ଅଧ୍ୟକ୍ଷତା ଦାୟିତ୍ୱ ନେବ ଭାରତ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଆଜିଠୁ ଆନୁଷ୍ଠାନିକ ଭାବେ G20 ଅଧ୍ୟକ୍ଷତା ଦାୟିତ୍ୱ ନେବ ଭାରତ । ସମଗ୍ର ବିଶ୍ୱ ପାଇଁ ଅର୍ଥନୈତିକ ସମୃଦ୍ଧ ଦେଶଗୁଡିକର ଏକ ଗୋଷ୍ଠୀ G20 ଉପରେ ଭାରତ ଅଧ୍ୟକ୍ଷତା କରିବ । ଭାରତର ଜି-୨୦ ଅଧ୍ୟକ୍ଷତା ପଦ ଗ୍ରହଣକୁ ଏକ ଉତ୍ସବ ଭାବେ ପାଳନ କରିବାକୁ ସ୍ୱତନ୍ତ୍ର ଆୟୋଜନ କରିଛନ୍ତି କେନ୍ଦ୍ର ସରକାର । ଏହି ଐତିହାସିକ ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ଡିସେମ୍ବର ୧ ରୁ ୭ ତାରିଖ ଯାଏଁ ଦେଶର ଶହେଟି ଐତିହାସିକ ସ୍ଥଳୀରେ ଜି-୨୦ର ଲୋଗୋକୁ ଆଲୁଅ ମାଳାରେ ସଜାଯିବ ।

ଚଳିତ ବର୍ଷର ଅଧ୍ୟକ୍ଷତା ସମୟରେ ଭାରତ ୫୦ ରୁ ଅଧିକ ସହରରେ ୩୨ ଟି ବିଭିନ୍ନ କ୍ଷେତ୍ର ପାଇଁ କାର୍ୟ୍ୟରତ ଦେଶର ପ୍ରାୟ ୨୦୦ ବୌଠକ ଆୟୋଜନ କରିବ । ଆସନ୍ତା ବର୍ଷ ଏହି ଶିଖର ସମ୍ମିଳନୀ ପାଇଁ ଭାରତର ମୂଳ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିବା ସହିତ ଦେଶରେ ଆସୁଥିବା ଡିଜିଟାଲ୍ ପରିବର୍ତ୍ତନକୁ ଆଲୋକିତ କରିବା ସହିତ ବିଶ୍ୱ ପରିବେଶର ସଠିକ୍ ତଥା ନିରନ୍ତର ବିକାଶ ପାଇଁ ସୁଲଭ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଡିସେମ୍ବର ୪ରୁ ୭ ତାରିଖ ଯାଏଁ ରାଜସ୍ଥାନର ଉଦୟପୁର ଆୟୋଜିତ ହେବ । ଏହାଛଡା ଆସନ୍ତା ଦୁଇ ମାସ ଭିତରେ ମୁମ୍ବାଇ, କୋଲକାତା, ପୁଣେ, ବାଙ୍ଗାଲୋର, ଆଦି ସହରରେ ୭ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଯିବା କାର୍ୟ୍ୟସୂଚୀ ରହିଛି । ମିଳିଥିବା ସୂଚନା ଅନୁସାରେ ଦେଶର ୫୦ଟି ସହରରେ ୨ଶହ ବୈଠକ କରିବାକୁ ଯୋଜନା ହୋଇଛି । ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ତୁଲାଇବା ନେଇ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଜି୨୦ର ଲୋଗୋ, ଥିମ ଓ ୱେବସାଇଟ ଉନ୍ମୋଚନ କରିଥିଲେ ।
ଜି-୨୦ ଲୋଗୋରେ ଲେଖା ରହିଛି ବସୁଦୈବ କୁଟୁମ୍ବକମ ।

ଆଉ ଥିମ୍ ରହିଛି ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ । ଲୋଗୋ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଏହି ଲୋଗୋ କେବଳ ଏକ ପ୍ରତୀକ ଚିହ୍ନ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ବାର୍ତା । ଏହା ଏକ ଭାବନା ଯାହା ଆମ ଧମନୀରେ ପ୍ରବାହିତ ହେଉଛି । ଏହା ଏକ ସଂକଳ୍ପ ଯାହା ଆମ ବିଚାରରେ ରହିଛି । ବସୁଦୈବ କୁଟୁମ୍ବକମ ସୁତ୍ରରେ ଭାରତର ଅଧ୍ୟକ୍ଷତାରେ ଜି-୨୦ ଦେଶ ସମୁହ- କୃଷି, ଶିକ୍ଷା, ରୋଜଗାର, ଶକ୍ତି, ସ୍ୱାସ୍ଥ୍ୟ, ବାଣିଜ୍ୟ, ପର୍ୟ୍ୟଟନ, ଜଳବାୟୁ ପରିବର୍ତ୍ତନ, ବିକାଶ ତଥା ଦୁର୍ନୀତି ମୁଳୋତ୍ପାଟନ ଭଳି ପ୍ରସଙ୍ଗରେ ମାନସମନ୍ଥନ କରିବେ ।

୧୯୯୯ ରେ ଏସିଆରେ ଆର୍ଥିକ ସଙ୍କଟ ପରେ ଜି -୨୦ ପ୍ରତିଷ୍ଠା କରାଯାଇଥିଲା ଯାହା ଅର୍ଥମନ୍ତ୍ରୀ ତଥା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପାଇଁ ବିଶ୍ୱ ଅର୍ଥନୌତିକ ଏବଂ ଆର୍ଥିକ ସମସ୍ୟା ଉପରେ ଗୁରୁତ୍ୂପୂର୍ଣ ଆଲୋଚନା କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ରହିଥିଲା। G20 ଯଥା ୨୦ ଟି ଦେଶର ଏହି ଗୋଷ୍ଠୀ ହେଉଛି ବିଶ୍ୱର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥନୀତିର ଏକ ଆନ୍ତଃସରକାରୀ ଫୋରମ୍ । ଏଥିରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ୍ ଅଫ୍ କୋରିଆ ସହିତ ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ (EU) ମଧ୍ୟ ଅନ୍ତର୍ଭୁକ୍ତ । ଜି -୨୦ ହେଉଛି ଆନ୍ତର୍ଜାତୀୟ ଅର୍ଥନୌତିକ ସହଯୋଗ ପାଇଁ ଏକ ପ୍ରମୁଖ ଫୋରମ୍, ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି) ର ପ୍ରାୟ ୮୫ ପ୍ରତିଶତ, ବିଶ୍ୱ ବାଣିଜ୍ୟର ୭୫ ପ୍ରତିଶତରୁ ଅଧିକ ଏବଂ ବିଶ୍ୱର ପ୍ରାୟ ଦୁଇ ତୃତୀୟାଂଶ ଲୋକ ପ୍ରତିନିଧିତ୍ୱ କରୁଛନ୍ତି ।

THE Quiver News in Odisha
Chasicare Biofloc in Odisha

Leave a Reply

Your email address will not be published. Required fields are marked *