ନୂଆଦିଲ୍ଲୀ (ଦ କୁଇଭର): କିଛି ଦିନ ପୂର୍ବରୁ ଗର୍ଜୁଥିଲେ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ । କହୁଥିଲେ ଇଡିକୁ କେନ୍ଦ୍ର ସରକାର ହାତବାରିଶି କରିଛି । ସୋନିଆ, ରାହୁଲଙ୍କର କିଛି ବି ଦୋଷ ନାହିଁ, ତାଙ୍କ ବିରୋଧରେ ରାଜନୈତିକ ଆକ୍ରୋଶ ରଖି ପଦକ୍ଷେପ ନିଆଯାଉଛି । ଏହାକୁ ନେଇ ସାରା ଦେଶରେ ଆନ୍ଦୋଳନ ବି ଆରମ୍ଭ କରିଦେଲେ । ସଂସଦରୁ ସଡକ ପର୍ଯ୍ୟନ୍ତ ସବୁଠି ଧାରଣା, ବିକ୍ଷୋଭ ଓ ପ୍ରଦର୍ଶନ କଲେ । ହେଲେ ହଠାତ୍ ବାଜି ପଲଟିଗଲା । ତାଙ୍କରି ଦଳର ସାଂସଦ ରାଷ୍ଟ୍ରପତିଙ୍କୁ ଅସମ୍ମାନସୂଚକ ପଦ କହିଲେ, ଆଉ ତା ପରର ସ୍ଥିତି ବର୍ତ୍ତମାନ ଅସମ୍ଭାଳ । ଯିଏ ବିଜେପିକୁ ଆକ୍ରମଣ କରୁଥିଲା, ସିଏ ବିଜେପିର ପ୍ରତି ଆକ୍ରମଣରେ ଲାଙ୍ଗୁଡ଼ ଯାକୁଛନ୍ତି, ଲୁଚୁଛନ୍ତି ଓ ମୁହଁ ଲୁଚାଉଛନ୍ତି ।

ଏପରିକି ଯେଉଁ ସୋନିଆ ଓ ରାହୁଲଙ୍କ ପାଇଁ ନେତାମାନେ ଚିତ୍କାର କରୁଥିଲେ, ସେ ସୋନିଆ ବି ପାଟି ଚୁପ୍ କରିଦେଇଛନ୍ତି । ନିଜ ଦଳର ନେତାଙ୍କ ଏଭଳି କୁକର୍ମ ପାଇଁ ପାଟି ଖୋଲୁନାହାନ୍ତି । କଂଗ୍ରେସ ଭାବିଥିଲା ସୋନିଆଙ୍କୁ ଇଡିର ଜେରା ପ୍ରସଙ୍ଗକୁ ନେଇ ସାରା ଦେଶରେ ବିଜେପିର ଛବିକୁ ମଳିନ କରିବ । ଏଥିପାଇଁ ଆକ୍ରମଣାତ୍ମକ ଭଙ୍ଗୀକୁ ମଧ୍ୟ ପଳାଇ ଆସିଥିଲା । ଉତ୍ତରପ୍ରଦେଶ ନିର୍ବାଚନ ପରେ ଏହା ଥିଲା କଂଗ୍ରେସର ଏକ ସୁଚିନ୍ତିତ ପ୍ଲାନ୍ । ଦେଶରୁ ବୁଡ଼ି ବୁଡ଼ି ଯାଉଥିବା କଂଗ୍ରେସକୁ ଉଦ୍ଧାର କରିବା ପାଇଁ ଏହା ଥିଲା କଂଗ୍ରେସର ବଡ଼ ପ୍ଲାନ୍ । କିନ୍ତୁ ବାଜି ଓଲଟିଗଲା । ବିଜେପିର ମାଡରେ କଂଗ୍ରେସ ପୁଣି ଧରାଶାୟୀ ହେବାକୁ ଯାଉଛି ।

ଲୋକେ ଦେଶ ସାରା କଂଗ୍ରେସକୁ ଛି ଛି କଲେଣି । କଂଗ୍ରେସର ପୂର୍ବରୁ ଯେଉଁ ପ୍ଲାନକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା, ତାକୁ ବିଜେପି ଫିକା ପକାଇଦେଇଛି । ଏବେ ବିଜେପି ଗର୍ଜୁଛି, କଂଗ୍ରେସ ଲୁଚୁଛି । ଏହା ହେଉଛି ବିଜେପିର ରାଜନୈତିକ ଷ୍ଟ୍ରାଟେଜି । ରାଷ୍ଟ୍ରପତିଙ୍କୁ ଅସମ୍ମାନ ସୂଚକ ଶବ୍ଦ ବ୍ୟବହାର କରିବା କଂଗ୍ରେସ ଉପରେ ଏତେ ଭାରି ପଡ଼ିବ, ତାହା କଂଗ୍ରେସ କେବେ ଚିନ୍ତା କରିନଥିଲା । ନୂଆ ରାଷ୍ଟ୍ରପତି ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ଏବେ ଅକଳରେ ପଡ଼ିଯାଇଛି କଂଗ୍ରେସ । କଂଗ୍ରେସ ତଣ୍ଟିରେ ଏବେ ‘ରାଷ୍ଟ୍ରପତ୍ନୀ’ ବୟାନ କଣ୍ଟା ହୋଇ ଲାଗିଛି । ନା କାଢିପାରୁଛି ନା ଗିଳିପାରୁଛି । କଂଗ୍ରେସର ଏହି ରାଷ୍ଟ୍ରଦ୍ରୋହ କାମ ପାଇଁ ନା କଂଗ୍ରେସ ନେତା ମୁହଁ ଦେଖାଇପାରୁଛନ୍ତି, ନା କିଛି କହିପାରୁଛନ୍ତି । ଯେଉଁମାନେ ଦୁଇ ଦିନ ପୂର୍ବରୁ ରାଜରାସ୍ତାରେ ଗର୍ଜୁଥିଲେ, ସେମାନେ ଆଜି ଆତ୍ମରକ୍ଷାରେ ଲାଗିଛନ୍ତି । ସେପଟେ ଏହା ଏକ ବ୍ୟାକରଣ ଜନିତ ତ୍ରୁଟି ବୋଲି କଂଗ୍ରେସ ସଫେଇ ଦେଉଥିବା ବେଳେ କଂଗ୍ରେସର ଏହି ରାଷ୍ଟ୍ରବିରୋଧୀ କାର୍ଯ୍ୟକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *