ଗର୍ଜିବେ ନା ଚାବିଦିଆ ପାଲଟିଯିବେ ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ବିଧାୟକ ପ୍ରଦୀପ୍ତ ନାଏକ ଗଲେ । ଆଉ ଆସିଲେ ବିଧାୟକ ଜୟନାରାୟଣ ମିଶ୍ର । ଏବେ ସେ ରାଜ୍ୟ ବିରୋଧୀ ଦଳର ନେତା । ଚୌକି ମିଳୁ ମିଳୁ ଗର୍ଜିବା ଆରମ୍ଭ କରିଦେଲେ । ସେ ଜଣେ କଟ୍ଟରବାଦୀ ଆରଏସଏସ ବା ହିନ୍ଦୁ ସମର୍ଥବାଦୀ ବୋଲି ବେଶ୍ ପରିଚିତ । ସମ୍ବଲପୁରରେ ଶୋଭାଯାତ୍ରାରେ ଖଣ୍ଡା ବୁଲାଇବାର ଆସ୍ପର୍ଦ୍ଧା ବି ତାଙ୍କର ଥିଲା । ଅବଶ୍ୟ ଗିରଫ ହୋଇ ଜେଲ ବି ଯାଇଥିଲେ, ହେଲେ ସାହସ ବି ଦେଖାଇ ପାରିଥିଲେ । ଗର୍ଜନ ହେଉଛି ତାଙ୍କର କାମ । ସେଥିପାଇଁ କହିଲେଣି, ଏଥିପାଇଁ କାଳେ ବିଜେଡି ମୁକ୍ତ ହେବ ଓଡ଼ିଶା । ଆହୁରି କେତେ କ’ଣ କହଛନ୍ତି । ହେଲେ ତାଙ୍କର ଏହି ଗର୍ଜନ କେତେଦିନ? ଏ ପ୍ରଶ୍ନ ଆମେ ନୁହେଁ ବିଜେପି କର୍ମୀମାନେ ପଚାରୁଛନ୍ତି । ପଚାରିବା ବି ସ୍ୱଭାବିକ । ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ସ୍ଥିତି ଦେଖିଲେ, କର୍ମୀଙ୍କ ପାଖରେ ଏହାର ଉତ୍ତର ରଖାଯିବା ଜରୁରୀ ।

ଏଠି ଆମେ ଗୋଟିଏ ଲୋକପ୍ରିୟ ଚଳଚିତ୍ରର ଗୀରର ସମ୍ୟକ ଉଦାହରଣ ଦେଉଛି । ଲୋକପ୍ରିୟ ଅଭିନେତା ଅମିତାଭ୍ ବଚ୍ଚନ ଏଥିରେ ଅଭିନୟ କରିଥିଲେ । ‘ରୋତେ ରୋତେ ହସନା ସିଖୋ, ହସତେ ହସତେ ରୋନା । ଜିତନି ଚାବି ଦି ରାମନେ, ଉତନି ଚଲେ ଖିଲୋନା’ । ଏହି ସଙ୍ଗୀତର ତାତ୍ପଜ୍ୟ ଓଡ଼ିଶା ବିଜେପିର ନେତାମାନଙ୍କ ସ୍ଥିତି ସହ ସାମଞ୍ଜସ୍ୟ ରଖୁଛି । ଆମେ ୨୦୧୯ ନିର୍ବାଚନ ପୂର୍ବ କଥା ମନେ ପକାଉଛୁ, ହଠାତ୍ ଛୁଟି ଆସିଲା ବିଜେପି ନେତାଙ୍କ ସୁଅ ଓଡ଼ିଶାକୁ । ଦଳର ଚାଣକ୍ୟଙ୍କ ଠାରୁ ଆରମ୍ଭ କରି ସୈନ୍ୟ ପର୍ଯ୍ୟନ୍ତ ସମସ୍ତେ ଡେଇଁଲେ । ବିଜେଡିକୁ ସିଧାସଳଖ ଆକ୍ରମଣ କରିଦେଲେ । ସେତେବେଳେ ଅମିତ ଶାହା କହିଦେଲେ, ନବୀନ ପୋଡା ଟ୍ରାନ୍ସଫରମର । ତାଙ୍କୁ ଓପାଡି ସମୁଦ୍ରରେ ଫିଙ୍ଗିଦିଅ । କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ବି କହିଥିଲେ, ଓଡ଼ିଶା ଏଥର ବିଜେଡି ମୁକ୍ତ ହେବ । ବିଜେପିର ସବୁ ନେତା ଏମିତି ଉଣାଅଧିକରେ ଗର୍ଜିଥିଲେ । ବେଶ୍ ଉତ୍ସାହିତ ଓ ହସ ହସ ମୁହଁରେ କହୁଥିଲେ, ବିଜେପି ଏଥର ସୁନିଶ୍ଚିତ । ସତେ ଯେମିତି ଚାବି ଦିଆ କଣ୍ଢେଇ ଭଳି ଡେଇଁ ଡେଇଁ ଚିଲାଉଥିଲେ । ହେଲେ ଫଳ କ’ଣ ହେଲା ତାହା ତ ବିଜେପି ବାଲା ଜାଣିଛନ୍ତି । ବହୁ ତମ୍ବିତୋଫାନ ପରେ ବି ୪୦ ଭାଗ ସିଟ୍ ବି ନେଇପାରିଲେନି । କଂଗ୍ରେସ ଦବିଗଲା ବୋଲି ବିରୋଧୀ ଦଳ ଆସନ ହାତେଇବାକୁ ସୁଯୋଗ ପାଇଲା ବିଜେପି । ତା ପରେ କଣ୍ଢେଇରୁ ଚାବି ସରିଗଲା ଭଳି ଥମ କି ବସିଗଲେ । ବିଜେଡି ବିରୁଦ୍ଧରେ ପଦଟିଏ ବି ବାହାରିଲାନି । ବିଜେଡିକୁ ସୁହାଇଲା ଭଳି ସବୁ କାମ କଲା ବିଜେପି । ଓଡ଼ିଶା ନେତା ବି ନବୀନଙ୍କୁ ପ୍ରଶଂସା ନ କରି ରହିପାରିଲେନି । ପୁରା ଲାଗିଲା କ ଆଉ ଖ ଦଳ ହୋଇ ଚାଲୁଛନ୍ତି । ବିଜେପିର କର୍ମୀମାନେ ବି ଅବାକ୍ ହୋଇଗଲେ । ନିର୍ବାଚନ ପୂର୍ବର ସ୍ଥିତି ଓ ପରର ସ୍ଥିତି ପୂରା ଅଲଗା ହୋଇଯାଇଥିଲା । ସବୁଠି ବିଜେଡି ରାଜ୍ କରୁଥିଲା ଓ ବିଜେପି ନେତାମାନେ କଣଠେସା ହୋଇ ରହିଥିଲେ । ହତୋତ୍ସାହ ହୋଇ ଦଳୀୟ ନେତାଙ୍କ ଆଚରଣ ଓ ଚରିତ୍ର ଉପରେ ପ୍ରଶ୍ନ ଉଠାଉଥିଲେ । ହେଲେ ଏମାନେ ତ ଚାବିଦିଆ କଣ୍ଢେଇ । କେନ୍ଦ୍ରରୁ ଯେତିକି ଚାବି ମୋଡାଯିବ, ସେମାନେ ସେତିକି ନାଚିବେ ।

ଏବେ ପୁଣି ଆସିଲାଣି ନିର୍ବାଚନ । କେନ୍ଦ୍ରରୁ ମୋଡା ହେଲାଣି ଚାବି । ଇଡି ବି ପଶିଲାଣି । ସିବିଆଇ ବି ହୁମୁ ହୁମୁ ହେଲାଣି । ବିରୋଦୀ ଦଳ ନେତା ବି ବଦଳିଗଲାଣି । କେନ୍ଦ୍ରରୁ ସବୁ ଚାବି ବର୍ତ୍ତମାନ ମୋଡି ଦିଆଯାଇଛି । ଏବେ ବିଜେପି ବାଲା ଡିଆଁ ମାରିବେ । ବିଜେଡି କୁ ଘେରିବେ । ଚାବିର ଯେତେପର୍ଯ୍ୟନ୍ତ ଦମ୍ ଥିବ, ସେ ପର୍ଯ୍ୟନ୍ତ ବିଜେପି ନେତାମାନେ ଗର୍ଜିବେ । ଏଠି ପ୍ରଶ୍ନ ଉଠୁଛି କଣ ଗର୍ଜିବେ? ୩ ବର୍ଷ ନବୀନଙ୍କୁ ସମର୍ଥନ କରିବା ପରେ କେଉଁ ପ୍ରସଙ୍ଗରେ ବିରୋଧ କରିବେ? ନବୀନ ସରକାଙ୍କ ସବୁ ତୃଟି ପ୍ରତି ଆଖିବୁଜିଦେଇଥିବା ବିଜେପି ଏବେ କେଉଁ ତୃଟିକୁ ଉଠାଇବ? କେଉଁ ମୁହଁ ନେଇ ଲୋକଙ୍କ ପାଖକୁ ଯିବ? ପୁଣି କେଉଁ ବାହାନାରେ କର୍ମୀମାନଙ୍କୁ ଆଶ୍ୱାସନା ଦେବ । ଏମିତି ଅନେକ ପ୍ରଶ୍ନ ଏବେ ବିଜେପି ନେତାଙ୍କ ଆଗରେ ଛିଡା ହେବ । ଦେଖିବା ଏଥର କେନ୍ଦ୍ର କେତେ ଚାବି ମୋଡିଛି ଓ ବାବୁ ଜୟନାରାୟଣ କେତେ ଗର୍ଜିବେ । ତାଙ୍କ ଗର୍ଜନକୁ ଦଳୀୟ କର୍ମୀ ଓ ରାଜ୍ୟବାସୀ କେତେ ଗ୍ରହଣ କରିବେ, ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *