ପିଲାଙ୍କ ସ୍ମୃତି ଶକ୍ତି ଦୁର୍ବଳ କରୁଛି ଟ୍ରାଫିକ୍ ରୁଟ୍ ! କାହିଁକି ଜାଣନ୍ତୁ ?

ନୂଆଦିଲ୍ଲୀ (ଦ କୁଇଭର ବ୍ୟୁରୋ): ଶଦ୍ଦ ପ୍ରଦୂଷଣ ମନୁଷ୍ୟ ପାଇଁ ନା ନା ପ୍ରକାର ସମସ୍ୟା ସୃଷ୍ଟି କରେ । ମନରେ ବିରକ୍ତି ମନୋଭାବ ସହ ମାନସିକ ଶାନ୍ତି ବ୍ୟାହତ ହୁଏ । ମୁଣ୍ଡ ବ୍ୟଥା, ହୃଦସ୍ପନ୍ଦନ ବୃଦ୍ଧି, ଅନ୍ଧତ୍ୱ ଓ ମାନସିକ ଭାରାକ୍ରାନ୍ତ ସୃଷ୍ଟି ହୋଇଥାଏ । ଶଦ୍ଦ ପ୍ରଦୂଷଣ ହେତୁ ସ୍ମରଣଶକ୍ତି ମଧ୍ୟ କମି କମି ଯାଏ । ଏହି ପ୍ରଭାବ ସ୍କୁଲ ପିଲାଙ୍କ ଠାରେ ଦେଖିବାକୁ ମିଳୁଛି । ଏବେ ଟ୍ରାଫ୍ରିକ୍ ରୁଟ୍ ସ୍କୁଲ ପିଲାଙ୍କ ପାଇଁ ଏକ ସମସ୍ୟା ପାଲଟିଛି ।

ଏକ ଅନୁସନ୍ଧାନରୁ ଜଣାପଡିଛି, ଅଧିକ ଟ୍ରାଫିକ୍ ରୁଟ୍ ଦେଇ ସ୍କୁଲ୍ ଯାଉଥିବା ପିଲାମାନଙ୍କର ସ୍ମୃତି ଶକ୍ତି କମ୍ ହୋଇଥାଏ ଏବଂ ସେମାନଙ୍କର ମସ୍ତିଷ୍କ ବିକାଶ ମଧ୍ୟ ହୋଇପାରେନାହିଁ। ସ୍ପେନର ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍‌ଥର ଅନୁସନ୍ଧାନକାରୀମାନେ ବାର୍ସିଲୋନାରେ ଥିବା ୩୮ଟି ବିଦ୍ୟାଳୟର ପିଲାମାନଙ୍କ ଉପରେ ଏକ ରିସର୍ଚ କରିଥିଲେ। ତାଙ୍କ ଅନୁସନ୍ଧାନରେ ଏହା ଜଣାପଡିଲା ଯେ ଟ୍ରାଫିକ୍ରେ ବାଜୁଥିବା ହର୍ଣ୍ଣ, ଗାଡିର ଶବ୍ଦ ଏବଂ ଟ୍ରାଫିକରେ ଶବ୍ଦ ଶିଶୁର ସ୍ମୃତି ଶକ୍ତିକୁ ଦୁର୍ବଳ କରିଥାଏ ।

ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍‌ଥର ଅନୁସନ୍ଧାନକାରୀମାନେ ୭ ରୁ ୧୦ ବର୍ଷ ବୟସର ୨୬୮୦ ପିଲାଙ୍କ ଉପରେ ଗବେଷଣା କରିଥିଲେ। ଯେଉଁଥିରେ ସେମାନେ ଜାଣିବାକୁ ପାଇଲେ ଯେ ଯଦି ବାହ୍ୟ ଶବ୍ଦର ସ୍ତର ୫ଡେସିବଲ୍ ବଢେ, ତେବେ ଏହାଦ୍ୱାରା ପିଲାମାନଙ୍କର ସ୍ମୃତିଶକ୍ତି କ୍ଷମତା ୧୧.୫% କମ୍ ହୋଇଯାଏ। କେବଳ ଏତିକି ନୁହେଁ, ଏହି ଶବ୍ଦ ଏତେ ବିପଜ୍ଜନକ ଯେ ଏହା କାର୍ୟ୍ୟ ଦକ୍ଷତାର ବିକାଶକୁ ୨୩.୫% ହ୍ରାସ କରିଥାଏ ।

ଅନୁସନ୍ଧାନରୁ ଜଣାପଡିଛି ଯେ ଟ୍ରାଫିକ ମାର୍ଗ ଦେଇ ଯାଉଥିବା ପିଲାମାନଙ୍କର ମସ୍ତିଷ୍କ ବିକାଶ ଠିକ୍ ଭାବରେ ହୁଏ ନାହିଁ। ଶବ୍ଦ ହେତୁ ତାଙ୍କ ମନ ପାଠ ପଢାରେ ମଧ୍ୟ ଲାଗେନାହିଁ ଏବଂ ତାଙ୍କ ସ୍ମୃତିଶକ୍ତି ମଧ୍ୟ କମିଯାଏ। ଏପରି ପିଲାମାନଙ୍କର ଶିକ୍ଷା ଉପରେ ଶବ୍ଦ ବହୁତ ପ୍ରଭାବ ପକାଇଥାଏ। ଅଧ୍ୟୟନ ସେମାନଙ୍କ ଧ୍ୟାନକୁ ୪.୮% ହ୍ରାସ କରିଥାଏ। ତେଣୁ ଏହି ସମସ୍ୟାକୁ ଖାମଖିଆଲ ନେବା ଉଚିତ୍ ନୁହେଁ । ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ଟ୍ରାଫିକ୍ ସ୍ଥାନଠାରୁ ଦୂରରେ ରଖିବା ଆବଶ୍ୟକ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଶିଳ୍ପାଞ୍ଚଳରେ ଦିନରେ ୭୫ ଏବଂ ରାତିରେ ୭୦ ଡେସିବେଲ, ବାଣିଜ୍ୟ ବ୍ୟବସାୟ ସ୍ଥଳରେ ଦିନରେ ୭୫ ଏବଂ ରାତିରେ ୭୦ ଡେସିବେଲ , ଜନବସତି ଅଞ୍ଚଳରେ ଦିନରେ ୫୫ ଏବଂ ରାତିରେ ୪୫ ଡେସିବେଲ, ଚିକିତ୍ସାଳୟ ଏବଂ ବିଦ୍ୟାଳୟ ନିକଟରେ ଦିନରେ ୫୦ ଏବଂ ରାତିରେ ୪୦ ଡେସିବେଲ୍ ମଧ୍ୟରେ ସର୍ବାଧିକ ଶଦ୍ଦ କରାଯାଇପାରେ । ଯଦି ଏହାଠୁ ଅଧିକ ଶଦ୍ଦ ପ୍ରଦୂଷଣ ହୁଏ ତେବେ ଭବିଷ୍ୟତରେ ମାନବସମାଜ ଭୟଙ୍କର ବିପତ୍ତିର ସାମ୍ନା କରିବ ।

Leave a Reply

Your email address will not be published. Required fields are marked *