ନୂଆଦିଲ୍ଲୀ (ଦ କୁଇଭର): ଦବିଗଲେ କି ମମତା? ଭାରି ପଡ଼ିଲା କି ଇଡି ଆକ୍ସନ? ପଶ୍ଚିମବଙ୍ଗରେ ଇଡିର ଚଢାଉ ଜାରି ରହିଥିବା ବେଳେ ଦିଦିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ଏହାକୁ ନେଇ ବିରୋଧୀ ଶିବିରରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମମତା ବାନାର୍ଜୀ ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । କଂଗ୍ରେସ ଓ ବାମ ଦଳ ଏହାକୁ ନେଇ ମୋଦୀ ଓ ଦିଦିଙ୍କ ମଧ୍ୟରେ ‘ମ୍ୟାଚ୍ ଫିକ୍ସିଂ’ ହୋଇଥିବା ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗରେ ଇଡିର ଲଗାତର ଚଢାଉ ଫଳରେ ମମତା ଶେଷରେ ମୋଦୀଙ୍କୁ ଭେଟି ବୁଝାମଣା କରିବାକୁ ଦିଲ୍ଲୀ ଯାଇଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଗୋଟିଏ ପଟେ ଇଡି ସ୍କାନରରେ ଟିଏମସି ନେତା ଓ ଅନ୍ୟପଟେ ଦିଦିଙ୍କ ଦିଲ୍ଲୀ ଗସ୍ତ ରାଜ୍ୟ ରାଜନୀତି ଠାରୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ କରିଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । କାରଣ ଗତ କିଛି ଦିନ ହେବ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଘୋଟାଲର ପର୍ଦ୍ଦାଫାସ କରିଛି ଇଡି । ଏଥିରେ ଖୋଦ୍ ମମତାଙ୍କ ତତ୍ାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି । ଏହାସହ ପାର୍ଥଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଯଙ୍କାର ପାହାଡ ସହ ବିପୁଳ ପରିମାଣର ସୁନା ଜବତ କରିଛି । ଇଡିର ଏହି ଆକ୍ସନ ପରେ ଯଦିଓ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ମମତା ବାହାର କରିଛନ୍ତି । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଏବେ ବ୍ୟାକଫୁଟରେ ଅଛି ମମତା ସରକାର । ତେଣୁ ଏହି ମାମଲାକୁ ରଫାଦଫା କରିବା ପାଇଁ ସେ ଦିଳ୍ଲୀ ଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ମମତା ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ କେବଳ ନିଜର ଫାଇଦା ପାଇଁ ଥିବା ବିଜେପି ଅଭିଯୋଗ କରିଛି । ମମତାଙ୍କ ଏହି କାର୍ଯ୍ୟକ୍ରମରେ କିଛି ବି ଫାଇଦା ହେବନାହିଁ ବୋଲି ବିଜେପି କହିଛି । ତେଣୁ ପଶ୍ଚିମବଙ୍ଗରେ ହୋଇଥିବା ଘୋଟାଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେମାନେ ବର୍ତ୍ତମାନ ଇଡି ସ୍କାନରରେ ଅଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମମତା ମୋଦୀଙ୍କୁ ଭେଟି ଇଡିର ଚଢାଉ ବନ୍ଦ କରିବା ପାଇଁ ଅନୁରୋଧ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ପଶ୍ଚିମବଙ୍ଗରେ ହୋଇଥିବା ବିଭିନ୍ନ ଘୋଟାଲରେ ଯଦି ଇଡି ଆଉ ସିବିଆଇ ଚଢାଉ ଜୋରଦାର କରେ, ତେବେ ମମତାଙ୍କ ଅନେକ ନେତା ଓ ମନ୍ତ୍ରୀ ଏଥିରେ ସ୍କାନରକୁ ଆସିବେ । ଯାହା ମମତାଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ । ତେଣୁ ମମତାଙ୍କ ଏହି ସାକ୍ଷାତ କେବଳ ନିଜକୁ ରକ୍ଷା କରିବା ପାଇଁ ବୋଲି ଚର୍ଚ୍ଚା ହେଉଛି । ତେଣୁ ଦିଦିଙ୍କ ଉପରେ ଆସିଥିବା ଏହି ବଡ଼ ସଙ୍କଟକୁ କେବଳ ମୋଦୀ ହିଁ ଚାହିିଁଲେ ରକ୍ଷା କରିପାରିବେ । ଏକଥା ସେ ଜାଣି ସାରିଲେଣି । ତେଣୁ ମମତା ଏହି ପ୍ଲାନ୍ ନେଇ ମୋଦୀଙ୍କୁ ସାକ୍ଷାତ କରୁଥିବା ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *