ପୋଲାଣ୍ଡରେ ମାଡ ହେଲା ଋଷ କ୍ଷେପଣାସ୍ତ୍ର: ୨ମୃତ

FILE PHOTO

କିଭ୍ (ଦ କୁଇଭର): ପୋଲାଣ୍ଡ ଉପରେ ଋଷର ମିସାଇଲ ମାଡ । ଗୋଟିଏ ପଟେ ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ଜାରି ରହିଥିବା ବେଳେ ଋଷର ମିସାଇଲ ୟୁକ୍ରେନ୍ ସୀମା ଡେଇଁଛି । ସୀମା ଡେଇ ପୋଲାଣ୍ଡରେ ଋଷର ମିସାଇଲ୍ ମାଡ ହୋଇଛି । ଏହି ମିସାଇଲ ମାଡରେ ପୋଲାଣ୍ଡର ୨ନାଗରିକଙ୍କ ମୃତ୍ୟୁ ହୋଇଛି । ଏହା ପରେ ପୋଲାଣ୍ଡ ସେନା ଆଲର୍ଟରେ ରହିଛନ୍ତି । ତେବେ ଏହି ଆକ୍ରମଣକୁ ନେଇ ଋଷ ଏପରି ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ବାଲିରେ ଜି-୭ ଏବଂ ନାଟୋର ଜରୁରୀ ବୌଠକ ଡାକିଛନ୍ତି । ନାଟୋ ସଦସ୍ୟ ଦେଶ ପୋଲାଣ୍ଡ ସୀମାରେ ଋଷ କ୍ଷେପଣାସ୍ତ୍ର ଖସିଯିବା ପରେ ଆମେରିକା ସମେତ ବିଶ୍ୱର ଅନେକ ଦେଶକୁ ସତର୍କ କରାଯାଇଛି ।
ସର୍ବଶେଷ ସୂଚନା ଅନୁଯାୟୀ, ଏହି ଘଟଣା ପରେ ପୋଲାଣ୍ଡ ଋଷର ରାଷ୍ଟ୍ରଦୂତଙ୍କୁ ଡକାଇଛି । ଏ ବାବଦରେ ପୋଲାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।

ମନ୍ତ୍ରଣାଳୟର ମୁଖପାତ୍ର ଲୁକଜ ଜସିନା କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ଆମେ ତୁରନ୍ତ ବିସ୍ତୃତ ବିବରଣୀ ମାଗିଛୁ । ନଭେମ୍ବର ୧୫ରେ ଋଷରୁ ୟୁକ୍ରେନ ଉପରେ ପ୍ରବଳ ଗୁଳି ବର୍ଷା ହୋଇଥିଲା ଓ ସେନା ମଧ୍ୟ ତାର ଗଠନମୂଳକ ସଂରଚନାକୁ ନଷ୍ଟ କରିଦେଇଛି । ଦିନ ୩.୪୦ ମିନିଟରେ ଲୁବଲିନ୍ ପ୍ରଦେଶର ହ୍ରୁବିଜୋ ଜିଲ୍ଲାର ପ୍ରେଜଭୋଡୋ (ଚକ୍ସଚ୍ଛରଙ୍ଗକ୍ଟୟିଁଙ୍ଗ) ଗାଁରେ ଋଷ ନିର୍ମିତ କ୍ଷେପଣାସ୍ତ୍ର ଖସିଛି । ଏହାର ପରିଣାମ ସ୍ୱରୂପ ପୋଲାଣ୍ଡର ଦୁଇ ନାଗରିକଙ୍କ ମୃତ୍ୟୁ ଘଟିଛି । ସେଥିପାଇଁ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ଜିବିଗ୍ନି ରାଉ ତୁରନ୍ତ ଋଷର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ଘଟଣାର ବିସ୍ତୃତ ବିବରଣୀ ମାଗିଛନ୍ତି ।

ନାଟୋର ଆର୍ଟିକାଲ ୫ କ’ଣ କହେ ?
NATO ସମ୍ପୂର୍ଣ୍ଣ ନାମ ହେଉଛି ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ । ଏହା ୟୁରୋପୀୟ ଓ ଉତ୍ତର ଆମେରିକୀୟ ଦେଶର ଏକ ସାମରିକ ଓ ରାଜନୈତିକ ମେଣ୍ଟ । ନାଟୋ ଚୁକ୍ତିର ଆର୍ଟିକାଲ ୫ରେ କୁହାଯାଇଛି ଯେ, ଯଦି କୌଣସି ନାଟୋ ଦେଶ ଉପରେ ଆକ୍ରମଣ ହୁଏ, ତେବେ ବାକି ନାଟୋ ସଦସ୍ୟ ଦେଶମାନେ ଏହି ଆକ୍ରମଣକୁ ସମସ୍ତ ସଦସ୍ୟଙ୍କ ଉପରେ ଆକ୍ରମଣ ବୋଲି ମନେ କରିବେ । ସହଯୋଗୀ ଦେଶକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବେ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ । ଆମେରିକା, ଫ୍ରାନ୍ସ, ବେଲଜିୟମ, ଲକ୍ସେମବର୍ଗ, ବ୍ରିଟେନ, ନେଦରଲ୍ୟାଣ୍ଡ, କାନାଡା, ଡେନମାର୍କ, ପୋଲାଣ୍ଡ, ଆଇସଲ୍ୟାଣ୍ଡ, ଇଟାଲୀ, ନରୱେ ଏବଂ ପର୍ତ୍ତୁଗାଲ ସମେତ ନାଟୋ ସଂଗଠନରେ ୩୦ଟି ଦେଶ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *