ସୁଶାନ୍ତ ସିଂ ବିଭ୍ରାନ୍ତ ନା ହତାଶ ?

FILE PHOTO

ଭୁବନେଶ୍ୱର(ଦ କୁଇଭର): ସୁଶାନ୍ତ ସିଂ ବିଭ୍ରାନ୍ତ ନା ହତାଶ ? ବାସ୍ତବ ଚିତ୍ର ଦେଖାଇଛନ୍ତି ନା ତାଙ୍କ ପାଟିରୁ ଏପରି କଥା ଏମିତି ବାହାରିଛି ? ଏତେ ବଡ଼ ଭୂଲ ସେ କଲେ କିପରି? ତାଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କ ଦ୍ୱାରା ଏତେ ବଡ଼ ବ୍ୟତିକ୍ରମ ହେଲା କିପରି? ବିଜେଡିରୁ ସେ ବିତସ୍ପୃହ ହୋଇ ସତ କହିଦେଇ ନାହାନ୍ତି ତ? ଏଭଳି ପ୍ରଶ୍ନ ଏବେ ଉଭୟ ବିଜେଡି ଓ ବିରୋଧୀଙ୍କ ଶିବିରରେ ଜୋର ଧରିଛି ।

ସୁଶାନ୍ତ ସିଂ କହିଲେ, ବିଜେପୁର ଉପନିର୍ବାଚନରେ ବିଜେଡି ହିଂସା କରିଥିଲା । ନାନା କାଣ୍ଡ ଭିଆଇଥିଲା । ଏବେ ଟିକିଏ ନଜର ପକାଇନେବା ବିଜେପୁର ଉପନିର୍ବାଚନ ସ୍ଥିତିକୁ । ସେତେବେଳେ ତାଙ୍କରି ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । କେତେ ଯେ ହିଂସା କାଣ୍ଡକୁ ଚାପି ଦିଆଯାଇଛି ତାହାର ହିସାବ ବିରୋଧୀ କାଳେ ରଖିଛନ୍ତି । କେବଳ ସେତିକି ନୁହେଁ, ସରକାରୀ କଳକୁ କାଳେ ପୂରା ବିଜେଡି ବ୍ୟବହାର କରିଥିଲା । ଯଦି ବିରୋଧୀଙ୍କ ଅଭିଯୋଗକୁ ଦେଖିବା ଓ ଏବେ ସୁଶାନ୍ତ ସିଂଙ୍କ କଥା ଦେଖିବା, ତେବେ ବିଜେଡି ବିରୋଧରେ ସେତେବେଳେ ଆସିଥିବା ଅଭିଯୋଗ ସତ ବୋଲି ଜଣାପଡ଼ୁଛି ।

ପୂର୍ବରୁ ରାଜସ୍ୱ ବିଭାଗ ଅଫିସରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ତର ଓ ଏହାକୁ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମୀଳା ମଲ୍ଲିକ ପ୍ରଦାନ କରିବା ଘଟଣା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେବଳ ଅକଳରେ ପକାଇଲାନି, ଦାଣ୍ଡରେ ଲଙ୍ଗଳା କରିଦେବା ଭଳି ହେଲା । ବିରୋଧୀ ଏହାର ବେଶ ସୁଯୋଗ ନେଲେ । ଯେତେ ପ୍ୟାଚୱାର୍କ ହେଲେ ବି କାମ ଦେଉନାହିଁ ।

ପ୍ରମିଳାଙ୍କ ଡ୍ୟାମେଜ କ୍ଷତିରୁ ବାହାରିବାକୁ ଦଳ ଲାଗି ପଡ଼ିଥିବା ବେଳେ ଏବେ ସୁଶାନ୍ତ ସିଂ ଦଳର ଗୋଡ଼କୁ କୁରାଢ଼ୀ ମାରିବା ଭଳି ଚୋଟ ଦେଇଛନ୍ତି । ସୁଶାନ୍ତଙ୍କ କଥାକୁ ଯଦି ଦେଖିବା ତେବେ ସେ ବିଜେଡି ଉପରେ ରାଗ ସୁଝାଇ ନାହାନ୍ତି ତ ବୋଲି ଦଳର କିଛି ନେତା ପଚାରିଲେଣି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଭାବରେ ହନ୍ତସନ୍ତ ହେଉଥିବା ସୁଶାନ୍ତ ଦଳକୁ ଏପରି ଏକ କଡ଼ା ଝଟକା ଦେଇ ନାହାନ୍ତି ତ? କିମ୍ବା ବିଜେଡିର ଉପନିର୍ବାଚନ ରଣନୀତିର ପର୍ଦ୍ଦା ଖୋଲି ଦେଇ ନାହାନ୍ତି ତ ସୁଶାନ୍ତ ବୋଲି ପ୍ରଶ୍ନ ଜୋର ଧରିଲାଣି । ତେବେ ସେ ଯାହା ହେଉନା କାହିଁକି, ବିଜେଡି ନେତାଙ୍କର ବାରମ୍ବାର ଏପରି ମହାତ୍ରୁଟି ଦଳ ପାଇଁ ଯେ ଘାତକ ହେଉଛି ତାହା ଅସ୍ୱୀକାର କରାଯାଇ ପାରୁନାହିଁ ।

THE Quiver News in Odisha
Chasicare Biofloc in Odisha

Leave a Reply

Your email address will not be published. Required fields are marked *