ମହାମହିମଙ୍କ ମହାବାର୍ତ୍ତା: ଆପଣାଇବେ ତ ନେତାମାନେ ?

ନୂଆଦିଲ୍ଲୀ(ଦ କୁଇଭର ବ୍ୟୁରୋ): ସାରା ଦେଶରେ ଗୁଞ୍ଜରିଲା ସନ୍ଥ କବିଙ୍କ ବାଣୀ । ମାହାମହିମ ଦେଲେ ମହା ସମ୍ମାନ । ସବୁ ଦଳର ନେତାମାନେ ଟିକିଏ ଭଲ କି ନିରିକ୍ଷେଇ କାନ ଦେଇ ଶୁଣ । କ’ଣ କହୁଛନ୍ତି ଆମ ମହାମହିମ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ସନ୍ଥକବି ଭୀମଭୋଇଙ୍କ ଏହି ଉକ୍ତି ହୁଏତ ଓଡିଶାର ସଭ୍ୟତା ଭୁଲିଯାଇଥିବ । କିନ୍ତୁ ଓଡିଆ ଝିଅ ଦିଲ୍ଲୀ ଦରବାରରେ ସନ୍ଥକବିଙ୍କର ଏହି ପକ୍ତିଂ ଟି କହି ତାଙ୍କୁ ତ ସମ୍ମାନିତ କରିଛନ୍ତି, ଏହାସହ ସାରା ଦେଶର ନେତାଙ୍କୁ ଏକ ମହତ ଶିକ୍ଷା ବି ଦେଇଛନ୍ତି ।

ଆଜି ମହାମହିମଙ୍କ ଶପଥ ଉତ୍ସବରେ ସମସ୍ତେ ବେଶ ଉତ୍ସାହିତ ଥିଲେ । ସମସ୍ତେ ବି ଶୁଣିଲେ ମହାମହିମଙ୍କ ସେହି ମହାବାର୍ତ୍ତା । ସେ ତାଙ୍କ ଅଭିଭାଷଣରେ ଦେଶବାସୀଙ୍କୁ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଲେ । ହେଲେ ତାଙ୍କର ଏହି ମହତ୍ୱକୁ ନେତାମାନେ ଆଗ କାର୍ଯ୍ୟକାରୀ କରନ୍ତୁ । ସେ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ଏଭଳି ନୀତି ଆପଣାଇବା ଉଚିତ୍ । କିନ୍ତୁ ଏବେ ନେତାମାନେ ‘ଦେଶ ପଛେ ନର୍କେ ପଡିଥାଉ ମୁଁ ଉଦ୍ଧାର ହୁଏ ନୀତି’ ଆପଣାଉଛନ୍ତି । କୋଟି କୋଟି ଟଙ୍କା ବିଭିନ୍ନ ସଂପର୍କୀୟ ଲୋକଙ୍କ ଘରେ ନେଇ ଥାପି ଦେଉଛନ୍ତି, ଟଙ୍କାର ପାହାଡ ଉପରେ ବସୁଛନ୍ତି । ଏମାନେ ସଂପତ୍ତି ବଢାଇ ଚାଲିଛନ୍ତି । ସେ ନେତା ମାନେ ‘ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’, ଏହି ଉକ୍ତିର ମାହାତ୍ମ୍ୟ ରଖିବେ କି । ନେତାମାନେ ଆପଣାଇବେ ତ ଏହି ନୀତି ?

ଆମେ ଏକଥା କହୁଛୁ ସେହି ନେତାମାନଙ୍କୁ, ଯେଉଁ ମାନେ ରାଜନୀତିକୁ ଆସିବାବେଳେ ଭଙ୍ଗା ବାଇକ୍ ବା ସ୍କୁଟର ନେଇ ଆସିଥିଲେ, ଆଉ ଏବେ ବିଶ୍ୱର ନାମୀଦାମୀ କାର୍ ସେମାନଙ୍କ ପଛରେ ବୁଲୁଛି । କିଏ ଅଡି ଧରି ବୁଲୁଥିବା ବେଳେ କାହାର ପିଲା ମର୍ସିଡିସ୍ ଧରି ବୁଲୁଛନ୍ତି । ଜନସେବାର ଦ୍ୱାହୀ ଦେଇ ରାଜନୀତିକୁ ଆସିଥିବା ନେତାମାନେ ପଦ ପାଇବା ପରେ ଜନତାଙ୍କୁ ଭୁଲିଯାଉଛନ୍ତି । ଜନତାଙ୍କ ସମସ୍ୟା ଦୂର କ’ଣ କରିବେ, ନିଜେ କିପରି କୋଟିପତି ହେବେ, ସେହି ଲକ୍ଷରେ ରହୁଛନ୍ତି । ନେତାମାନଙ୍କ ଜୀବନଶୈଳୀ ଦଶ ପନ୍ଦର ବର୍ଷ ଭିତରେ ଆକାଶ ପାତାଳ ବଦଳି ଯାଉଛି । କିନ୍ତୁ ତାଙ୍କ ଅଞ୍ଚଳର ବିକାଶ ତ ଦୂରର କଥା ପୂର୍ବ ସ୍ଥିତି ବି ବଞ୍ଚିପାରୁନାହିଁ । ତେଣୁ ଏହି ନେତାମାନେ ମହାମହିମଙ୍କ ଏହି ବାର୍ତ୍ତା କେତେଦୂର ପାଳନକ କରୁଛନ୍ତି, ତାହା ଦେଖିବାର ବିଷୟ ।

Leave a Reply

Your email address will not be published. Required fields are marked *