ଭାରତକୁ ବଡ ଝଟ୍‌କା ଦେଲା FIFA : ଏଆଇଏଫଏଫକୁ କଲା ସସପେଣ୍ଡ୍

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଭାରତୀୟ ଫୁଟବଲ୍ ଖେଳାଳି ଏବଂ ପ୍ରଶଂସକଙ୍କୁ ଏକ ବଡ ଝଟକା ଦେଇଛି ଫିଫା । ବିଶ୍ବ ଫୁଲବଲର ଶୀର୍ଷ ସଂଗଠନ ବା ଗଭର୍ଣ୍ଣିଂ ବଡି ଫିଫା ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଆଇଏଫଏଫ)କୁ ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ହେତୁ ସଦସ୍ୟ ପଦରୁ ନିଲମ୍ବନ କରିଛି। ଫୁଟବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ନିୟମ ଉଲ୍ଲଂଘନ ହେତୁ ଫିଫା ଏହି ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ, ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଫିଫା U-୧୭ ମହିଳା ବିଶ୍ୱକପ ୨୦୨୨ର ଭାରତରେ ହେବାକୁ ଥିବା ବେଳେ ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।

ନିଜ ବୟାନରେ ଫିଫା କହିଛି ଯେ, କମିଟି ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନକୁ ନିଲମ୍ବିତ କରାଯାଇଛି । ଏଆଇଏଫଏଫରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅଧିକ ରହୁଥିଲା । ଅନେକ ନିୟମକୁ ଭାରତୀୟ ଫୁଟବଲ ସଙ୍ଘ ଉଲ୍ଲଙ୍ଘନ କରିଛି । ଆହୁରି ମଧ୍ୟ ଫିଫା କହିଛି ଯେ, ଏଆଇଏଫଏଫକରେ ଥିବା ଏକ ସ୍ୱତନ୍ତ୍ର କମିଟିକୁ ଭାଙ୍ଗିବାକୁ ହେବ । ଏହାସହ ପୂର୍ଣ୍ଣ ରୂପେ ସଙ୍ଘର ପ୍ରଶାସନ ଦାୟିତ୍ୱ ନିଜେ ହିଁ ସଙ୍ଘ ତୁଲାଇବ ତେବେ ନିଲମ୍ବନ ହଟାଇ ଦିଆଯିବ । ନିଲମ୍ବନର ନିୟମ ଅନୁସାରେ, ଅକ୍ଟୋବରରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ ଭାରତରେ ଆୟୋଜନ ହୋଇପାରିବ ନାହିଁ । ପରେ ଏନେଇ ସମସ୍ତ ତଥ୍ୟ ଦିଆଯିବ । ଆବଶ୍ୟକ ହେଲେ ମାମଲାକୁ ଯାଞ୍ଚ ସମିତିକୁ ପଠାଇ ଦିଆଯିବ ।

ଅନ୍ତର୍ଜାତୀୟ ଫୁଟବଲ ସଙ୍ଗଠନ ଆହୁରି କହିଛି ଯେ, ସେମାନେ ଭାରତୀୟ କ୍ରୀଡା ମନ୍ତ୍ରାଳୟ ସହ ଲଗାତର ସମ୍ପର୍କରେ ଅଛନ୍ତି । ଭାରତ ପକ୍ଷରୁ ସକରାତ୍ମକ ପରିମାଣ ଆସିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ, ଚଳିତ ମାସରେ ଫିଫା ଏଆଇଏଫଏଫକୁ ତୃତୀୟ ପକ୍ଷ ହସ୍ତକ୍ଷେପ କାରଣରୁ ଚେତାବନୀ ଦେଇଥିଲା । ଏହା ସୁପ୍ରିମକୋର୍ଟଙ୍କ ଏଆଇଏଫଏଫରେ ନିର୍ବାଚନ ନେଇ ନିର୍ଦ୍ଦେଶନାମାର କିଛି ଦିନ ପରେ ଆସିଥିଲା । ଅଗଷ୍ଟ ୨୮ରେ ଏଆଇଏଫଏଫର ନିର୍ବାଚନ ହେବ । ଏହି ମାମଲାରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ବୁଧବାର ହେବ ।

Leave a Reply

Your email address will not be published. Required fields are marked *