ରତ୍ନଭଣ୍ଡାର: ସରକାରଙ୍କ ପଛଘୁଞ୍ଚା କାହିଁକି ?

ପୁରୀ (ଦ କୁଇଭର): ରତ୍ନଭଣ୍ଡାରକୁ ଯାଞ୍ଚକୁ ସରକାରଙ୍କର ଏତେ ଡର କାହିଁକି? କାହିଁକି ରଏତ୍ନଭଣ୍ଡାର ଯାଞ୍ଚପାଇଁ ପଛଘୁଞ୍ଚା । କୋଟିକୋଟି ଭକ୍ତଙ୍କ ଆବେଗକୁ କାହିଁକି ବେଖାତିର କରୁଛନ୍ତି ସରକାର? କାହିଁକି ଠାକୁର ରାଜାଙ୍କ ପ୍ରସ୍ତାବକୁ ବି ଉପେକ୍ଷା କରୁଛନ୍ତି? ମହାପ୍ରଭୁଙ୍କ ଭଣ୍ଡାରଘର ସହ ଏତେ ରାଜନୀତି କାହିଁକି? ଗତ ୪ବର୍ଷ ଧରି ସମସ୍ତଙ୍କ ମନରେ ରହିଛି ଏହି ପ୍ରଶ୍ନ । ହେଲେ ଉତ୍ତର ଦେବ କିଏ? ଜନମଙ୍ଗଳ ରାଜ୍ୟରେ ଜନତାଙ୍କ ପ୍ରଶ୍ନର ଉତ୍ତର ସରକାର ଦିଅନ୍ତି । ହେଲେ ଏହି ପ୍ରସଙ୍ଗରେ ସରକାର ନିଦାବିଷ୍ଣୁ କାହିଁକି?

ମହାପ୍ରଭୁଙ୍କ ରତ୍ନଭଣ୍ଡାର ସ୍ଥିତି ଗମ୍ଭୀର । ଏକଥା ସରକାରୀ ବାବୁମାନେ ବି କହିଛନ୍ତି । ଯାଞ୍ଚ ଓ ମରାମତି ପାଇଁ ଏଏସଆଇ ବି ପସ୍ତୁତ । ହଜି ଯାଇଥିବା ଚାବି ବି ମହଜୁଦ ରହିଛି । କୌଣସି ଆଇନଗତ ବାଧା ବି ନାହିଁ । ତଥାପି କାହିଁକି ସରକାର ରତ୍ନଭଣ୍ଡାର ଖୋଲିବାକୁ ପଦକ୍ଷେପ ନେଉନାହାନ୍ତି ।

ଟିକିଏ ପଛକୁ ଦେଖିବା ଯଦି ତେବେ ରତ୍ନଭଣ୍ଡାର ପ୍ରସଙ୍ଗ ରହସ୍ୟମୟ ଲାଗୁଛି । ୨୦୧୬ ଠାରୁ ରତ୍ନଭଣ୍ଡାର ସ୍ଥିତି ନେଇ ଉଦବେଗ ଉଠିଛି । ବାହାର ଭଣ୍ଡାରରୁ ଅଳଙ୍କାର ଆସିବା ବେଳେ ଭିତର ଭଣ୍ଡାର ସ୍ଥିତି ଉପରେ ଆଶଙ୍କା ବଢ଼ିଛି । ସବୁ ବର୍ଗ ବି ମରାମତି ପାଇଁ କହିଛନ୍ତି । ବହୁ ବିଳମ୍ବରେ ୨୦୧୮ରେ ଖୋଲିବାକୁ ଉଦ୍ୟମ କରାଯାଇଥିଲା । ମାତ୍ର ଏକ ସୁଚିନ୍ତିତ ସରକାରୀ ନାଟକ ଯୋଗୁ ତାହା ବନ୍ଦ ହେଲା ।

ସେତେବେଳେ ସରକାରୀ ବାବୁମାନେ କହିଲେ, ଭିତର ଭଣ୍ଡାର ସ୍ଥିତି ଗମ୍ଭୀର ରହିଛି । ପାଣି ଆସି କାନ୍ଥ ଓଦା । ପଥର ବି ଫାଟିଛି । କେତେ କ’ଣ କହିଲେ । ହେଲେ ଚାବି ନମିଳିବାରୁ ସବୁ ବନ୍ଦ ହେଲା । ଏହାପରେ ନାଟକୀୟ ଭାବେ ଚାବି ମିଳିଗଲା । ହେଲେ ଖୋଲିଲାନି ରତ୍ନଭଣ୍ଡାର । ଭକ୍ତଙ୍କ ଦାବିକୁ ଚାପି ଦେବାକୁ ଚାବି ହଜିବା ଓ ମିଳିବା ଘଟଣାର ତଦନ୍ତ ପାଇଁ କମିସନ ବସିଲା । କମିସନ ରିପୋର୍ଟ ବି ଦେଇ ସାରିଲେଣି । ଏହାବାଦେ କମିସନ ରିପୋର୍ଟ ରତ୍ନଭଣ୍ଡାର ଖୋଲିବାର ବାଟ ବନ୍ଦ କରିନାହିଁ । ମାତ୍ର ବାଟ ବନ୍ଦ କରି ବସିଛନ୍ତି ଖୋଦ ରାଜ୍ୟ ସରକାର ।

ଶନିବାର ଏଏସଆଇର ଅଧିକ୍ଷଣ ଯନ୍ତ୍ରୀ ଅରୁଣ ମଲ୍ଲିକ କହିଲେ, ରତ୍ନଭଣ୍ଡାର ମରାମତି ହେବା ଆବଶ୍ୟକ । ମାତ୍ର ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆବେଦନ କରିବା କଥା । ରତ୍ନଭଣ୍ଡାରରେ ତାଲା ପଡ଼ିଛି । ତାଲା ଖୋଲି ଆମକୁ ଅନୁରୋଧ କଲେ ଆମେ ଟିମ ସହ ଆସି ଯାଞ୍ଚ କରିବାକୁ ପ୍ରସ୍ତୁତ । ହେଲେ ଏ ପ୍ରସଙ୍ଗରେ ସରକାର ଚୁପ ।

ସବୁ ପ୍ରସ୍ତୁତ ଥିବା ବେଳେ ରତ୍ନଭଣ୍ଡାର ଖୋଲିବାକୁ କାହିଁକି ପଛାଉଛନ୍ତି ସରକାର ତାହା ଏବେ ବଡ଼ ପ୍ରଶ୍ନ । ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯେତେ ଦାବି ହେଲେ ବି ସରକାର ଶୁଣୁନାହାନ୍ତି କାହିଁକି? ଗଜପତି ବି ପ୍ରସ୍ତାବ ଦେଲେ । ହେଲେ ତାହାପରେ ସେ କାହିଁକି ଚୁପ ରହିଲେ ତାହା ବି ପ୍ରଶ୍ନବାସୀ । ସରକାର ତାଙ୍କୁ ବୁଝାଇ ଦେଲେ ନା ଠାକୁର ରାଜାଙ୍କୁ ସରକାର ଉପେକ୍ଷା କଲେ ତାହା ଏବେ ଆଉଏକ ପ୍ରଶ୍ନ । ସବୁ ଦାବି ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗରେ ସରକାରଙ୍କ ନୀରବତା ଅନେକ ସନ୍ଦେହ ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *