ପଦ୍ମପୁର(ଦ କୁଇଭର): ଅହଂକାର ଓ ମାତ୍ରାଧିକ ବିଶ୍ୱାସ ହିଁ ପଛକୁ ଠେଲୁଛି । ପୂର୍ବରୁ ବିଜେପି ପୁରୁଖା କାଳେ ଅହଂକାର ଯୋଗୁ ଲୋକାଭିମୂଖୀ ହୋଇ ପାରୁନଥିଲେ । ଆଉ ଏବେ ସେହି ସ୍ଥିତିରେ ପହଞ୍ଚିଛି ବିଜେଡି । ଫଳରେ ଧାମନଗର ହାରିଲା, ଏବେ ପଦ୍ମପୁର ବି ବାଜିରେ ଲାଗିଛି । ନିଦ୍ଦ୍ୱର୍ନ୍ଦରେ ଉପନିର୍ବାଚନ ଜିତୁଥିବା ବିଜେଡି ହଠାତ ମାଡ଼ ଖାଉଛି କାହିଁକି? ଏହି ପ୍ରଶ୍ନ ଉତ୍ତରରେ ଦଳର କର୍ମୀମାନେ କହୁଛନ୍ତି ଲୋକେ ବିଜେଡିକୁ ଛାଡ଼ି ନାହାନ୍ତି । ବିଜେଡି ନେତାଙ୍କ ଅହଂକାର ହିଁ ଲୋକଙ୍କ ଠାରୁ ତାଙ୍କୁ ଦୂରେଇ ନେଉଛି । ଯାହାଫଳରେ ପଦ୍ମପୁର ବାଜିରେ ଲାଗିଛି ।

୨୦୧୯ରେ ବ୍ୟାପକ ସଫଳତା ଓ ଏହାପରେ ଉପନିର୍ବାଚନ ଗୁଡ଼ିକରେ ସଫଳତା ହିଁ ବିଜେଡିକୁ କାଳେ ଅହଂକାରୀ କରିଦେଇଛି । ପିପିଲି ହେଉ କି ପାଟକୁରା, ବାଲେଶ୍ୱର ହେଉ କି ବ୍ରଜରାଜ ନଗର ସବୁଠି ବିଜେଡି ବାଜି ମାରିନେଲା । ଏହାପରେ ବିଜେଡି ନେତାଙ୍କର ଆତ୍ମବିଶ୍ୱାସ ଆହୁରି ବଢ଼ିଲା । ମାତ୍ରାଧିକ ଆତ୍ମବିଶ୍ୱାସରେ ବାସ୍ତବ ସ୍ଥିତି ଠୁ ନେତା ମାନଙ୍କୁ ଦୂରେଇଦେଲା । ଦଳର ପୁରୁଖା ଓ ଅଭିଜ୍ଞ ମାନଙ୍କୁ ଉପେକ୍ଷା କରାଗଲା ।ଧାମନଗରରେ ଅଭିଜ୍ଞଙ୍କୁ ଉପେକ୍ଷା କରିବାରେ ଫଳ ବି ପାଇଲେ । ବିଜେପି ସେଠାରେ ଜିତିବା ସ୍ଥିତିରେ ନଥିଲା । କନ୍ଦଳ ଯୋଗୁ ବାଜି ମାରିନେଲା । ଏବେ ପଦ୍ମପୁର । ପଦ୍ମପୁରରେ ବିଜେଡି ସେହି ଭୂଲ କରିଛି । ପ୍ରାର୍ଥୀ ଚୟନରେ ଭୂଲ ଯୋଗୁ ସ୍ଥିତି ଏମିତିରେ ପହଞ୍ଚିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ସେଠାରେ ସଂଗଠନର ଯୋଗ୍ୟଙ୍କୁ ଦଳ ପ୍ରାର୍ଥୀ କରିପାରିଥାନ୍ତା । ତାଙ୍କ ପାଇଁ ସ୍ୱର୍ଗତ ବରିହାଙ୍କ ପରିବାର ପ୍ରଚାର କରିଥିଲେ, ଗେମ୍ ଓଭର ହୋଇଯାଇଥାନ୍ତା । କାରଣ ୨୦୧୯ରେ ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ । ତାହା ନକରି ବିଜେଡି ସ୍ୱର୍ଗତ ବରିହାଙ୍କ ବିବାହିତା ଝିଅ ବର୍ଷାଙ୍କୁ ପ୍ରାର୍ଥୀ କଲା । ବର୍ଷା କେବେ ପଦ୍ମପୁରରେ ରହିନାହାନ୍ତି । ସେଠାକାର ଲୋକଙ୍କ ସହ ମିଶି ନାହାନ୍ତି । ରାଜଧାନୀରେ ଜୀବନ କାଟିଛନ୍ତି । ପୁରୀରେ ବିବାହ କରିଛନ୍ତି । ପ୍ରାର୍ଥୀ ହେବାଯାଏ ବର୍ଷା ବିଜେପିର ପ୍ରଶଂସକ ଥିଲେ । ପ୍ରାର୍ଥୀ ହେବା ପରେ ହଠାତ ଯାଇ ଲୋକଙ୍କୁ ବିଜେଡିର କହି ଭୋଟ ମାଗିବା ବିଶ୍ୱାସଯୋଗ୍ୟ ହେଉନହାିଁ । ଯାହା ବିଜେଡି ବିପର୍ଯ୍ୟୟର ସବୁଠୁ ବଡ଼ କାରଣ । ଏହାବ୍ୟତୀତ ନେତାମାନେ ଦିନକୁ ଦିନ ଅହଂକାରୀ ହୋଇଗଲେଣି । ବାରମ୍ବାର ବିକାଶର ମିଛ ଚିତ୍ର ଦେଖାଉଛନ୍ତି । ବାସ୍ତବ ବିକାଶ ଅକ୍ଷୋ କାଗଜପତ୍ରର ବିକାଶ ତାଲିକାକୁ ଦେଖାଉଛନ୍ତି, ଯାହା ବୁମେରାଂ ହେଉଛି । ରାଜ୍ୟ ସରକାର ଓ ବିଜେଡି ନେତାଙ୍କ ମିଛକୁ ଧରିଛି ବିଜେପି । ପ୍ରଥମଥର ପାଇଁ ବିଜେପି ବିଜେଡି ସରକାରଙ୍କୁ ମିଛୁଆ ବୋଲି କହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କାହିଁକି ରେଳ ଲାଇନ ନିର୍ମାଣ ନେଇ ମିଛ କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ, ରାଜ୍ୟ ସରକାର ସହଯୋଗ ନକରି କେନ୍ଦ୍ର ଉପରେ ଦୋଷ ଲଦିଲେ ଲୋକେ ବୁଝିଯିବେ ବୋଲି ସେ କହିଛନ୍ତି ।

କେବଳ ସେତିକି ନୁହେଁ, ପୂର୍ବରୁ ବିଜେଡି ପାଖରେ କେନ୍ଦ୍ର ଅବହେଳା କରୁଥିବା ଏକ ବଡ଼ ଅସ୍ତ୍ର ଥିଲା । ଯାହା ଏବେ ଆଉ ନାହିଁ । କଂଗ୍ରେସ ସମୟରେ କେନ୍ଦ୍ରରର ଅବହେଳା ଓଡ଼ିଶା ପ୍ରତି ଥିଲା । ତାକୁ ଦେଖାଉଥିଲା ବିଜେଡି । କଂଗ୍ରେସ ବି ଚୁପ ରହୁଥିଲା । ହେଲେ ମୋଦି ସରକାର ଆସିବା ପରେ କେନ୍ଦ୍ର ପର୍ଯ୍ୟାପ୍ତ ସହଯୋଗ ଓଡ଼ିଶାକୁ କରିଛି । ଏପରିକି କେନ୍ଦ୍ରୀୟ ପାଣ୍ଠି ବିଜେଡି ଖର୍ଚ୍ଚ କରିପାରୁନାହିଁ । କେନ୍ଦ୍ରୀୟ ଯୋଜନା ବି ବାଟମାରଣା ହେଉଛି । ଏକଥାକୁ ବିଜେପି ତାଲିକା କରି ଏବେ ଲୋକଙ୍କ ସାମ୍ନାରେ ରଖିଲାଣି । ତେଣୁ ବିଜେଡିର କେନ୍ଦ୍ରୀୟ ଅବହେଳା ରଣକୌଶଳ ଫେଲ ମାରିଲାଣି । ବିଜେଡିର ସେହି ରଣକୌଶଳକୁ ରବିବାର କେନ୍ଦ୍ରମନ୍ତ୍ରୀମାନେ ଆସି ଭଣ୍ଡୁର କରିଛନ୍ତି । ଏବେ ବିଜେଡି ହାତରେ ରଣକୌଶଳ ନାହିଁ । କେବଳ ମିଶନଶକ୍ତି ହିଁ ଭରସା । ସେତକ ବି ବିଜେପି ଭାଗ କରିବାକୁ ଲାଗିଛି । ତେଣୁ ଏଥର ପଦ୍ମପୁରରେ ଫୁଲ ଫୁଟିବ ବୋଲି ବିଜେପି ନୁହେଁ ବିଜେଡି ବିରୋଧୀମାନେ ବି କହିଲେଣି ।

Ads by Chasicare

କେବଳ ସେତିକି ନୁହେଁ, ବିଜେପିରେ ଏବେ ଏକ ବଡ଼ ପରିବର୍ତ୍ତନ ଦେଖା ଦେଇଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓଡ଼ିଶାକୁ ଆସୁନଥିଲେ । ଲୋକଙ୍କ ସହ ସିଧା ସଳଖ ନମିଶି ଏକ ନିର୍ଦ୍ଧିଷ୍ଟ କୋଟେରୀରେ ରହୁଥିଲେ । କିଛି ତେଲୁଆଙ୍କୁ କାଳେ ସେ କ୍ଷମତା ଦେଇଥିଲେ । ଅକର୍ମାଙ୍କ ହାତରେ ଦାୟିତ୍ୱ ରଖିଥିବାରୁ ଦଳ ଭିତରେ ଅସନ୍ତୋଷ ବଢ଼ିଥିଲା । ଧର୍ମେନ୍ଦ୍ର ଅହଂକାରୀ ବୋଲି କୁହାଯାଉଥିଲା । ମାତ୍ର ଏଥର ଧାମନଗର ଉପନିର୍ବାଚନରେ ଧର୍ମେନ୍ଦ୍ରଙ୍କର ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ସେ ସିଧା ସଳଖ ଲୋକଙ୍କ ସହ ମିଶିଛନ୍ତି । ପୂର୍ବାପେକ୍ଷା ତାଙ୍କର ଗ୍ରହଣୀୟତା ବି ବଢ଼ିଛି । ଧାମନଗରକୁ ସେ ମିଶନ ମୋଡ଼ରେ ନେଇ ସଫଳ ହୋଇଛନ୍ତି । ପୂର୍ବରୁ ଯେମିତି ମନମାନୀ ଥିଲା ଆଉ ନାହିଁ । ଏବେ ଦଳର ସବୁ ପୁରୁଖାଙ୍କୁ ଡାକି କାମ କଲେଣି । ଧାମନଗର ଉପନିର୍ବାଚନଠୁ ଦୂରେଇ ରହିଥିବା ବୈଜୟନ୍ତ ପଣ୍ଡା ଏଥର ପଦ୍ମପୁରରେ ଦେଖା ଦେଲେଣି । ବିଜେଡି ବିରୋଧରେ ବିଜେପି ମିଳିତ ଲଢ଼େଇ ଆରମ୍ଭ କରିଛି । ବିଜେଡିର ଅହଂକାରୀ ନେତାଙ୍କ ଠାରୁ ଦୂରେଇ ଲୋକେ କାଳେ ପଦ୍ମ ଆଡ଼କୁ ଢ଼ଳୁଛନ୍ତି । ଯାହା ବିଜେଡି ପାଇଁ କଠିନ ସ୍ଥିତି ସୃଷ୍ଟି କରୁଛି । ତଥାପି ନବୀନଙ୍କ ଉପରେ ବିଜେଡି ଭରସା କରିଛି । ନବୀନ ହିଁ ଉଦ୍ଧାର କରିପାରନ୍ତି । ଯଦି ଏଥର ନବୀନ ଫେଲ ମାରିଲେ, ୨୦୨୪ ନିର୍ବାଚନ ଚିତ୍ର ବଦଳି ଯାଇପାରେ ବୋଲି ଖୋଦ ବିଜେଡି ଦଳିଆ କହିଲେଣି ।

Leave a Reply

Your email address will not be published. Required fields are marked *