ବିଜେପିରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଚଣ୍ଡିଗଡ଼ (ଦ କୁଇଭର): ବିଜେପିରେ ବିଲୟ ହୋଇଯିବ ପଞ୍ଜାବ ଲୋକ କଂଗ୍ରେସ ଦଳ । ପଦ୍ମ ଧରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ଯାହା ଚର୍ଚ୍ଚା ହେଉଥିଲା ଶେଷରେ ତାହା ହିଁ ହେଲା । କ୍ୟାପଟେନ୍ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବା ଏକପ୍ରକାର ସ୍ପଷ୍ଟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୯ରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିବେ । ଏନେଇ ସୂଚନା ଦେଇଛନ୍ତି ପିଏଲସି ମୁଖପାତ୍ର ପ୍ରୀତପାଲ ସିଂ । ସେ ଏହା ମଧ୍ୟ କହିଛନ୍ତି, ସେପ୍ଟେମ୍ବର ୧୯ ସୋମବାର ବିଜେପିରେ ପଞ୍ଜାବ ଲୋକ କଂଗ୍ରେସର ବିଲୟ ହେବ । ୮୦ ବର୍ଷୀୟ କ୍ୟାପ୍ଟେନ ଅମରିନ୍ଦର ସିଂ ଗତ ବର୍ଷ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାପରେ ପିଏଲସି ଗଠନ କରିଥିଲେ। ପିଏଲସିର ମୁଖପାତ୍ର ପ୍ରୀତପାଲ ସିଂ କହିଛନ୍ତି, ପିଏଲସିରେ ସାମିଲ ହୋଇଥିବା ୭ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହେବେ । ସେ କହିଛନ୍ତି, ପିଏଲସିର ଅନ୍ୟ ପଦାଧିକାରୀ ଏବଂ ଜିଲ୍ଲା ଅଧ୍ୟକ୍ଷ ଆସନ୍ତା ସପ୍ତାହରେ ଚଣ୍ଡିଗଡରେ ଏକ କାର୍ୟ୍ୟକ୍ରମରେ ବିଜେପିରେ ସାମିଲ ହେବେ ।

କ୍ୟାପଟେନ୍ ଅମରିନ୍ଦର ସିଂ ଦୀର୍ଘ ଦିନ ଧରି ଲଣ୍ଡନରେ ରହି ଚିକିତ୍ସିତ ହେଉଥିଲେ । ଲଣ୍ଡନରୁ ଚିକିତ୍ସିତ ହୋଇ ଫେରିବା ପରେ ସେ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଗତ ସେପ୍ଟେମ୍ୱର ୧୨ରେ ଶାହଙ୍କ ସହ ବୈଠକ କରି ରାଜ୍ୟର ସୁରକ୍ଷା ଏବଂ ବିକାଶ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ସାର୍ଥକ ଆଲୋଚନା ହୋଇଥିବା କ୍ୟାପ୍ଟେନ ଅମରିନ୍ଦର ସିଂ କହିଥିଲେ।

୮୦ ବର୍ଷୀୟ କ୍ୟାପଟେନ ଅମରିନ୍ଦର ସିଂ ଗତ ବର୍ଷ କଂଗ୍ରେସ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ହଠାତ୍ ଇସ୍ତଫା ଦେବା ପରେ ପିଏଲସି ଗଠନ କରିଥିଲେ। ଦୁଇଥର ମୁଖ୍ୟମନ୍ତ୍ରୀ ସିଂ ହେଉଛନ୍ତି ପୂର୍ବତନ ପଟିଆଲା ରାଜ ପରିବାରର ବଂଶଧର। ଗତ ବର୍ଷ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏବେ ସେ ଓ ତାଙ୍କ ଦଳ ବିଜେପିରେ ମିଶିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *