ପଦ୍ମପୁର ପାଇବ ଜିଲ୍ଲା ମାନ୍ୟତା !

FILE PHOTO

ଭୁବନେଶ୍ୱର(ଦ କୁଇଭର) ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ବରଗଡ ଜିଲ୍ଲାରୁ ଅଲଗା ହେବ ପଦ୍ମପୁର । ପ୍ରତିଶ୍ରୁତି ଦେଲେ ନବୀନ । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁର ହେବ ନୂଆ ଜିଲ୍ଲା । ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପଦ୍ମପୁର ଉପନିର୍ବାଚନ ଅଛି, ସେଥିପାଇଁ ପଦ୍ମପୁରରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ବିଜେଡିର ମୁଖ୍ୟ ହିସାବରେ ପଦ୍ମପୁରବାସୀଙ୍କୁ ମିଳିଛି ଏହି ପ୍ରତିଶ୍ରୁତି । ଦୀର୍ଘ ଦିନ ପରେ ସେମାନଙ୍କର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଖେଳିଯାଇଛି ।

ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସଫଳ ହୋଇଥିବା କମିଟିର ସଦସ୍ୟମାନେ କହିଛନ୍ତି । ହେଲେ ଏ ସମ୍ପର୍କରେ ଇସ୍ତାହାରରେ ଉଲ୍ଲେଖ ହେବା ପରେ ହିଁ ପଦ୍ମପୁରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତିକୁ ସମାଲୋଚନା କରିଛନ୍ତି । ଆଗକୁ ଉପନିର୍ବାଚନ ଥିବାରୁ ଏହା ବିଜେଡିର ଏକ ପ୍ଲାନ୍ ବୋଲି କହୁଛନ୍ତି । ତେଣୁ ଉପନିର୍ବାଚନ ପରେ ନବୀନ ତାଙ୍କ ପ୍ରତିଶ୍ରୁତି ରଖିବେ ତ? ଇସ୍ତାହାରରେ ଏହାକୁ ଉଲ୍ଲେଖ କରାଯିବ ତ? ନା ପୂର୍ବଭଳି ପଦ୍ମପୁର ବାସୀଙ୍କୁ ଠକିଦେବେ? ତାହା ଏବେ ବଡ଼ ପ୍ରଶ୍ନ । ଯଦି ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପରେ ନିଜ ନିଷ୍ପତ୍ତିରୁ ଓହରିଗଲେ, ତେବେ ୨୦୨୪ ସାଧାରଣ ନିର୍ବାଚନରେ ଏହି ପ୍ରସଙ୍ଗକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ନବୀନ ଦେଇଥିବା ପ୍ରତିଶ୍ରୁତି ପୂରଣ ହେଉଛି ନା ପଦ୍ମପୁରବାସୀଙ୍କ ପାଇଁ ଜିଲ୍ଲା ସ୍ୱପ୍ନ ପୁଣି ସ୍ୱପ୍ନ ହୋଇ ରହିଯାଉଛି । ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *