ବଂଶଲ କଲେ ରୁଦ୍ଧଦ୍ୱାର ବୈଠକ: ବିଜେପି ଉଠିବ ନା ପଡ଼ିବ ?

FILE PHOTO

ଭୁବନେଶ୍ୱର (ଦ କୁଇଭର): ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ବେଶ୍ କସରତ କରିଛନ୍ତି ବିଜେପି ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ । ତାଙ୍କ ଦଳର ଯୁବକମାନଙ୍କ ମଧ୍ୟରେ କିଛି ଉତ୍ସାହ ମଧ୍ୟ ସେ ଦେଖିଛନ୍ତି । କିନ୍ତୁ ତାଙ୍କୁ ହତୋତ୍ସାହିତ କରିଛି ଆଜି ବିଜେଡିର ଶୋଭାଯାତ୍ରା । ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ବୋଧହୁଏ ବିଜେପିର କୌଣସି କାର୍ଯ୍ୟକ୍ରମରେ ହୋଇନଥିବେ । ତାକୁ ବି ସେ ପରଖିଛନ୍ତି । କାହିଁକି ନବୀନଙ୍କ ପଛରେ ଏତେ ସମର୍ଥନ ?

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ପ୍ରଭାରୀ ସୁନୀଲ ବଂଶଲ ଆଜି ବିଜେପିର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ପ୍ରଥମେ ପଦାଧିକାରୀ ଓ ତା ପରେ କୋର କମିଟି ବୈଠକରେ ଆଜି ‘ମିଶନ ୨୦୨୪’ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ବିଜେପି । କୋର କମିଟି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ନିର୍ବାଚନ ପରେ ବିଜେପି ବିଜେଡିକୁ କେବେ ବିରୋଧ କରିନାହିଁ । ସବୁବେଳେ ବିଜେଡିର ପିଠି ଥାପୁଡେଇଛି । ସବୁବେଳେ ପ୍ରସଂଶା କରିଛି । ଅନେକ ସମୟରେ ନବୀନ ନିବାସ ଯାଇ ଅମିଶ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ନୈଶ୍ୟ ଭୋଜନରେ ସାମିଲ ହୋଇଛନ୍ତି । ଯେଉଁଠି ଦେଖିଲେ ବିଜେପି ସବୁବେଳେ ବିଜେଡି ସହ ସମ୍ପର୍କ ଜୋଡିବାକୁ ହାତ ବଢାଇଛି । ଆଉ ତାର ବେଶ୍ ମାଇଲେଜ୍ ନେଇଛି ବିଜେଡି । ୨୦୨୪ ନିର୍ବାଚନ ହୁଏତ ଆଗୁଆ ହୋଇଯାଇପାରେ । ଏବେ ନିର୍ବାଚନର ଅଳ୍ପ କିଛି ମାସ ପୂର୍ବରୁ ବିଜେପି ବର୍ତ୍ତମାନ ବିଜେଡି ବିରୁଦ୍ଧରେ କହିବ କ’ଣ? ବର୍ତ୍ତମାନ ବିଜେପି ସରକାରଙ୍କ କେଉଁ ବିଫଳତାକୁ ଦେଖାଇବ? ସବୁ କଥାରେ ତ ମୁଣ୍ଡ ଟୁଙ୍ଗାରି ଆସିଛି । କୋର କମିଟି ବୈଠକରେ ଏହି ପ୍ରଶ୍ନ ବଂଶଲଙ୍କୁ ବି ଦୋହଲାଇ ଦେଇଛି । ସତରେ ବିଜେପି ଯଦି ନିର୍ବାଚନ ଲଢିବ, ତେବେ ପ୍ରସଙ୍ଗ କ’ଣ ରଖିବ? କେଉଁ ପ୍ରସଙ୍ଗକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବ ? ତାହା ଏବେ ବଡ଼ ପ୍ରଶ୍ନବାଚୀ ।

ସେପଟେ ଆଗାମୀ ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ଓଡ଼ିଶା ଆସିବା ପରେ ଚୂଡ଼ାନ୍ତ ହେବ ବିଜେପିର ରଣନୀତି । ନଡ୍ଡା ଓଡ଼ିଶା ଆସିବା ପରେ ସେ ରାଜ୍ୟ ବିଜେପିର ସଙ୍ଗଠନ ସ୍ଥିତି ପରଖିବେ । ଏବଂ ସେ ଦେଖିବେ ଯେ, ଓଡ଼ିଶାରେ ବିଜେପି ନବୀନ ସରକାରଙ୍କ ସାଙ୍ଗରେ ଲଢି ପାରିବ କି ନାହିଁ? ଯଦି ସଙ୍ଗଠନ ଲଢିବା ସ୍ଥିତିରେ ନ ଥାଏ, ତେବେ ବିଜେଡି ସହ ହାତ ମିଳାଇ ମେଣ୍ଟ ସରକାର ଗଢିବାକୁ ରାଜି ହୋଇପାରନ୍ତି । ଲଢିବେ ନା ହାତ ମିଳାଇବେ, ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *