କେବଳ ଏହି ଗୋଟିଏ କମ୍ପାନୀ ନୁହେଁ, କେନ୍ଦୁଝଣ ଖଣି ଅଞ୍ଚଳରେ ଏମିତି ଅନେକ କମ୍ପାନୀ ପ୍ରଦୂଷଣର କାଣିଚାଏ ନିୟମ ବି ମାନୁନାହାନ୍ତି । ପୂର୍ବରୁ ଆମେ ଦେଖାଇଥିଲୁ କିପରି କମ୍ପାନୀମାନେ ଏତେ ପ୍ରଦୂଷଣ କରୁଛନ୍ତି ଯେ, ସ୍ଥାନୀୟ ଲୋକେ ନିଶ୍ୱାସ ନେବା ବି କଷ୍ଟକର ହୋଇପଡ଼ିଲାଣି । ଆଉ ଏବେ କମ୍ପାନୀ ବିଛାଇଛି ମରଣଜନ୍ତା । ନିୟମକୁ ତିଳେମାତ୍ର ଖାତିର କରୁନଥିବା କମ୍ପାନୀମାନଙ୍କ ଉପରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *