ଧର୍ମେନ୍ଦ୍ରଙ୍କ କାର୍ପଣ୍ୟତା

FILE PHOTO

(ଦ କୁଇଭର): ଯେତେବେଳେ ହକି କଥା ଆସେ, ସେତେବେଳେ ଓଡିଶାର ନାଁ ଆପେ ଆପେ ଟାଣି ହେଇ ଆସେ । କାରଣ ଭାରତୀୟ ହକି କ୍ଷେତ୍ରରେ ଓଡିଶାର ଅବଦାନ ବହୁତ୍ । ଯଦି ଦେଖିବା ମାଇକେଲ କିଣ୍ଡୋ ହୁଅନ୍ତୁ ବା ଦିଲିପ ତିର୍କୀ, ପ୍ରବୋଧ ତିର୍କୀ, ମହିଳା ହକି ଖେଳାଳୀ ନମିତା ଟପୋ ବା ଲିଲିମା ମିଞ୍ଜ୍ । ଏମାନେ ବିଶ୍ୱକୁ ଓଡ଼ିଶାର ଅବଦାନ । ଏବେ ବିଶ୍ୱ ହକିରେ ଓଡିଶାର ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଆଉ ସେହି ଆରମ୍ଭ ହେବା ପଛରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଦଳମତ ନିର୍ବିଶେଷରେ ଭଲକୁ ଭଲ ଆଉ ମନ୍ଦକୁ ମନ୍ଦ କହିବା ଉଚିତ୍ । ଭଲ କାମ ପାଇଁ ଜଣେ ପ୍ରସଂଶା କଲେ, ପ୍ରସଂଶା କରୁଥିବା ଲୋକର ମହତ୍ୱ କମିଯାଏନି ।

ଲଗାତର ଦୁଇଥର ହକି ବିଶ୍ୱକପ୍ ଆୟୋଜନ କରି ଓଡିଶା ସାରା ବିଶ୍ୱରେ ଚର୍ଚ୍ଚିତ । ଆଉ ତାର ଶ୍ରେୟ ନବୀନଙ୍କୁ ନିଶ୍ଚିତ ଯିବ । ଏଥିରେ କେନ୍ଦ୍ରର ସହଯୋଗ ନିଶ୍ଚିତ ରହିଛି । ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । କିନ୍ତୁ ଏହିସବୁ ପ୍ରକ୍ରିୟା ନବୀନଙ୍କ ପାଇଁ ହିଁ ସଫଳ ହୋଇପାରୁଛି । ଗତକାଲି ଓଡ଼ିଶାରେ ହକି ବିଶ୍ୱକପର ପ୍ରସ୍ତୁତି ସମ୍ପର୍କରେ ସର୍ବଦଳୀୟ ବୈଠକ ଡାକିଥିଲେ ନବୀନ । ସେଠି ସମସ୍ତେ ଉପସ୍ଥିତ ହେଇ ସହଯୋଗ ବି କରିଛନ୍ତି । କେନ୍ଦ୍ରରେ ବିଜେପି ସରକାର ହେଲେ ବି ଓଡିଶାକୁ ଅନେକ ସହଯୋଗ କରୁଛନ୍ତି । କାରଣ ଏହା ଗୋଟିଏ ବିଶ୍ୱସ୍ତରୀୟ କ୍ରୀଡା ଉତ୍ସବ କହିଲେ ଭୁଲ ହେବନି । ଏହାଦ୍ୱାରା ଓଡିଶାକୁ ସବୁ କ୍ଷେତ୍ରରୁ ସମୃଦ୍ଧି ମିଳିବ । କିନ୍ତୁ ଏଠି ଗୋଟିଏ ପ୍ରସଙ୍ଗ ଚର୍ଚ୍ଚାକୁ ଆସୁଛି, ତାହା ହେଉଛି, ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ପ୍ରାୟ ସମସ୍ତଙ୍କୁ ଖୁସି କରିପାରିଲାନି ।

ହଁ ସମସ୍ତେ ଖୁସି ନ ହୁଅନ୍ତୁ, ଧର୍ମେନ୍ଦ୍ରଙ୍କ କ’ଣ ଯାଏଆସେ, ବା ସମସ୍ତଙ୍କୁ ଖୁସି କରିପାରିବା ଟା ଯେ ସମ୍ଭବ ତାହା ବି କହିହେବନି । କିନ୍ତୁ ସିଏ ଟିକେ କାର୍ପଣ୍ୟତା ଦେଖାଇଛନ୍ତି ତାଙ୍କ ବକ୍ତବ୍ୟରେ । ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଜଣାଇବା କଥା ବି । ଏହାସହ ଓଡ଼ିଶା ସରକାରଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି, ହେଲେ ନବୀନ ବାବୁଙ୍କ ନାଁ ନେଇନାହାନ୍ତିି । ରାଜ୍ୟ ସରକାର ପୂର୍ବରୁ ବି ଥିଲେ, ଯିଏ ହକି, ଫୁଟବଲ ବା କ୍ରୀଡାକୁ ଏତେ ପ୍ରୋତ୍ସାହନ କରିନାହାନ୍ତି ।

ଯାହା ବି ହେଉ ନବୀନ ଏଠି ପ୍ରଶଂସା ପାଇବାକୁ ଯୋଗ୍ୟ । ତାଙ୍କୁ ଧର୍ମେନ୍ଦ୍ର ତାଙ୍କ ନାଁ ନ ନେଇ ପ୍ରଶଂସା ନ କଲେ ବି ସାରା ବିଶ୍ୱ ଏ କ୍ଷେତ୍ରରେ ପ୍ରଶଂସା କରିବ । ବିଶେଷକରି ଏହି ପ୍ରସଙ୍ଗରେ । କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ହିସାବରେ, ବା ତାଙ୍କ ସମର୍ଥକ ଦାବି କରୁଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର । ସେଭଳି ଆସନରେ ବସିଥିବା ଜଣେ ବ୍ୟକ୍ତି ନବୀନଙ୍କୁ ଯଦି ପ୍ରଶଂସା କରିଥାନ୍ତେ, ତାହେଲେ କିଛି ଅସୁବିଧା ହୋଇନଥାନ୍ତା । ତାଙ୍କର ମହାନତା ଦିଶିଥାନ୍ତା । ଆଉ ଏହି କ୍ଷେତ୍ରରେ ନବୀନ ଟିକେ ଭିନ୍ନ । ଦେଖନ୍ତୁ ନବୀନଙ୍କ ଟ୍ୱିଟରେ ଭାରତ ସରକାରଙ୍କୁ ଧନ୍ୟବାଦ ଦେବା ସହ ବିଶେଷ ଭାବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେଣୁ ନବୀନଙ୍କ ମହାନତାକୁ ବିରୋଧୀମାନେ ଶିଖିବାର ଆବଶ୍ୟକତା ପଡ଼ିଲାଣି ।

Leave a Reply

Your email address will not be published. Required fields are marked *