ପାରାଦୀପ ବନ୍ଦର ଲାଞ୍ଚ ଘଟଣା: ନିରପେକ୍ଷ ତ ସିବିଆଇ ?

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ପାରାଦୀପ ବନ୍ଦର ଲାଞ୍ଚ ମାମଲାରେ ସିବିଆଇ କ’ଣ କରୁଛି? ଲାଞ୍ଚ ଦେବା ଲୋକ ଆଉ ଲାଞ୍ଚ ନେବା ଲୋକ କେହି ବି ଅଭିଯୋଗକାରୀ ନୁହଁନ୍ତି । ତୃତୀୟ ପକ୍ଷର ଅଭିଯୋଗକୁ ନେଇ ସିବିଆଇ ତାର ସ୍ୱଚ୍ଛତା ଦେଖାଉଛି । ସିବିଆଇ କେତେ ସ୍ୱଚ୍ଛ, ତାର ତଦନ୍ତ ପ୍ରକ୍ରିୟାକୁ ଟିକେ ଆଡେଇକି ଦେଖିଲେ ଜଳ ଜଳ ହୋଇ ଦିଶୁଛି । ଲାଞ୍ଚ ଦେଉଥିବା ଅଭିଯୁକ୍ତ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ପଶି ଲାଞ୍ଚ ଦେଉଥିବା ଅଭିଯୋଗରେ ତାଙ୍କ ଘର ଓ ସମସ୍ତ ବ୍ୟବସାୟିକ ଅଫିସକୁ ସିବିଆଇ ଘାଣ୍ଟି ଦେଲାଣି । ଲାଞ୍ଚ ନେଉଥିବା ଅଭିଯୁକ୍ତ ପୋର୍ଟର ବିଭାଗୀୟ ମୁଖ୍ୟଙ୍କୁ ନେଇ ଗେଷ୍ଟହାଉସରେ ଜେରା କଲା ସିବିଆଇ । ଏହି କାମ ସହ ସମ୍ପୃକ୍ତ କେବଳ ଜଣେ ଅଧିକାରୀ ନୁହଁନ୍ତି । ତାଙ୍କ ତଳେ ଥିବା ୪ ଜଣ ଓ ତାଙ୍କ ଉପରେ ଥିବା ଚେୟାରମେନ୍ ମଧ୍ୟ ସମ୍ପୃକ୍ତ ଅଛନ୍ତି । କିନ୍ତୁ ତଦନ୍ତ ପ୍ରକ୍ରିୟାକୁ କେବଳ ଜଣେ କେମିତି ଆସିଲେ? ସିବିଆଇ ଦୁର୍ନିତିର ତଦନ୍ତ କରୁଛି? ନା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଲକ୍ଷ କରି ତଦନ୍ତ କରୁଛି?

ବର୍ତ୍ତମାନ ଯଦି ଦେଖିବା ପାରାଦୀପ ପୋର୍ଟରେ ମହିମା ମିଶ୍ରଙ୍କ କମ୍ପାନୀ ଓସିଏଲର ଦବଦବା ଅଧିକ ରହିଛି । ଯାହାକୁ ବରଦାସ୍ତ କରିପାରୁନାହାନ୍ତି କିଛି ଅଣଓଡ଼ିଆ ବ୍ୟବସାୟୀମାନେ? ଓଡ଼ିଆ ବ୍ୟବସାୟୀଙ୍କ ବ୍ୟବସାୟକୁ କମାଇବା ଓ ତାଙ୍କୁ ସଙ୍କୁଚିତ କରିଦେବା ପାଇଁ ଏବେ ଦୁର୍ନୀତିର ଅସ୍ତ୍ରକୁ ବ୍ୟବହାର କରାଯାଇଛି । ତାହା ପୁଣି ସୀମିତ ବର୍ଗ ମଧ୍ୟରେ । ଭାରତର ଅଧିକାଂଶ ବନ୍ଦରକୁ ନିଜ ଦଖଲକୁ ନେଇଯାଇଥିବା ବଡ଼ ବେପାରୀଙ୍କ ନଜର ଏବେ ପାରାଦୀପ ବନ୍ଦର ଉପରେ । ତାକୁ କେମିତି ହାତେଇବେ । ସେଥିପାଇଁ ସେଠାରେ ତାଙ୍କ ବ୍ୟବସାୟକୁ ବଢାଇବା ପାଇଁ ଓଡ଼ିଶାର ଏହି ପ୍ରମୁଖ ବେପାରୀଙ୍କୁ ଚାପିବାକୁ ଯୋଜନା ଚାଲିଥିବା କୁହାଯାଉଛି । ଏଥିପାଇଁ ସିବିଆଇକୁ ବ୍ୟବହାର କରାଯାଉନି ତ?

ଘଟଣା ଅନୁଯାୟୀ, ପାରାଦୀପ ବନ୍ଦର ବ୍ୟବସାୟରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଅଭିଯୁକ୍ତ ତାଲିକାରେ ରହିଛି ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କ ନାଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମାମଲାରେ କେବଳ ବିଭାଗୀୟ ମୁଖ୍ୟଙ୍କୁ ଗିରଫ କରି ତଦନ୍ତ କରୁଛି ସିବିଆଇ । ତାପରେ ଅନ୍ୟମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ? ପାରାଦୀପ ଶିଳ୍ପ ବ୍ୟବସାୟୀଙ୍କ ମଧ୍ୟରେ ଏହା ଚର୍ଚ୍ଚା ହେଉଛି ଯେ, ସିବିଆଇ ଯାହାକୁ ବି ଧରିଛନ୍ତି, ଇଏ ପାରାଦୀପ ବନ୍ଦର ଦୁର୍ନୀତିର ମାତ୍ର ସୁତାଖିଅ ଟିଏ । ଯଦି ସିବିଆଇ ପ୍ରକୃତରେ ପାରାଦୀପ ବନ୍ଦରକୁ ଦୁର୍ନୀତିମୁକ୍ତ କରିବାକୁ ଚାହୁଁଛି, ତେବେ ତଦନ୍ତକୁ ପରିବ୍ୟାପ୍ତ କରିବା କଥା । ଯେ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରାନଯାଇଛି । ସିବିଆଇ ବି ନିରପେକ୍ଷ ବୋଲି କୁହାଯାଇପାରିବ ନାହିଁ । କାରଣ ପୂର୍ବରୁ ଚିଟଫଣ୍ଡ ହେଉ ବା ବିଭିନ୍ନ ଘଟଣାରେ ସିବିଆଇର ଅପାରଗତା ପ୍ରମାଣିତ ହୋଇସାରିଛି । ଏପରିକି ଟିକିରିରେ ଶିକ୍ଷୟତ୍ରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଖୋଜିପାଇଲା ନାହିଁ ସିବିଆଇ । ଏଥିରୁ ସେ କେତେ ପାରଙ୍ଗମ ତାହା ସ୍ପଷ୍ଟ ହୋଇସାରିଛି । ଏପରିକି ବ୍ଲାକରୋଜ ଘଟଣାର ବି ତଦନ୍ତ କରୁଛି ସିବିଆଇ । ଏପର୍ଯ୍ୟନ୍ତ ତାର କିଛି ଠୋସ୍ ବାହାରିପାରିନାହିଁ । ମାତ୍ର ଏହି ଘଟଣାରେ ଆମେ କହୁନୁ, ମହିମା ମିଶ୍ର ସନ୍ଥ, ସମ୍ପୃକ୍ତ ଅଧିକାରୀ ମହାପୁରୁଷ ବୋଲି । କିନ୍ତୁ ସମ୍ପୂର୍ଣ୍ଣ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନାହିଁ? ସିବିଆଇ କାହିଁକି ତାର ଭାବମୂର୍ତ୍ତୀକୁ ଏକପାଖିଆ କରିଦେଉଛି? କାହିଁକି ନିର୍ଦ୍ଦିଷ୍ଟ ସୀମା ଭିତରେ ରହୁଛି ସିବିଆଇ? କାହା ଇଙ୍ଗିତରେ ଚାଲୁନି ତ ସିବିଆଇ? ସବୁ କଥାରେ ଫେଲ୍ ହେବା ପରେ ଏବେ ଦୁର୍ନୀତିର ତଦନ୍ତ କରିବାକୁ ଆସିଥିବା ସିବିଆଇ କେତେ ସଫଳ ହେବ ନା ଜଣଙ୍କୁ ମାତ୍ର ଟାର୍ଗେଟ କରି ହାତ ଛାଡ଼ିଦେବ ଓ ପାରାଦୀପରେ ଅଣଓଡ଼ିଆ ବ୍ୟବସାୟୀଙ୍କ ପାଇଁ ରାସ୍ତା ଖୋଲ ିଦେବ, ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *